ଗାଁ ଗାଁ’ରେ ଦଲାଲ୍ ସକ୍ରିୟ

ବଇନା ନେଇଥିବା ଚାଷୀଙ୍କଠାରୁ ଧାନ ସଂଗ୍ରହ ଆରମ୍ଭ

ନୂଆପଡ଼ା: ନୂଆପଡ଼ା ଜିଲ୍ଲା‌ରେ ମଣ୍ଡି ଆରମ୍ଭ ହେବା ପରେ ଜିଲ୍ଲାରେ ଧାନ ଦଲାଲ ଓ ଅସାଧୁ ବ୍ୟବସାୟୀମାନେ ସକ୍ରିୟ ହୋଇ ଯାଇଛନ୍ତି। ଜିଲ୍ଲାରେ ବିଭିନ୍ନ ଗାଁରେ ଦଲାଲାମାନେ ଅଗ୍ରୀମ ଟଙ୍କା ନେଇଥିବା ଚାଷୀମାନଙ୍କଠାରୁ ଧାନ ନେବାକୁ ଆରମ୍ଭ କଲେଣି। ଦଲାଲମାନେ ମଧ୍ୟ ରାତ୍ରରେ ଚାଷୀଙ୍କ ଘରକୁ ଯାଇ କ୍ବିଇଣ୍ଟାଲ କ୍ବିଇଣ୍ଟାଲ ଧାନ ନେଉଥିବା ଦେଖିବାକୁ ମିଳିଛି। ଦଲାଲମାନେ ଏପରି ବେଆଇନ୍ ଭାବେ ଚାଷୀଙ୍କଠାରୁ ଧାନ ସଂଗ୍ରହ କରୁଥିଲେ ମଧ୍ୟ ଜିଲ୍ଲା ପ୍ରଶାସନ ପାଖରେ ଖବର ନାହିଁ। ଜିଲ୍ଲା ପ୍ରଶାସନ, ଯୋଗାଣ ବିଭାଗ ତଥା ପେକ୍ସ କର୍ମଚାରୀମାନେ ଏହି ଦଲାଲଙ୍କୁ ସହଯୋଗ କରୁଥିବା ଚାଷୀମାନେ ଅଭିଯୋଗ କରିଛନ୍ତି।

ପ୍ରକାଶ ଯେ ଚାଷୀଙ୍କ ଧାନ ଅମଳ ହେବା ତଥା ଦୁର୍ଗାପୂଜା ସମୟରେ ଦଲାଲମାନେ ବିଭିନ୍ନ ଗାଁକୁ ଯାଇ କ୍ଷୁଦ୍ରଚାଷୀ ଓ ବଡ଼ଚାଷୀଙ୍କୁ ଟଙ୍କା ପ୍ରଲୋଭନ ଦେଖା କ୍ବିଇଣ୍ଟାଲ ପିଛା ହଜାରରୁ ୧୨ ଶହ ଟଙ୍କା ହିସାବରେ ଚାଷୀଙ୍କୁ ଅଗ୍ରୀମ ୧୦ ରୁ ୫୦ ହଜାର ଟଙ୍କା ଦେଇଥିଲେ। ପରେ ଧାନ ଅମଳ ହେବା ପରେ ଦଲାଲମାନେ ରାତିରେ ଚାଷୀଙ୍କ ଘରକୁ ଗାଡି ନେଇ ଧାନକୁ ନେଇଥାନ୍ତି। ପରେ କୌଣଷି ଏକ ପଞ୍ଜିକୃତ ଚାଷୀଙ୍କୁ କିଛି ଟଙ୍କା ପ୍ରଲୋଭନ ଦେଇ ଏହି ଧାନକୁ ସରକାରୀ ଧାର୍ଯ୍ୟ ମୂଲ୍ୟ ୧୮୮୮ ଟଙ୍କାରେ ବିକ୍ରି କରନ୍ତି। ଏଥିରେ ସ୍ଥାନୀୟ ପେକ୍ସ ଅଧିକାରୀମାନେ ସହଯୋଗ କରୁଥିବା ବିଗତ ବର୍ଷରେ ଚାଷୀମାନେ ଅଭିଯୋଗ କରିଥିଲେ।

ନୂଆପଡ଼ା ସଦର ବ୍ଲକ୍ ଗୋଡ଼ଫୁଲା ପଞ୍ଚାୟତର ବିଭିନ୍ନ ଗାଁରେ ଦଲାଲମାନେ  ରାତିରେ ଚାଷୀଙ୍କଠାରୁ ଧନା ସଂଗ୍ରହ କରୁଛନ୍ତି। ଜିଲ୍ଲା ଯୋଗାଣ ବିଭାଗ ଏହା ଜାଣି ମଧ୍ୟ ଚୁପ ରହୁଥିବା ଚାଷୀ ଅଭିଯୋଗ କରିଛନ୍ତି। ଜିଲ୍ଲା ଯୋଗାଣ ବିଭାଗଙ୍କ ଅବହେଳାରୁ ଜିଲ୍ଲାରେ ଦିନକୁ ଦିନ ଧାନ ଦଲାଲ ସକ୍ରିୟ ହେଉଛନ୍ତି। ଏହା ଉପରେ ନୂଆପଡ଼ା ଯୋଗାଣ ବିଭାଗ ଅଧିକାର କୃଷ୍ଣଚନ୍ଦ୍ର ସେଠୀଙ୍କୁ ଯୋଗାଯୋଗ କରିବାରୁ ସେ କହିଛନ୍ତି, ବର୍ତ୍ତମାନ ଜିଲ୍ଲାରେ ସ୍କ୍ବାଡ୍ ଗଠନ କରାଯାଇ ଏପରି ଦଲାଲଙ୍କୁ ତୁରନ୍ତ ଧରାଯିବ। ଏହା ଉପରେ ନୂଆପଡ଼ା ଜିଲ୍ଲାପାଳ ତୁରନ୍ତ ଧାନ ନଦଲେ ଗାଁଗାଁରେ ଦଲାଲମାନେ ଶାଗମାଛ ଦରରେ ଚାଷୀଙ୍କ ଧାନ ନେଇଯିବେ ବୋଲି ଆଲୋଚନା ହେଉଛି।

ସମ୍ବନ୍ଧିତ ଖବର