ଦୁଇ ଝିଅଙ୍କ ନିଖୋଜ ଘଟଣା: କୂଅରେ ଜଣଙ୍କ ମୃତଦେହ ଠାବ, ଆସନ୍ତାକାଲି ଉଦ୍ଧାର ହେବ

ନବରଙ୍ଗପୁର: ରାଇଘର ବ୍ଲକ କୁନ୍ଦେଇ ଥାନା ଅନ୍ତର୍ଗତ ପଖନାପାରା ଗ୍ରାମରୁ ନିଖୋଜ ୨ ଝିଅଙ୍କ ମଧ୍ୟରୁ ଆଜି ସନ୍ଧ୍ୟାରେ ଜଣଙ୍କର ମୃତଦେହ ଏକ କୂଅରେ ଠାବ କରାଯାଇଛି। ଗାଁର କିଛି ଲୋକ ମୁକୁଳା କୂଅକୁ ଶୌଚ ହେବା ପାଇଁ ଯାଇଥିଲା ବେଳେ ଜଣେ ଝିଅର ମୃତଦେହ ଭାସୁଥିବା ଦେଖିଥିଲେ। ସେମାନେ ଏବାବଦରେ ଅନ୍ୟ ଲୋକଙ୍କୁ କହିଥିଲେ।

ସୂଚନା ଅନୁସାରେ ଆଜି ସନ୍ଧ୍ୟା ପ୍ରାୟ ୭ଟାରେ ଗ୍ରାମରେ ଥିବା ଏକ କୂଅରେ ଜଣେ ଝିଅର ମୃତଦେହ ଭାସୁଥିବା ଦେଖି ଗ୍ରାମବାସୀ ପୁଲିସକୁ ଖବର ଦେଇଥିଲେ। ଉକ୍ତ କୂଅଟି ଘରଠାରୁ ପ୍ରାୟ ୨ଶହ ମିଟର ଦୂରରେ ରହିଥିଲା ବେଳେ ରାତି ହୋଇଯାଇ ଥିବାରୁ ପୁଲିସ ଘଟଣାସ୍ଥଳକୁ ପହଞ୍ଚି ନାହିଁ। ଆସନ୍ତାକାଲି ସକାଳେ ଅଗ୍ନିଶମ ବିଭାଗର ସହାୟତାରେ ଉକ୍ତ ମୃତଦେହଟିକୁ ଉଦ୍ଧାର କରାଯିବ ବୋଲି ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନାଯୋଗ୍ୟ, ପଖନାପାରା ଗ୍ରାମର ଦୁଇଜଣ ବାଳିକା (ବୟସ ୮ ଓ ୯ ବର୍ଷ) ଗତ ମଙ୍ଗଳବାର ଅପରାହ୍ନ ୨ଟାରୁ ନିଖୋଜ ଥିଲେ। ସେମାନେ ଶୌଚ ପାଇଁ ଯାଇଥିଲେ ବୋଲି ଗାଁ ଲୋକେ ଚର୍ଚ୍ଚା କରୁଥିଲେ। ତିନିଦିନ ଧରି ଗ୍ରାମବାସୀ ଓ କୁନ୍ଦେଇ ପୁଲିସ କର୍ମଚାରୀ ଉକ୍ତ ଗ୍ରାମ ସହିତ ଆଖପାଖ ଗ୍ରାମ ଗୁଡ଼ିକରେ ମଧ୍ୟ ଖୋଜାଖୋଜି କରିଥିଲେ। ଝିଅ ଦୁଇ ଜଣଙ୍କ ନିଖୋଜକୁ ନେଇ ସାରା ଗ୍ରାମ ସ୍ତବ୍ଧ ପାଲଟି ଯାଇଥିବା ସହ ପରିବାର ଲୋକେ ମଧ୍ୟ ଝିଅଙ୍କ ଫେରିବା ବାଟକୁ ଚାହିଁ ବସିଥିଲେ।

ତେବେ ଆଜି ଜଣଙ୍କର ମୃତଦେହ କୂଅରୁ ଠାବ ହେବା ପରେ ଲୋକେ ବିଭିନ୍ନ କଥା ଆଲୋଚନା କରୁଛନ୍ତି। ମୃତଦେହଟି ପାଣିରେ ଭାସୁଥିବାରୁ ଅନ୍ୟଟି ପାଣି ଭିତରେ ବୁଡ଼ି ଯାଇଥାଇ ପାରେ ବୋଲି ସନ୍ଦେହ କରାଯାଉଛି। ତେବେ ଦମକଳ ବାହିନୀ ମୃତଦେହ ପାଣିରୁ ବାହାର କରିବା ପରେ ପ୍ରକୃତ କାରଣ ଜଣାପଡ଼ିବ ବୋଲି ଆଶା କରାଯାଉଛି।

ସମ୍ବନ୍ଧିତ ଖବର