କୂଅରୁ ଯୁବକଙ୍କ ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ

ଚିଲିକା: ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ୍‌ ଅନ୍ତର୍ଗତ ରଘୁନାଥପୁର ଗ୍ରାମରେ ଥିବା ଏକ ପରିତ୍ୟକ୍ତ କୂଅରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଘଟଣାଟି ଗତ ରାତିରେ ଘଟିଥିବା ଅନୁମାନ କରାଯାଉଛି। ଆଜି ସକାଳେ ଉକ୍ତ ଗ୍ରାମର ଯଜ୍ଞେଶ୍ୱର ପଲାଇ ଓ ମାଧବ ବାରିକଙ୍କ ଘର ପଛପଟେ ରହିଥିବା ଏକ ପରିତ୍ୟକ୍ତ କୂଅରେ ଜଣେ ଯୁବକଙ୍କ ମୃତଦେହ ଭାସୁଥିବା ଖବର ପାଇ ନାଚୁଣୀ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଥିଲା। ଗଙ୍ଗାଧରପୁର ଅଗ୍ନିଶମ ବିଭାଗ ସହଯୋଗରେ କୂଅରୁ ମୃତଦେହ ଉଦ୍ଧାର କରି ପୁଲିସ ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ଅନୁସନ୍ଧାନ ଜାରି ରଖିଛି।

ସୁଚନା ମୁତାବକ, କୂଅରୁ ଉଦ୍ଧାର ମୃତ ଯୁବକ ଚିଲିକା ବ୍ଲକ୍‌ ଅନ୍ତର୍ଗତ ହରିପୁର ପଞ୍ଚାୟତର ନିମୁନା ଗ୍ରାମର ରାଜ କିଶୋର ନାଏକଙ୍କ ପୁଅ ଅଶୋକ ନାୟକ (୩୨) ବୋଲି ଜଣାଯାଇଛି। ଘର ଠାରୁ ପ୍ରାୟ ୪/୫ କିମି ଦୂର ଅନ୍ୟ ଏକ ଗ୍ରାମର ବାରି କୂଅରେ ପଡ଼ି ଅକାଳରେ ମୃତ୍ୟୁବରଣ କରିବା ଘଟଣାକୁ ନେଇ ନାନା କଥା ଶୁଣାଯାଉଛି। ପୁଲିସ ଘଟଣାର ଛାନ୍‌ଭିନ୍‌ ଜାରି ରଖିଛି।

ସମ୍ବନ୍ଧିତ ଖବର