ଦୁଇ ବର୍ଷର ଶିଶୁ କନ୍ୟା ସହ ମା’ ର ମୃତଦେହ ଉଦ୍ଧାର: ହତ୍ୟା ନା ଆତ୍ମହତ୍ୟା କାରଣ ଅସ୍ପଷ୍ଟ

ଲକ୍ଷ୍ମୀପୁର: କୋରାପୁଟ ଜିଲା କାକିରିଗୁମା ଥାନା ଅନ୍ତର୍ଗତ ଲଛମଣି ଗାଁରେ ୨ ବର୍ଷର ଶିଶୁ କନ୍ୟା ସହ ମା’ର ମୃତଦେହ ଏକ ଘରୁ ଉଦ୍ଧାର କରାଯାଇଛି। ଆଜି ସକାଳୁ ଖବର ପାଇବା ପରେ କାକିରିଗୁମା ଆଇଆଇସି ଦାମୋଦର ବିହାରୀ ଓ ପୁଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ କରି ଫେରିବା ପରେ ସାଇଣ୍ଟିଫିକ୍ ଟିମର ସହାୟତା ନେଇଥିଲେ | ପରେ ସାଇଣ୍ଟିଫିକ୍ ଟିମ ଆସିବା ପରେ ମାଜିଷ୍ଟ୍ରେଟ ଦାୟିତ୍ଵରେ ଥିବା ଲକ୍ଷ୍ମୀପୁର ତହସିଲଦାର୍ ତପନ କୁମାର ନାୟକଙ୍କ ଉପସ୍ଥିତିରେ ଦୁଇଟି ମୃତଦେହ ଘର ଭିତରୁ ଉଦ୍ଧାର କରାଯାଇଥିଲା । ମୃତକଙ୍କ ମଧ୍ୟରେ ଲଛମଣି ଗ୍ରାମର ଦିନେଶ ସାଉଁନ୍ତାଙ୍କ ପତ୍ନି ପଦ୍ମା ସାଉଁନ୍ତା (୨୬) ଓ ତାଙ୍କ ୨ବର୍ଷ ର ଝିଅ ମେରି ସାଉଁନ୍ତା ଥିବାବେଳେ ମୃତ୍ୟୁର କାରଣ ଜଣାପଡିନଥିଲେ ମଧ୍ୟ ପାରିବାରିକ କଳହ ତଥା ପଡୋଶୀ ଘରର ଯୁବକଙ୍କ ସହ ମୋବାଇଲରେ କଥାବାର୍ତ୍ତାକୁ ନେଇ ଏହି ଘଟଣା ଘଟିଥିବା ମୃତ ପଦ୍ମାଙ୍କ ସ୍ବାମୀ କହିଛନ୍ତି । ଦିନେଶଙ୍କ କହିବା ପ୍ରକାରେ ଆଜି ସକାଳେ କୌଣସି କାମରେ ସେ କାକିରିଗୁମା ଯାଇ ଦଶଟାବେଳେ ଘରକୁ ଫେରିଥିଲେ।

ଘର ଭିତର କବାଟ ବନ୍ଦ ଥିବା ଦେଖି ଏକ ଶାବଳରେ କବାଟ ତାଡି ଭିତରେ ପଶିଥିଲେ । ମା ଓ ଝିଅ ଦୁଇଜଣ ବେକରେ ଶାଢି ଲଗେଇ ଝୁଲିଥିବାର ଦେଖି ସଙ୍ଗେ ସଙ୍ଗେ ଦୁଇଜଣଙ୍କୁ ଓହ୍ଲାଇ ଥିଲେ ,ହେଲେ ସେତେବେଳକୁ ଦୁଇଜଣଙ୍କ ମୃତ୍ୟୁ ହୋଇଥିବା ଜାଣିପାରି କାକିରିଗୁମା ଥାନାକୁ ଜଣାଇଥିଲେ। ଅନ୍ୟପକ୍ଷରେ ମୃତ ପଦ୍ମାଙ୍କ ପରିବାର ଲୋକେ କହିଛନ୍ତି କି ଗତକାଲି ରାତିରେ ଦିନେଶ ତାଙ୍କ ଝିଅ ସହ ଗଣ୍ଡଗୋଳ କରିବା ସହ ପ୍ରବଳ ମାଡ ମାରିଥିଲା | ରାତିରେ ଝିଅ ଫୋନ୍ କରି ଏବାବଦରେ ଜଣାଇଥିଲା | ତାଙ୍କ ଝିଅ ଓ ନାତୁଣିକୁ ତାଙ୍କ ଜ୍ବାଇଁ ମାରିକି ଆତ୍ମହତ୍ୟାର ରୂପ ଦେବା ସକାଶେ ଓହଳାଇ ମଧ୍ୟ ଦେଇଥାଇପାରେ ବୋଲି ମୃତ ପଦ୍ମାଙ୍କର ମା ଅଭିଯୋଗ କରିଛନ୍ତି | କାକିରିଗୁମ୍ମା ଥାନାରେ ଏକ ହତ୍ୟା ମାମଲା ରୁଜୁ କରାଯିବା ସହ ମା ଓ ଝିଅର ଶବକୁ ବ୍ୟବଛେଦ କରାଇ ଶବ ହସ୍ତାନ୍ତର କରିଛି। ଅଧିକ ତଦନ୍ତ ଚାଲିଥିବାବେଳେ ଶବ ବ୍ୟବଛେଦ ରିପୋର୍ଟ ଆସିଲେ ମୃତ୍ୟୁ ସମ୍ପର୍କରେ ଜଣାପଡିବ ବୋଲି ଆଇଆଇସି ତଥା ତଦନ୍ତକାରୀ ଅଧିକାରୀ ଶ୍ରୀ ବିହାରି ପ୍ରକାଶ କରିଛନ୍ତି। ଗତ ମାସରେ ତୋୟାପୁଟ ଗାଁରେ ଏଭଳି ଏକ ଘଟଣାରେ ୩ଜଣଙ୍କର ମୃତ୍ୟୁର ମାସକ ନ ପୂରୁଣୁ ପୁଣି ଏଭଳି ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।

ସମ୍ବନ୍ଧିତ ଖବର