ସମସ୍ୟା ସମାଧାନ ନହେଲେ ଟିକା ନେବୁ ନାହିଁ: ସ୍ୱାସ୍ଥ୍ୟକର୍ମୀ ଓ ସ୍ୱାସ୍ଥ୍ୟ ପରିଦର୍ଶକ ସଂଘ

ଖୋର୍ଦ୍ଧା: ‘କରୋନା ମହାମାରୀରେ ସେମାନେ ନିଜ ଜୀବନକୁ ବାଜି ଲଗାଇ ନିରବଚ୍ଛିନ୍ନ ଭାବେ ଲୋକଙ୍କ ସେବା କରିଛନ୍ତି । ସରକାରଙ୍କ ନିର୍ଦ୍ଦେଶକୁ ପାଳନ କରି କାର୍ଯ୍ୟ କରିଛନ୍ତି । କେବଳ ଏହାନୁହେଁ ସାଧାରଣ ସମୟ ଓ ପ୍ରାକୃତିକ ବିପର୍ଯ୍ୟୟରେ ମଧ୍ୟ ସେମାନେ ନିଜ ଦାୟିତ୍ୱ ପାଳନ କରିବାରେ ଅବହେଳା କରିନାହାନ୍ତି । କିନ୍ତୁ ସେମାନଙ୍କ ଦୀର୍ଘ ଦିନର ସମସ୍ୟା ସମାଧାନ କରାଯାଉନଥିବାରୁ ସେମାନେ ସରକାରଙ୍କ ଏଭଳି ଅଣଦେଖା ବ୍ୟବହାରକୁ ବିରୋଧ କରି କୋଭିଡ୍-୧୯ ଟିକା ନେବେନାହିଁ ବୋଲି ଆଜି ଖୋର୍ଦ୍ଧା ଜିଲ୍ଲା ସ୍ୱାସ୍ଥ୍ୟକର୍ମୀ ଓ ସ୍ୱାସ୍ଥ୍ୟ ପରିଦର୍ଶକ ସଂଘ ପକ୍ଷରୁ କୁହାଯାଇଛି ‘। ଆଜି ଅପରାହ୍ଣରେ ଖୋର୍ଦ୍ଧା ଜିଲ୍ଲାର ପ୍ରାୟ ୪୦ରୁ ଉର୍ଦ୍ଧ୍ବ ମହିଳା ଓ ପୁରୁଷ ସ୍ୱାସ୍ଥ୍ୟକର୍ମୀ, ସ୍ୱାସ୍ଥ୍ୟ ପରିଦର୍ଶକ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଭେଟି ଏନେଇ ଦାବିପତ୍ର ଦେଇଛନ୍ତି ।

ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା ବିଶ୍ୱରଂଜନ ପତି ସେମାନଙ୍କ ଠାରୁ ଦାବିପତ୍ର ଗ୍ରହଣ କରିବା ସହ ସେମାନଙ୍କ ସମସ୍ୟା ସମ୍ପର୍କରେ ରାଜ୍ୟ ସରକାରଙ୍କୁ ଜଣାଇବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଦାବିପତ୍ର ପ୍ରଦାନ ପରେ ମହିଳା ସ୍ୱାସ୍ଥ୍ୟକର୍ମୀ ସଂଘର ନେତ୍ରୀ ମମତା ନାୟକ କହିଛନ୍ତି ଯେ ସରକାର ଡାକ୍ତର, ନର୍ସ ଆଦି କ୍ଲିନିକାଲ୍ ଷ୍ଟାଫଙ୍କୁ ଚାକିରି କାଳରେ ୫ରୁ ୭ଟି ପଦୋନ୍ନତି ଦେଉଛନ୍ତି । କିନ୍ତୁ ସ୍ୱାସ୍ଥ୍ୟକର୍ମୀ ଓ ସ୍ୱାସ୍ଥ୍ୟ ପରିଦର୍ଶକଙ୍କ କ୍ଷେତ୍ରରେ ସେଭଳି ବ୍ୟବସ୍ଥା ନାହିଁ । ପଦବୀ ପରିବର୍ତନ ଓ କ୍ୟାଡର ପୁନର୍ଗଠନ ପାଇଁ ଅନେକ ଥର ଦାବି କରାଯାଇଥିଲେ ମଧ୍ୟ ସରକାର ସେମାନଙ୍କ କଥା ଶୁଣୁନାହାନ୍ତି । ଏଣୁ ସେମାନେ ସରକାରଙ୍କ ଏଭଳି ଅବହେଳାକୁ ପ୍ରତିବାଦ କରି କରୋନା ଟିକା ଗ୍ରହଣ କରିବେ ନାହିଁ ବୋଲି ନିଷ୍ପତ୍ତି ନେଇଛନ୍ତି ।

ପୁରୁଷ ସ୍ୱାସ୍ଥ୍ୟକର୍ମୀ ନେତା ପ୍ରଶାନ୍ତ ସାମନ୍ତରାୟ କହିଛନ୍ତି ଯେ ସମଗ୍ର ରାଜ୍ୟରେ ୧୫ହଜାର ମହିଳା-ପୁରୁଷ ସ୍ୱାସ୍ଥ୍ୟକର୍ମୀ, ସ୍ୱାସ୍ଥ୍ୟପରିଦର୍ଶକ କାମ କରୁଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରେ ୬୫୦ ଜଣ କାମ କରୁଛନ୍ତି । ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ରାଜ୍ୟ ପୁରୁଷ ଓ ମହିଳା ବହୁମୁଖୀ ସ୍ୱାସ୍ଥ୍ୟକର୍ମୀ ଓ ସ୍ୱାସ୍ଥ୍ୟ ପରିଦର୍ଶକ ମିଳିତ ମହାସଂଘ ପକ୍ଷରୁ ଏଭଳି ଦାବିପତ୍ର ପ୍ରଦାନ କରାଯାଇଛି । ଆଗାମୀ ଦିନରେ ଜିଲ୍ଲାପାଳଙ୍କୁ ମଧ୍ୟ ପ୍ରଦାନ କରାଯିବ । ଆଜିର ଏହି ଦାବିପତ୍ର ପ୍ରଦାନ ବେଳେ ଅନ୍ୟମାନଙ୍କ ମଧ୍ୟରେ ଅନୂପ ଶତପଥୀ, ଜିତେନ୍ଦ୍ର ମହାପାତ୍ର, ସଂଧ୍ୟାରାଣୀ ପାତ୍ର, କାଂଚନ ମଲିକ, ଜ୍ୟୋତିର୍ମୟୀ ଚୌଧୁରୀ, ଅମିତା ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

ସମ୍ବନ୍ଧିତ ଖବର