ଚୁଆଖୋଳ ଗାଁରେ ଜଳାଭାବ ଉତ୍କଟ : ପାଣି ପାଇଁ ବିସ୍ଥାପିତଙ୍କ ପାଣି ହିଁ ସମସ୍ୟା

ଦେବଗଡ଼: ରିଆମାଳ ବ୍ଲକ ଖିଲେଇ ପଞ୍ଚାୟତ ଅନ୍ତର୍ଗତ ଚୁଆଖୋଳ ଗାଁରେ ପାନୀୟ ଜଳ ସମସ୍ୟା ଉତ୍କଟ ହେବାରେ ଲାଗିଛି। ରେଙ୍ଗାଲି ନଦୀ ବନ୍ଧର ପାଣି ପାଇଁ ଦିନେ ବିସ୍ଥାପିତ ହୋଇଥିବା ଗ୍ରାମବାସୀଙ୍କ ପାଇଁ ଏବେ ପାନୀୟ ଜଳ ମୁଖ୍ୟ ସମସ୍ୟା ପାଲଟିଛି। ଏ ନେଇ ବାରମ୍ବାର ଦୃଷ୍ଟି ଆକର୍ଷଣ ସତ୍ତ୍ୱେ ପ୍ରଶାସନ ପକ୍ଷରୁ ଏ ପର୍ଯ୍ୟନ୍ତ କୌଣସି ଠୋସ୍‌ ପଦକ୍ଷେପ ନିଆଯାଉ ନଥିବା ଅଭିଯୋଗ କରି ଗ୍ରାମବାସୀ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ସ୍ଥାନୀୟ ଜନ ପ୍ରତିନିଧିଙ୍କ ଅବହେଳା ଓ ଇଚ୍ଛା ଶକ୍ତି ଅଭାବରୁ ତାଙ୍କ ଗାଁର ପାନୀୟ ଜଳ ସମସ୍ୟା ଦୂର ହୋଇପାରୁ ନାହିଁ ବୋଲି ଗ୍ରାମବାସୀ କ୍ଷୋଭର ସହ ପ୍ରକାଶ କରିଛନ୍ତି।

ପ୍ରାପ୍ତ ସୂଚନାନୁସାରେ ରେଙ୍ଗାଲି ନଦୀ ବନ୍ଧ ବିସ୍ଥାପିତଙ୍କୁ ନେଇ ବସିଥିବା ଚୁଆଖୋଳ ଗାଁର ଲୋକ ସଂଖ୍ୟା ୫ ଶହରୁ ଅଧିକ ହୋଇଥିବା ବେଳେ ରହିଛି ମାତ୍ର ୩ଟି ନଳକୂଅ। ତେବେ ନିୟମିତ ରକ୍ଷଣାବେକ୍ଷଣ  ଓ ମରାମତି ଅଭାବରୁ ସେଥିରୁ ଦୁଇଟି ସଂପୂର୍ଣ୍ଣ ଅଚଳ ହୋଇ ପଡ଼ିଥିବା ବେଳେ  ଚାଲୁଥିବା ଗୋଟିଏ ନଳକୂଅ ଉପରେ ସମସ୍ତ ଗ୍ରାମବାସୀ ପାଣି ପାଇଁ ନିର୍ଭର କରୁଛନ୍ତି। ଗାଁରେ ଦୁଇଟି ପୋଖରୀ ରହିଥିଲେ ହେଁ ଖରା ଆରମ୍ଭରୁ ତାହା ଶୁଖି ପଡ଼ିଆ ପାଲଟିଛି। ଯଦ୍ୱାରା ସ୍ନାନ, ଶୌଚ ଓ ଗୃହପାଳିତ ପ୍ରାଣୀଙ୍କୁ ପାଣି ଯୋଗାଇବା ନେଇ ଗ୍ରାମବାସୀଙ୍କୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ବର୍ଷ ବର୍ଷ ହେଲା ଗାଁରେ ପାନୀୟ ଜଳ ସମସ୍ୟା ରହି ଆସିଥିଲେ ହେଁ ସମାଧାନର ନାଁ ଗନ୍ଧ ଧରୁନାହାନ୍ତି ପ୍ରଶାସନ କି ସ୍ଥାନୀୟ ଜନ ପ୍ରତିନିଧି।

ଗାଁ ରେଙ୍ଗାଲି ଜଳ ଭଣ୍ଡାରରୁ ପାଣି ଆଣି ବ୍ୟବହାର କରୁଥିବା ବେଳେ ସେଥି ପାଇଁ ସେମାନଙ୍କୁ ପ୍ରତ୍ୟହ ଯିବାକୁ ପଡ଼ିଥାଏ   ୫ କିଲୋମିଟର ରାସ୍ତା। ଶୁଖି ଯାଇଥିବା ପୋଖରୀ ଦୁଇଟି ମଧ୍ୟରୁ ୨ କି.ମି. ଦୂରରେ ଥିବା ପୋଖରୀରେ ଚୁଆ ଖୋଳି ଲୋକେ ପାଣି ସଂଗ୍ରହ କରି ବ୍ୟବହାର କରୁଛନ୍ତି। ମାତ୍ର ତାହା ବି ଗୋଳିଆ ଓ ଦୂଷିତ ହୋଇଥିବା ଏ ଥର ପାନୀୟ ଉପଯୋଗୀ ହୋଇ ରହି ନାହିଁ ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି। ଏ ସଂପର୍କରେ ରିଆମାଳ ବିଡିଓ ଶିବ ଟପୋଙ୍କୁ ପଚାରିବାରେ ଖରାପ ନଳକୂଅ ଦୁଇଟିକୁ ଶୀଘ୍ର ସଜଡ଼ାଯିବ ଓ ଟ୍ୟାଙ୍କର୍‌ ଯୋଗେ ଜଳ ଯୋଗାଣ ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି। ତେବେ ଗାଁରେ ପାନୀୟ ଜଳ ସମସ୍ୟାର ସ୍ଥାୟୀ ସମାଧାନ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର