ସରକଣା ଗୋଷ୍ଠୀ ସଂଘର୍ଷ ମାମଲାରେ ୮ ଗିରଫ

ବାଲିଅନ୍ତା: ବାଲିଅନ୍ତା ଥାନା ପୁଲିସ ଗତକାଲି ରାତିରେ ବାଳକାଟି ଫାଣ୍ଡି ଅଧୀନ ସରକଣା ଗ୍ରାମରେ ଘଟିଥିବା ଗୋଷ୍ଠୀ ସଂଘର୍ଷ ମାମଲାରେ ଉଭୟ ପକ୍ଷରୁ ୮ ଜଣ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗଣ୍ଡଗୋଳରେ ସଂପୃକ୍ତ ଅଭିଯୁକ୍ତ ମାନେ ହେଲେ ଗୋଟିଏ ପକ୍ଷର ୬ ଜଣ ରାଜୀବ ସାହୁ ଓରଫ ଚିକୁ (୨୩), କେଶବ ପ୍ରଧାନ(୨୫), ପ୍ରକାଶ ପ୍ରଧାନ ଓରଫ ଢେଗା (୨୨), ଆକାଶ ଦାସ ଓରଫ ରାକେଶ(୨୭), ସଂଜୟ ପ୍ରସାଦ ଦାସ ଓରଫ କୁନୁ (୨୦), ଲକ୍ଷ୍ମୀଧର ସାହୁ (୫୮)। ଉପରୋକ୍ତ ସମସ୍ତ ଅଭିଯୁକ୍ତମାନଙ୍କ ଘର ସରକଣା ବଜାର ସାହି। ସେହିପରି ଅପରପକ୍ଷର ଅଭିଯୁକ୍ତ ଦ୍ବୟ ହେଲେ ଝିଣ୍ଟିଶାସନ ଗ୍ରାମର ରାକେଶ ସାହୁ(୨୬) ଏବଂ କିରଣ କୁମାର ବାରିକ(୨୭)। ସେମାନଙ୍କ ନିକଟରୁ ପୁଲିସ ଖଣ୍ଡା, ଭୁଜାଲି ଓ ଠେଙ୍ଗା ଆଦି ଜବତ କରିଛି। ତେବେ କୋର୍ଟରେ ସମସ୍ତ ଅଭିଯୁକ୍ତ ମାନଙ୍କ ଜାମିନ ଖାରଜ ହୋଇଯିବାରୁ ଝାରପଡ଼ା ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ସୂଚନା ଅନୁସାରେ, ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଉଭୟ ପକ୍ଷଙ୍କ ମଧ୍ୟରେ ପୂର୍ବରୁ ବିବାଦ ରହିଥିଲା। ସରକଣା ଗ୍ରାମରେ ଦୀର୍ଘଦିନ ଧରି ଚାଲିଥିବା ଏକ ବ୍ରାଉନସୁଗାର ଆଡ୍ଡାରେ ଉଭୟ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ। ନିଶାଗ୍ରସ୍ତ ଅବସ୍ଥାରେ ଉଭୟ ପକ୍ଷ ପ୍ରଥମେ ଯୁକ୍ତିତର୍କ କରିଥିଲେ। ଏହାର କିଛି ସମୟ ପରେ କିରଣ ବାରିକଙ୍କ ଘର ନିକଟରେ କିରଣଙ୍କ ସମେତ ଉଭୟ ଗୋଷ୍ଠୀର ଯୁବକ ମାନେ ହାତରେ ଠେଙ୍ଗା, କୁରାଢ଼ି, ଖଣ୍ଡା, ଭୁଜାଲି ଓ ଛୁରା ନେଇ ଗଣ୍ଡଗୋଳ କରିଥିଲେ। ବାରକ ସାହି ରାସ୍ତା ଏକପ୍ରକାର ରଣକ୍ଷେତ୍ର ପାଲଟିଥିଲା।

ବାଳକାଟି ପିସିଆର କର୍ମଚାରୀ ଗଣ୍ଡଗୋଳ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିଥିଲେ। ହେଲେ ଉତ୍ତ୍ୟକ୍ତ ଯୁବକ ମାନେ ପୁଲିସକୁ ପେଲାଠେଲା କରିଥିବା ଜଣେ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି। ଉଭୟ ପକ୍ଷ ପରସ୍ପରରକୁ ଆକ୍ରମଣ କରିବା ଫଳରେ ୫ ଜଣ ଆହତ ହୋଇଥିବା ଫାଣ୍ଡି ଅଧିକାରୀ ମମ୍‌ତାଜ ଅଲ୍ଲୀ ଖାନ କହିଛନ୍ତି। ପରିବାର ଲୋକ ସେମାନଙ୍କୁ ଚିକିତ୍ସା ଲାଗି ବାଳକାଟି ଗୋଷ୍ଠୀ ଖବର ପାଇ ଥାନା ଅଧିକାରୀ ଯୁବରାଜ ସ୍ବାଇଁ ଆଉ ଅଧିକ ପୁଲିସ କର୍ମଚାରୀଙ୍କ ସହ ସେଠାରେ ପହଞ୍ଚି ସଂପୃକ୍ତ ଅଭିଯୁକ୍ତ ମାନଙ୍କୁ କାବୁ କରି ନେଇଥିଲେ।

ସମ୍ବନ୍ଧିତ ଖବର