ଅନୁଗୁଳ: ସରକାରୀ ଦପ୍ତରରେ ବାକି ପଡ଼ିଛି ୨ କୋଟି ଟଙ୍କାର ବିଜୁଳି ବିଲ୍‌

ଗ୍ରାମ୍ୟ ଉନ୍ନୟନ ବିଭାଗର ୫୭ ଲକ୍ଷ, ଗୃହ ଓ ନଗର ଉନ୍ନୟନ ବିଭାଗରେ ୫୨ ଲକ୍ଷ

ଅନୁଗୁଳ (ବିକାଶ ଚନ୍ଦ୍ର ସାହୁ): ଶିଳ୍ପର ସହର ଅନୁଗୁଳରେ ଦିନକୁ ଦିନ ବିଢ଼ିବାରେ ଲାଗିଛି ବକେୟା ବିଦ୍ୟୁତ ବିଲ୍‌ ପରିମାଣ। ଲକ୍ଷେ କି ଦୁଇ ଲକ୍ଷ ନୁହେଁ ସିଧାସଳଖ୨ କୋଟି ଟଙ୍କାର ବିଦ୍ୟୁତ ବିଲ୍‌ ଆଦାୟ ହୋଇପାରୁନି। ଘରୋଇ ସଂଯୋଗ ନେଇଥିବା ଗ୍ରାହକ ବିଦ୍ୟୁତ ବିଲ୍‌ ନଦେଇ ପାରିଲେ କିମ୍ବା ବିଦ୍ୟୁତ ଅର୍ଥ ଦେବାରେ ବିଳମ୍ବ କଲେ ବିଦ୍ୟୁତ ବିଭାଗ ଜରିମାନା ଆଦାୟ କରୁଛି। ଦରକାର ପଡ଼ିଲେ ସଂଯୋଗ କଟାଯାଉଛି। ହେଲେ ସରକାରଙ୍କ ବିଭିନ୍ନ ବିଭାଗ ଗୁଡିକରେ କୋଟିକୋଟିର ବାକି ପଡ଼ିଥିଲେ ମଧ୍ୟ ସେମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନନେଇ ବିଦ୍ୟୁତ ବିଭାଗ ଚୁପଚାପ ରହିବା ବୁଦ୍ଧିଜୀବୀ ମହଲକୁ ବିସ୍ମିତ କରିଛି।

ଅନୁଗୁଳ ସେସ୍କୋ କାର୍ଯ୍ୟାଳୟର ତଥ୍ୟ ମୁତାବକ ବେସରକାରୀ ସଂସ୍ଥାକୁ ଛାଡ଼ିଦେଲେ ସରକାରୀ କାର୍ଯ୍ୟାଳୟରେ କୋଟି କୋଟି ଟଙ୍କା ବିଦ୍ୟୁତ ବିଲ୍‌ ବାକି ପଡ଼ିଛି। ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିଭାଗରେ ୧୬ଟି ବିଦ୍ୟୁତ ସଂଯୋଗ ରହିଥିବା ବେଳେ ବାକି ୫ ଲକ୍ଷ ୯୩ ହଜାର ୯୬୧ ଟଙ୍କା ୨୬ ପଇସା, ଜଙ୍ଗଲ ଓ ପରିବେଶ ବିଭାଗରେ ୨୪ଟି ସଂଯୋଗ ରହିଥିବା ବେଳେ ୪ ହଜାର ୨୧୯ ଟଙ୍କା ୦୨ ପଇସା, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ୨୧ ସଂଯୋଗ ରହିଥିବା ବେଳେ ୮ଲକ୍ଷ ୫୧ହଜାର ୬୫ ଟଙ୍କା ୨୯ ୩ ପଇସା, ଉଚ୍ଚ ଶିକ୍ଷା ବିଭାଗରେ ୧୮ଟି ସଂଯୋଗରେ ୧୬ଲକ୍ଷ ୪୪ ହଜାର ୫୮ ଟଙ୍କା ୩୩ ପଇସା, ଗୃହ ବିଭାଗରେ ୩୮ଟି ସଂଯୋଗ ରହିଥିବା ବେଳେ ୧୩ ଲକ୍ଷ ୪୮ ହଜାର ୨ ଟଙ୍କା ୨୬ ପଇସା, ଗୃହ ଓ ନଗର ଉନ୍ନୟନ ବିଭାଗରେ ୪୭ଟି ସଂଯୋଗ ରହିଥିବା ବେଳେ ୫୨ ଲକ୍ଷ ୭୬ ହଜାର ୧୬୫ ଟଙ୍କା ୫୮ ପଇସା, ଶିଳ୍ପ ବିଭାଗରେ ୨ଟି ସଂଯୋଗରେ ୪୯ ହଜାର ୨୭୪ ଟଙ୍କା ୬୬ ପଇସା, ପଞ୍ଜାୟତରାଜ ବିଭାଗରେ ୬୭ ଟି ସଂଯୋଗରେ ୧୬ ଲକ୍ଷ ୫୪ ହଜାର ୬୫ ଟଙ୍କା ୭୯ ପଇସା, ରାଜସ୍ୱ ବିଭାଗରେ ୩୧ଟି ସଂଯୋଗରେ ୧୪ ଲକ୍ଷ ୫୨ ହଜାର ୩୪୪ ଟଙ୍କା ୬୬ ପଇସା, ଗ୍ରାମ୍ୟ ଉନ୍ନୟନ ବିଭାଗର ୧୮୭ଟି ସଂଯୋଗରେ ୫୭ ଲକ୍ଷ ୭୭ ହଜାର ୫୨୯ ଟଙ୍କା ୬୫ ପଇସା, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ ୨୯୬ଟି ସଂଯୋଗ ରହିଥିବା ବେଳେ ୨୫ଲକ୍ଷ ୩୯ ହଜାର ୮୧୯ ଟଙ୍କା ୯୩ ପଇସା ବାକି ପଡ଼ିଛି। ଜଳସଂପଦ ବିଭାଗର ୧୧ଟି ସଂଯୋଗରେ ୨ ଲକ୍ଷ ୮୯ ହଜାର ୩୪୪ ଟଙ୍କା ବାକି ପଡ଼ି ରହିଛି।

ସେହିପରି ଅନ୍ୟ ବିଭାଗ ଉପରେ ମଧ୍ୟ ଲକ୍ଷ ଲକ୍ଷ ଟଙ୍କାର ବିଲ୍‌ ବାକି ପଡ଼ିଥିବା ସୂଚନା ମିଳିଛି। ଅନ୍ୟପଟେ ଜିଲ୍ଲାରେ ୪୦ରୁ ଅଧିକ ଘରୋଇ କାରଖାନା ରହିଥିବା ବେଳେ ଏସବୁ ଅନୁଷ୍ଠାନ ଉପରେ ପ୍ରାୟ ୧୦ କୋଟିରୁ ଅଧିକ ଟଙ୍କାର ବିଲ୍‌ ବାକି ରହିଥିବା ସୂଚନା ମିଳିଛି।

ଗୁରୁତ୍ୱପୂର୍ଣ୍ଣ କଥା ହେଲା ସରକାରୀ ସଂସ୍ଥା ପାଖରୁ ବିଲ୍‌ ଆଦାୟ ହେଉନଥିବା ବେଳେ କୋଟି କୋଟି ଟଙ୍କାର ବିଦ୍ୟୁତ୍‌ ବିଲ ମାଫ୍‌ କରି ଦିଆଯାଉଥିବା ସୂଚନା ରହିଛି। ଏପରିକି ଚଳିତ ବର୍ଷ ନିର୍ବାଚନ ପୂର୍ବରୁ ଅନୁଗୁଳ ପୌର ସଂସ୍ଥା ଉପରେ ପ୍ରାୟ ୬ କୋଟି ଟଙ୍କାର ବିଲ୍‌ ବାକିଥିଲା। ତେବେ ସେଥିରୁ ବିଭାଗ ପ୍ରାୟ ୪ କୋଟି ଟଙ୍କା ଛାଡ କରିଦେଇଥିଲା। ବଳକା ମାତ୍ର ୧ କୋଟି ୯୨ ଲକ୍ଷ ଟଙ୍କା ଭରଣା କରିଥିଲା। ସେହିପରି ଜିଲ୍ଲାରେ ଆଉ କିଛି ସଂସ୍ଥାର ବିଲ୍‌ ବାକି ପଡ଼ିଥିଲେ ମଧ୍ୟ ବିଦ୍ୟୁତ ବିଭାଗ ତାହାକୁ ହିସାବ କରୁ ନଥିବା ଜଣାପଡ଼ିଛି। ଏହି ଭଳି ବଦ୍ୟୁତ୍‌ ବିଭାଗର ମନମାନୀକୁ ବୁଦ୍ଧିଜୀବୀ ମହଲରେ ନାପସନ୍ଦ କରାଯିବା ସହିତ ସରକାରୀ ସଂସ୍ଥା ଉପରେ ବିଦ୍ୟୁ ବିଭାଗ ଏମିତି ହାଲକା ମନୋଭାବ ପୋଷଣ ନକରି କାର୍ଯ୍ୟାନୁଷ୍ଠାନ ନେବାକୁ ବିଭିନ୍ନ ମହଲରେ ଦାବି ହେଉଛି।

ଏ ବାବଦରେ ଅନୁଗୁଳ ସେସୁ ନିର୍ବାହୀ ଯନ୍ତ୍ରୀ ସତ୍ୟଜିତ୍‌ ଷଡ଼ଙ୍ଗୀ କହିଛନ୍ତି, ବାକି ପଡ଼ିଥିବା ବିଦ୍ୟୁତ ବିଲ୍‌ ପୂର୍ବ ବର୍ଷ ଅଧିକ ଆଦାୟ ହୋଇଛି। ଯେଉଁ ବିଭାଗ ବିଲ୍‌ ଦେଉନାହାନ୍ତି ତାଙ୍କଠାରୁ ଧୀରେ ଧୀରେ ବିଲ୍‌ ଆଦାୟ କରାଯାଉଥିବା ସେ କହିଛନ୍ତି।

ସମ୍ବନ୍ଧିତ ଖବର