ହସ୍ତିନାପୁରରେ ମାତିଲେ ହାତୀପଲ, ୩ ଚାଷୀଙ୍କ ଧାନ ତଳି ନଷ୍ଟ କଲେ

ରାୟଗଡ଼ା: ପଦ୍ମପୁର ତହସିଲର ହସ୍ତିନାପୁର ଗ୍ରାମରେ ହାତୀ ଉପଦ୍ରବ ଦେଖାଦେଇଛି। ହାତୀପଲ ଚାଷୀଙ୍କ ଜମିରେ ପଶି ଧାନ ତଳିକୁ ଦଳି ଚକଟି ନଷ୍ଟ କରି ଦେଇଛନ୍ତି। ବୁଧବାର ରାତିରେ ହାତୀପଲ ଫସଲ ଖାଇବା ଉଦ୍ଦେଶ୍ୟରେ ଗାଁ ମୁହାଁ ହୋଇ ଏପରି ଉପଦ୍ରବ କରିଛନ୍ତି। ସକାଳୁ ଚାଷୀ ଜମିକୁ ଆସିବା ପରେ ଘଟଣା ସଂପର୍କରେ ଜାଣି ବନ ବିଭାଗକୁ ଖବର ଦେଇଥିଲେ। ଗୁଡାରି ବନ ବିଭାଗ କର୍ତ୍ତୃପକ୍ଷ ହାତୀପଲ ଉପରେ ନଜର ରଖିବା ସହିତ ଫସଲ ନଷ୍ଟ ହୋଇଥିବା ଚାଷୀଙ୍କୁ କ୍ଷତିପୂରଣ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି। ହସ୍ତିନାପୁର ଗ୍ରାମର ଚାଷୀ ଭୂଷଣ ମାଝୀ ଧାନ ଚାଷ ପାଇଁ ୫୦ କେଜିର ବିହନରେ ତଳି ପକାଇଥିଲେ। ତଳି ଭଲ ହୋଇଥିବାବେଳେ ଆଉ ସପ୍ତାହେ ପରେ ରୁଆ, ବେଉଷଣ ପାଇଁ ଅମଳ ହୋଇଥାନ୍ତା। ହେଲେ ବୁଧବାର ରାତିରେ ୭/୮ ଜଣିଆ ହାତୀପଲ କର୍ଲାପାଟ ଜଙ୍ଗଲରୁ ଆସି ଫସଲ ନଷ୍ଟ କରିଛନ୍ତି। ହାତୀଙ୍କ ପାଦ ଚିହ୍ନ ଜମିରେ ଥିବା ବେଳେ ବିଭିନ୍ନ ସ୍ଥାନରେ ମଳ ମଧ୍ୟ ପଡିଛି। ସେହିପରି ଭୀମ ମାଝୀ ୩୦ କେଜି ବିହନର ତଳି ଓ ତ୍ରିନାଥ ଶ୍ରାମ୍ଭୁଟିକାଙ୍କ ୫୦ କେଜିର ଧାନ ତଳି ନଷ୍ଟ ହୋଇଥିବା ଚାଷୀ ଅଭିଯୋଗ କରିଛନ୍ତି।

ବନ ବିଭାଗ କର୍ତ୍ତୃପକ୍ଷ ହସ୍ତିନାପୁର ଗାଁକୁ ଯାଇ କ୍ଷତିଗ୍ରସ୍ତ ଜମି ଦେଖିବା ସହ ହାତୀପଲଙ୍କ ଗତିବିଧି ଉପରେ ନଜର ରଖିଛନ୍ତି। ହସ୍ତିନାପୁର ଗାଁ ନିକଟରେ ଜଙ୍ଗଲ ଥିବା ବେଳେ କର୍ଲାପାଟ ଜଙ୍ଗଲରୁ ହାତୀପଲ ବିଭିନ୍ନ ସମୟରେ ଆସି କାଜୁ, ଧାନ ସହ ଅନ୍ୟ ଫସଲ ଖାଇଥାନ୍ତି। ରାୟଗଡ଼ା-କଳାହାଣ୍ଡି ସୀମାନ୍ତ ଇଲାକାରେ ଏହି ହାତୀପଲ ବର୍ଷ ତମାମ ବିଚରଣ କରିବା ସହ ମୁନିଗୁଡ଼ା, ଗୁଡାରି, ପଦ୍ମପୁର, କଲ୍ୟାଣସିଂହପୁର, ଚନ୍ଦ୍ରପୁର ଇଲାକାକୁ ଯାତାୟତ କରିଥାନ୍ତି। ହାତୀପଲଙ୍କ ଉପସ୍ଥିତିକୁ ନେଇ ଗ୍ରାମବାସୀ ମଧ୍ୟ ଭୟଭୀତ ହୋଇ ପଡିଛନ୍ତି। ବନ ବିଭାଗ କର୍ତ୍ତୃପକ୍ଷ ଏଥି ପ୍ରତି ଦୃଷ୍ଟି ଦେଇ କ୍ଷତିପୂରଣ ଯୋଗାଇ ଦେବା ପାଇଁ ଚାଷୀ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର