ନକଲି ବିଦେଶୀ ମଦ କାରଖାନା ଠାବ: ମହିଳା ସମେତ ୨ ଗିରଫ, ମାଷ୍ଟରମାଇଣ୍ଡ ଫେରାର୍

ବିପୁଳ ମଦ,୧୦,୭୯୬ ପିସ୍‌ ଇଏଲ୍‌, ୫୧୫ ଖାଲି ମଦ ବୋଦଲ ଜବତ

ରାଉରକେଲା: ଝାଡ଼ଖଣ୍ଡ, ଅରୁଣାଚଳ ପ୍ରଦେଶ ନୁହେଁ ବରଂ ରାଉରକେଲାର ବିଭିନ୍ନ ସ୍ଥାନରେ ଚାଲିଛି ନକଲି ବିଦେଶୀ ମଦ କାରଖାନା। ସ୍ଥାନୀୟ ପୁଲିସ, ଅବକାରୀ ବିଭାଗ ଚକ୍‌ମା ଦେଇ ବର୍ଷ ବର୍ଷ ଧରି ଚାଳିଛି ନକଲି ମଦ ତିଆରି। ଅବକାରୀ ପୁଲିସ ବାରମ୍ବାର ଚଢ଼ଉ କରୁଥିଲେ ସେମାନଙ୍କ ଉପରେ କୌଣସି ପ୍ରଭାବ ପଡୁ ନାହିଁ। ଆଜି ଅବକାରୀ ଗୁଇନ୍ଦା ବିଭାଗ ସମ୍ବଲପୁର ସୂଚନା ଆଧାରରେ ରାଉରକେଲା ଅବକାରୀ ପୁଲିସ, ସମ୍ବଲପୁର ଗୁଇନ୍ଦା ଟିମ୍‌ ମିଳିତ ଭାବେ ଜଲ୍‌ଦା ଗର୍ଜନ ଗିରିଜାଟୋଲା ନକଲି ମଦ ତିଆରି ହେଉଥିବା କାରଖାନା ଉପରେ ଚଢ଼ଉ କରିଥିଲା।

ନକଲି ବିଦେଶୀ ମଦ ତିଆରି କରୁଥିବା ଜଲଦା ଏ ବ୍ଲକର ଜମୁନା ଭୂମିଜ୍‌, ଖଇରବନ୍ଧର ପାହାଲ ସିଂହ, ଗର୍ଜନ ଗିରିଜାଟୋଲାର ରୁବେନ ମାଝି। ରାକେଟ୍‌ର ମାଷ୍ଟରମାଇଣ୍ଡ ଅନୀଲ ସାହୁ ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ଅବକାରୀ ପୁଲିସ ମଦ ପସ୍ତୁତ ‌ହେଉଥିବା ଘରୁ ୨୭ ଲିଟର ବିଦେଶୀ ମଦ, ୨.୫ ଲିଟର କାରାମେଲ୍‌, ୧୦, ୭୯୬ ପିସ୍‌ ଏକ୍ସସାଇଜ୍‌ ଆଡେସିଭ୍‌ ଲେବୁଲ୍‌ (ଇଏଲ୍‌), ୩,୪୬୦ କର୍କସ, ୫୧୫ ଟି ଖାଲି ବୋତଲ ସମେତ ଅନ୍ୟାନ୍ୟ ଜିନିଷ ଜବତ ହୋଇଛି। ନକଲି ଜିନିଷଗୁଡ଼ିକୁ ଗିରଫ ଅଭିଯୁକ୍ତମାନେ କଲିକତାରୁ ଚୋରେ କିଣି ଆଣୁଥିଲେ।

ରାକେଟ୍‌ର ମାଷ୍ଟରମାଇଣ୍ଡ ଅନିଲ ସମେତ ୭ରୁ ୮ଜଣ ଥିବା ଅବକାରୀ ପୁଲିସ୍ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି। ପୁଲିସ, ଅବକାରୀ ପୁଲିସ୍‌ ଭୟରେ ସେମାନେ ଜଲଦା ଅଞ୍ଚଳର ବିଭିନ୍ନ ନିଛାଟିଆ ଜାଗାରେ ନକଲି ମଦ ତିଆରି କରିଥାନ୍ତି। ମଦ ତିଆରି ବେଳେ ଝାଡ଼ଖଣ୍ଡ, ଅରୁଣାଚଳ ପ୍ରଦେଶରୁ ରାଉରକେଲାକୁ ଆସୁଥିବା ନକଲି ମଦକୁ ମଧ୍ୟ ବୋଟ୍‌ଲିଂରେ ବ୍ୟବହାର କରୁଥିବା ସେମାନେ ପୁଲିସ ଆଗରେ ସ୍ବୀକାର କରିଛନ୍ତି। ବୋଟ୍‌ଲିଂ, ପ୍ୟାକିଂ ହେବା ପରେ କିଛି ଚୋରା ବେପାରୀଙ୍କ ଜରିଆରେ ନକଲି ମଦକୁ ବୀରମିତ୍ରପୁର, ମନ୍‌କୋ, ଜରେଇକେଲା ସମେତ ଉପାନ୍ତ ଅଞ୍ଚଳରେ ବିଭିନ୍ନ ଢ଼ାବା, ହୋ‌ଟେଲକୁ ଯୋଗାଣ କରିଥାନ୍ତି।

ସମ୍ବନ୍ଧିତ ଖବର