ପାରିବାରିକ କଳହର କରୁଣ ପରିଣତି, କକାପୁଅ ଭାଇକୁ ହାଣିଲା ଭାଇ, ୩ ଅଟକ

ବୌଦ୍ଧ: ପାରିବାରିକ କଳହର କରୁଣ ପରିଣତି ବୌଦ୍ଧ ଜିଲ୍ଲାର ହରଭଙ୍ଗା ଅଞ୍ଚଳରେ ଦେଖିବାକୁ ମିଳିଛି। ରାଗରେ ଉତ୍ତେଜିତ ହୋଇ କକାପୁଅ ଭାଇକୁ ଭାଇ ହତ୍ୟା କରିଛି। ହରଭଙ୍ଗା ଥାନା ଅନ୍ତର୍ଗତ ହରିହରପୁର ଗ୍ରାମର କୁଳସାହିରେ ୨୦୨୦ ବର୍ଷର ପ୍ରଥମ ଦିନରେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ମୃତ ବ୍ୟକ୍ତି ହେଲେ କବିରାଜ ପ୍ରଧାନ। ଏହି ଘଟଣାରେ ପୁଲିସ ତିନି ଜଣଙ୍କୁ ଅଟକ ରଖିଥିବା ବେଳେ ଜଣେ ଫେରାର ଥିବା ଜଣାପଡିଛି। ଅଭିଯୁକ୍ତମାନେ ହେଲେ ଜଗବନ୍ଧୁ ପ୍ରଧାନ, ତେପନ ପ୍ରଧାନ ଓ ଚତୁର୍ଭୁଜ ପ୍ରଧାନ। ପଞ୍ଚୁ ପ୍ରଧାନ ନାମକ ଜଣେ ଅଭିଯୁକ୍ତ ବର୍ତ୍ତମାନ ଫେରାର ଥିବା ଜଣାପଡିଛି।

ମିଳିଥିବା ସୂଚନା ଅନୁସାରେ କବିରାଜ ପ୍ରଧାନ ଏବଂ ଜଗବନ୍ଧୁ ପ୍ରଧାନଙ୍କ ପରିବାର ମଧ୍ୟରେ ଦୀର୍ଘବର୍ଷ ହେଲା କଳହ ଲାଗିରହିଥିଲା। ଉଭୟ ପରିବାର ମଧ୍ୟରେ ଥିବା କଳହ ଗତକାଲି ବିଳମ୍ବିତ ରାତିରେ ଆହୁରି ଭୟଙ୍କର ରୂପ ନେଇଥିଲା। ପରେ ଏହି କଳହ ହତ୍ୟାକାଣ୍ଡର ରୂପ ନେଇଥିଲା। କବିରାଜ ପ୍ରଧାନଙ୍କୁ ତାଙ୍କର ବଡ଼ ବାପା ପୁଅଭାଇମାନେ ଅତି ନୃଶଂସ ଭାବେ ହତ୍ୟା କରିଥିଲେ।

ବିଳମ୍ବିତ ରାତିରେ ଏହି ହତ୍ୟାକାଣ୍ଡ ହୋଇଥିବାରୁ ପୁଲିସକୁ ଘଟଣା ସଂପର୍କରେ ଆଜି ସୂଚନା ମିଳିଛି। ସୂଚନା ପାଇ ହରଭଙ୍ଗା ପୁଲିସ ଘଟଣାସ୍ଥଳରେ ପହଁଚି ମୃତଦେହ ଉଦ୍ଧାର କରିଛି। ପୋଷ୍ଟମର୍ଟମ ପରେ ପୁଲିସ ମୃତଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କରିବ। ତେବେ ରିପୋର୍ଟ ଲେଖାଯିବା ବେଳକୁ ପୁଲିସ ୩ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଥିବା ବେଳେ ଅନ୍ୟ ଜଣେ ଫେରାର ଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର