ଯାଜପୁର: ବାପାର କାଠଫାଳିଆ ମାଡ଼ରେ ପୁଅର ମୃତ୍ୟୁ

ଯାଜପୁର: ଯାଜପୁର ଜିଲ୍ଲା ସଦର ଥାନା ଅନ୍ତର୍ଗତ ପଦନା ଗାଁରେ ଘଟିଛି ଏକ ଅଭବନୀୟ ଘଟଣା। ନିଶାସକ୍ତ ପୁଅର ମାଡ଼, ଗାଳି ଓ ପ୍ରତିଦିନର ଗଣ୍ଡଗୋଳରେ ଅତିଷ୍ଟ ହୋଇ ଜଣେ ବାପା ନିଜ ପୁଅକୁ ଠେଙ୍ଗରେ ପିଟି ପିଟି ହତ୍ୟା କରିଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ବାପାକୁ ଧରି ଥାନାକୁ ଆଣିଥିବା ବେଳେ ମୃତଦେହର ପଞ୍ଚନାମା କରି ବ୍ୟବଛେଦ ପାଇଁ ପଠାଇଛି।
ପୁଲିସ ଠାରୁ ମିଳିଥିବା ସୂଚନା ଅନୁଯାୟୀ ପଦନ ଗାଁର ବିଦ୍ୟାଧର ବେହେରା (୬୦ ବର୍ଷ)ଙ୍କ ପୁଅ ଉପେନ୍ଦ୍ର ବେହେରା ସବୁଦିନ ପରି ଗତକାଲି ବିଳମ୍ବିତ ରାତିରେ ମଦ ପିଇ ଆସି ଘରେ ପହଞ୍ଚିଥିଲେ। ଘରେ ପହଞ୍ଚିବା ପରେ ସେ ପରିବାର ଲୋକଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହିତ ବାପା ବିଦ୍ୟାଧରଙ୍କୁ ଏକ କାଠଫାଳିଆରେ ପିଟିଥିଲେ। ବିଦ୍ୟାଧରଙ୍କ ମୁଣ୍ଡରେ ଆଘାତ ଲାଗିଥିଲା। ବିଦ୍ୟାଧର ନିଜକୁ ରକ୍ଷା କରିବାକୁ ଯାଇ ଉପେନ୍ଦ୍ରଙ୍କ ଠାରୁ ସେହି କାଠ ଫାଳିଆକୁ ଛଡ଼ାଇ ତାଙ୍କୁ ନିର୍ଦ୍ଧୁମ ପିଟିଥିଲେ। ତେବେ ଗୋଟିଏ ପାହାର ଉପେନ୍ଦ୍ରଙ୍କ ମୁଣ୍ଡରେ ବାଜିବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା।

ସମ୍ବନ୍ଧିତ ଖବର