ଜମି ବିକ୍ରି ଟଙ୍କାକୁ ନେଇ ଗଣ୍ଡଗୋଳ; ବାପାକୁ ଇଟା, ବାଡ଼ି ଓ ଲୁହା ରଡ୍‌ରେ ପିଟି ମାରିଦେଲା ପୁଅ 

ବାମରା: ଜମି ବିକ୍ରି ଟଙ୍କାକୁ କେନ୍ଦ୍ର କରି ବାପ-ପୁଅ ମଧ୍ୟରେ ମାରପିଟ୍‌। ଏପରିକି ରକ୍ତମୁଖା ପୁଅର ଠେଙ୍ଗା, ଇଟା ଓ ଲୁହା ରଡ୍‌ ମାଡ଼ରେ ବାପାର ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିଲା। ଗୁରୁବାର ଅପରାହ୍‌ଣରେ ଏପରି ହତ୍ୟା ଘଟଣା ଘଟିଛି ଗୋବିନ୍ଦପୁର ଥାନା ଶର୍ଗିଡିହି ଗ୍ରାମରେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ପ୍ରାଥମିକ ତଦନ୍ତ ଆରମ୍ଭ କରିଥିବା ବେଳେ, ଅଭିଯୁକ୍ତ ପୁଅକୁ ଅଟକ ରଖିଛି। ପ୍ରାପ୍ତ ସୂଚନା ଅନୁଯାୟୀ ବାମରା ବ୍ଲକ ବାଉଁଶଲଗା ପଞ୍ଚାୟତ ଶର୍ଗିଡିହି ମଣ୍ଡପପଡ଼ା ଗ୍ରାମର ମୋହନ ପାତ୍ର (୫୦) କିଛିଦିନ ତଳେ ତାଙ୍କ ଭାଗରେ ଥିବା ମାତ୍ର ୧୧ ଡିସିମିଲ ଜମିକୁ ବିକ୍ରି କରି ଟଙ୍କା ପାଖରେ ସାଇତି ରଖିଥିଲେ। ମୋହନଙ୍କ ଏକମାତ୍ର ପୁଅ କରନ ପାତ୍ର(୧୯)  କଟକରେ ରଙ୍ଗ ମିସ୍ତ୍ରି ଭାବେ କାମ କରୁଥିଲେ। ୩/୪ ଦିନ ହେବ ଘରକୁ ଫେରିଥିଲେ। ଇତି ମଧ୍ୟରେ ସେ ସବୁଦିନ ମଦ୍ୟପାନ କରି ବାପା ମୋହନକୁ ଜମି ବିକ୍ରି କରିଥିବା ଟଙ୍କା ମାଗୁଥିଲେ। ଏହାକୁ ନେଇ ଉଭୟ ବାପ ପୁଅଙ୍କ ମଧ୍ୟରେ ପାଟିତୁଣ୍ଡ ଓ ଗଣ୍ଡଗୋଳ ହେଉଥିଲା।

ଗୁରୁବାର ଦିନ ଅପରାହ୍‌ଣ ପ୍ରାୟ ୩ ଟାରେ ସେହିଭଳି ଟଙ୍କା ମଗାକୁ ନେଇ ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଏହା ପରେ କରନ ହଠାତ ବାପା ମୋହନ ଓ ମା’ ତୃତୀୟାଙ୍କୁ ମାରପିଟ ଆରମ୍ଭ କରିଥିଲା। ପରେ ଗଣ୍ଡଗୋଳ ଉଗ୍ର ହୋଇ ଜୀବନରେ ମରିଦେବା ଉଦ୍ୟମ କରି ଗୋଡ଼ାଇଥିଲା। ଏଥିରେ ମା’ ଦୌଡ଼ି ପଳାଇବାରେ ସକ୍ଷମ ହୋଇଥିବାବେ ଳେ,ବାପା ମୋହନଙ୍କୁ କାବୁ କରି ନିର୍ଘାତ ମାଡ଼ ମାରିଥିଲା କରନ। ରକ୍ତମୁଖା ଥିବା ପୁଅ କରନ ଘର ଭିତରେ ଇଟା, ବାଡ଼ି ଓ ଲୁହ ରଡ୍‌ ଯାହା ପାଇଲା ସେଥିରେ ଆକ୍ରମଣ କରିଥିଲା। ଏଥିରେ ମୋହନ ପାତ୍ରଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ଖବରପାଇ ଗୋବିନ୍ଦପୁର ଥାନା ଅଧିକାରୀ ଅଜୟ କୁମାର ଜେନା, ସବ ଇନ୍ସପେକ୍ଟର ଗୋପୀନାଥ ମହାକୁର, ଏଏସ୍ଆଇ ମନୋଜ କୁମାର ନାୟକ ପହଞ୍ଚି ପ୍ରାଥମିକ ତଦନ୍ତ କରିଥିଲେ। ଶବ ବ୍ୟବଚ୍ଛେଦ ପାଇଁ ସ୍ଥାନୀୟ ଗୋବିନ୍ଦପୁର ଡାକ୍ତରଖାନାକୁ ନିଆଯାଇଥିବା ଜଣାପଡ଼ିଛି। ଅଭିଯୁକ୍ତ ପୁଅ କରନକୁ ପୁଲିସ ଅଟକ ରଖି ପଚରାଉଚରା କରୁଥିବା ସୂଚନା ମିଳିଛି। ପ୍ରକାଶ ଯେ ଘଟଣା ପରଠାରୁ ମୃତ ମୋହନଙ୍କ ବୁଢ଼ୀ ମା’ ଭୟଭୀତ ହେବାପରେ କେଉଁ ଆଡ଼େ ଲୁଚି ରହିଥିବା ଗ୍ରାମବାସୀଙ୍କ ସୂତ୍ରରୁ ପ୍ରକାଶ।

ସମ୍ବନ୍ଧିତ ଖବର