ନୂଆପାଟଣା ବିଦ୍ୟୁତ୍‌ ବିଭାଗ କାର୍ଯ୍ୟାଳୟ ପୋଡ଼ି ଘଟଣା

ଏତଲା ଦେଲା ବିଭାଗ, ତଦନ୍ତ ଆରମ୍ଭ

ତିଗିରିଆ: ଗତ ୨୧ ତାରିଖରେ ତିଗିରିଆ ଥାନା ନୂଆପାଟଣା ବିଦ୍ୟୁତ୍‌ ବିଭାଗ କନିଷ୍ଠ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ କେହି ଦୁର୍ବୃତ୍ତ ନିଆଁ ଲଗାଇଦେବା ସହ ଲକର୍‌ ଖୋଲି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଓ ଟଙ୍କା ନେଇଯାଇଥିଲେ। ଘଟଣା ସମ୍ପର୍କରେ ଗତକାଲି ସୁଦ୍ଧା ଥାନାରେ ଅଭିଯୋଗ କରାଯାଇ ନ ଥିଲା। ହେଲେ ଆଜି ‘ସମ୍ବାଦ’ରେ ଏ ନେଇ ଖବର ପ୍ରକାଶ ପରେ ବିଭାଗ ପକ୍ଷରୁ ତିଗିରିଆ ଥାନାରେ ଲିଖିତ ଅଭିଯୋଗ କରାଯାଇଛି। ଏ ନେଇ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ କରାଯାଇଥିବା ଆଇଆଇସି ସୁଚିତ୍ରା ଜେନା ସୂଚନା ଦେଇଛନ୍ତି। ନୂଆପାଟଣା ବିଦ୍ୟୁତ୍‌ ବିଭାଗ କନିଷ୍ଠ ଯନ୍ତ୍ରୀ ମହମ୍ମଦ ଖାଲିଦଙ୍କ ଅଭିଯୋଗ ଅନୁଯାୟୀ, ଗତ ୨୧ ତାରିଖ ରାତି ପ୍ରାୟ ୨ଟା ୪୨ ମିନିଟରେ କର୍ମଚାରୀ ସଦାନନ୍ଦ ନାୟକ କାର୍ଯ୍ୟାଳୟରେ ନିଆଁ ଲାଗିଥିବା ଓ ଲକର୍‌ ଖୋଲା ପଡିଥିବା ସୂଚନା ଦେଇଥିଲେ। ଉକ୍ତ ସମୟରେ କାର୍ଯ୍ୟାଳୟରେ ଉପସ୍ଥିତ ଥିବା କର୍ମଚାରୀ ମନୋରଞ୍ଜନ ମହାପାତ୍ର, ସଞ୍ଜୟ ପରିଡା, ସ୍ୱପ୍ନସିନ୍ଧ ସାମଲ ପ୍ରମୁଖ ନିଆଁକୁ ଆୟତ୍ତ କରିବା ପାଇଁ ଚେଷ୍ଟା କରିଥିଲେ। ନିଆଁ ସମ୍ପର୍କରେ ସୂଚନା ପାଇ କନିଷ୍ଠ ଯନ୍ତ୍ରୀ ଶ୍ରୀ ଖାଲିଦ ଉପରିସ୍ଥ ଅଧିକାରୀଙ୍କୁ ଘଟଣା ସମ୍ପର୍କରେ ଅବଗତ କରାଇଥିଲେ। କେହି ଦୁର୍ବୃତ୍ତ କାର୍ଯ୍ୟାଳୟ ଝରକା ଭାଙ୍ଗି ନିଆଁ ଲଗାଇବାକୁ ଚେଷ୍ଟା କରିଥିବା କର୍ମଚାରୀମାନେ ସୂଚନା ଦେଇଥିଲେ।

ଅନ୍ୟପଟେ ସେହି ଘଟଣା ଦିନ ସକାଳେ କାର୍ଯ୍ୟାଳୟ କ୍ୟାସିୟର କମ୍‌ କଷ୍ଟମରକେୟାର ଅଫିସର ରୁଦ୍ରନାରାୟଣ କୁଣ୍ଡୁ ଅଫିସ ଅର୍ଥ ହେରଫେର କରିବା ଘଟଣାରେ ଉପରିସ୍ଥ ଅଧିକାରୀଙ୍କ ଦ୍ଵାରା ଦୋଷୀ ସାବ୍ୟସ୍ତ ହେବା ସହ ଦୋଷ ସ୍ୱୀକାର କରି ହେରଫେର କରିଥିବା ୪୦ ହଜାର ଟଙ୍କା ଫେରସ୍ତ କରିଥିଲେ। ନିଜ ପାଖରେ ପ୍ରତିଦିନ ଆଦାୟ ହେଉଥିବା ଅର୍ଥ ବାବଦରେ ଥିବା ପ୍ରାୟ ୨ ଲକ୍ଷ ୭୪ ହଜାର ୩୪୩ ଟଙ୍କା ଯଥାଶୀଘ୍ର ଅଫିସ ଆକାଉଣ୍ଟ କିମ୍ବା ବ୍ୟାଙ୍କ ଆକାଉଣ୍ଟରେ ପଇଠ କରିବା ପାଇଁ ଜଣାଇଥିଲେ ବୋଲି କନିଷ୍ଠ ଯନ୍ତ୍ରୀ ଶ୍ରୀ ଖାଲିଦ ଜଣାଇଛନ୍ତି। ଘଟଣା ଦିନ ରାତି ପ୍ରାୟ ୯ଟାରେ ନିଜର ସହଯୋଗୀ ସୁଶାନ୍ତ ହୋତାଙ୍କ ସହ କାର୍ଯ୍ୟାଳୟକୁ ଆସି ପ୍ରାୟ ଅଧ ଘଣ୍ଟା ରହିଥିଲେ। ପରେ ନିଜ ପାଖରେ ରଖୁଥିବା କାର୍ଯ୍ୟାଳୟ ଚାବିକୁ କର୍ମଚାରୀ ସଞ୍ଜୟକୁ ଦେଇଥି‌ଲେ। ଶାରୀରିକ ଅସୁସ୍ଥତା ଆଳ ଦେଖାଇ ଦେଇ ପଳାଇ ଯାଇଥିଲେ। ଏଥିରୁ ରୁଦ୍ରନାରାୟଣ ଅର୍ଥ ହେରଫେର ଘଟଣାରେ ଦୋଷୀ ସାବ୍ୟସ୍ତ ହୋଇଥିବାରୁ ପ୍ରମାଣ ନଷ୍ଟ କରିବା ପାଇଁ କାର୍ଯ୍ୟାଳୟ ପରିସରରେ ନିଆଁ ଲଗାଇ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ପୋଡିବା ସହ କାର୍ଯ୍ୟାଳୟର ଲକର୍‌ ଖୋଲି ସେଥିରୁ ଗୁରୁତ୍ୱପୂର୍ଣ୍ଣ କାଗଜ ପତ୍ର ଓ ଅର୍ଥ ନେଇଯାଇଥିବା ସନ୍ଦେହ ଦୃଢ଼ୀଭୂତ ହେଉଥିବା ନେଇ କନିଷ୍ଠ ଯନ୍ତ୍ରୀ ଶ୍ରୀ ଖାଲିଦ ଥାନାରେ ଅଭିଯୋଗ କରିଛନ୍ତି। ତାଙ୍କ ଅଭିଯୋଗକୁ ଭିତ୍ତି କରି ତିଗିରିଆ ଥାନାରେ ଦଫା ୪୨୦, ୪୦୮, ୪୬୭, ୪୩୬, ୩୪ଆଇପିସିରେ ଏକ ମାମଲା(୧୩୧/୨୨)ରୁଜୁ କରି ତଦନ୍ତ ଆରମ୍ଭ କରାଯାଇଥିବା ଆଇଆଇସି ଶ୍ରୀମତୀ ଜେନା ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର