ଚୁକ୍ତିରୁ ଅଧିକ ବାଲି ଉଠାଇବା ମହଙ୍ଗା ପଡ଼ିଲା, ୪ ବାଲିଘାଟକୁ ୨ କୋଟି ୩୯ ଲକ୍ଷ ଟଙ୍କା ଜରିମାନା

ନିଶ୍ଚିନ୍ତକୋଇଲି: ନିଶ୍ଚିନ୍ତକୋଇଲି ବ୍ଲକ୍‌ ଅଧୀନ ଲୁଣା ଓ ଚିତ୍ରୋତ୍ପଳା ନଦୀରୁ ଚୁକ୍ତି ଠାରୁ ଅଧିକ ବାଲି ଉଠାଇବା ୪ ବାଲିଘାଟ ନିଲାମଧାରୀଙ୍କ ପାଇଁ ମହଙ୍ଗା ପଡ଼ିଛି। ନିଶ୍ଚିନ୍ତକୋଇଲି ତହସିଲ ପକ୍ଷରୁ ୪ ନିଲାମଧାରୀ ୨କୋଟି ୩୯ଲକ୍ଷ ୪୬ହଜାର ୨୫୦ଟଙ୍କା ଜରିମାନା ଦେବା ପାଇଁ ନୋଟିସ୍‌ ଜାରି କରାଯାଇଥିବା ଜଣାପଡ଼ିଛି। ପ୍ରକାଶଥାଉ କି, ଲୁଣା ଓ ଚିତ୍ରୋତ୍ପଳା ନଦୀରୁ ଜନସାଧାରଣଙ୍କୁ ସୁବିଧାରେ ତଥା ସରକାରୀ ଧାର୍ଯ୍ୟ ଦରରେ ବାଲି ପ୍ରଦାନ ପାଇଁ ନିଶ୍ଚିନ୍ତକୋଇଲି ତହସିଲ ପକ୍ଷରୁ ସୈରାତଗୁଡ଼ିକ ନିଲାମ ଦିଆଯାଇଛି। କିନ୍ତୁ, ନିଲାମଧାରୀମାନେ ସୈରାତ୍‌ଗୁଡ଼ିକରୁ ସରକାରଙ୍କ ଧାର୍ଯ୍ୟ ଲକ୍ଷ୍ୟ ଠାରୁ ଅଧିକ ବାଲି ଉଠାଣ କରିଥିଲେ। ଏ ସଂପର୍କରେ ଅଞ୍ଚଳବାସୀ ରାଜ୍ୟ ସରକାର ଓ ରାଜସ୍ବ ବିଭାଗର ଦୃଷ୍ଟି ଆକର୍ଷଣ କରିଥିଲେ। ଏହାପରେ ଜିଓଲୋଜି ଓ ରାଜସ୍ବ ବିଭାଗର ମିଳିତ ଦଳ ବିଭିନ୍ନ ସୈରାତ୍‌ରେ ପହଞ୍ଚି ତଦନ୍ତ କରିଥିଲେ। ତଦନ୍ତ ସମୟରେ ବ୍ୟାପକ ଅନିୟମିତତା ହୋଇଥିବା ଦୃଷ୍ଟିକୁ ଆସିଥିଲା। ଏହି ତହସିଲ ଅଧୀନ ବାଲିଆପଦା ସୈରାତରୁ ୩ ହଜାର ସିଏମ୍‌ ବାଲି ଉଠାଣ ପାଇଁ ସରକାରୀ ନିର୍ଦ୍ଦେଶ ରହିଥିଲା। ଏହାକୁ ଉଲ୍ଲଂଘନ କରି ସୈରାତ ନେଇଥିବା ବ୍ୟକ୍ତି ଅଧିକ ୬ ହଜାର ସିଏମ୍‌ ବାଲି ଉଠାଇଥିଲେ। ସେହିପରି ଦେମାଣ୍ଡୋ ବାଲିଘାଟ ସୈରାତରୁ ୧୫ଶହ ସିଏମ୍ ବାଲି ଉଠାଣ ପାଇଁ ସରକାରୀ ନିର୍ଦ୍ଦେଶ ଥିଲା ବେଳେ ୪ହଜାର ୫୦୦ ସିଏମ୍‌ ବାଲି ଉଠାଣ ହୋଇଥିଲା।

ଏହାଛଡ଼ା ପାଳଦା ବାଲିଘାଟ ସୈରାତରୁ ୨ହଜାର ସିଏମ୍ ବାଲି ଉଠାଣ ପାଇଁ ନିର୍ଦ୍ଦେଶକୁ ଉଲ୍ଲଂଘନ କରାଯାଇ ୪ହଜାର ସିଏମ୍‌ ଏବଂ କୁଳସୁକରପଡ଼ା ବାଲିଘାଟ ସୈରାତରୁ ୧୦ହଜାର ସିଏମ୍‌ ବାଲି ଉଠାଣ ନିର୍ଦ୍ଦେଶ ଥିଲା ବେଳେ ଅଧିକ ୫ହଜାର ସିଏମ୍‌ ବାଲି ଉଠାଣ ହୋଇଥିବା ଜଣାପଡ଼ିଥିଲା। ଏହାକୁ ଆଧାର କରି ରାଜସ୍ବ ବିଭାଗ ପକ୍ଷରୁ ଦେମାଣ୍ଡୋ ଘାଟ ଉପରେ ସର୍ବାଧିକ ୧ କୋଟି ୧୧ ଲକ୍ଷ ୯୫ ହଜାର ୨୦୦ ଟଙ୍କା ଜରିମାନା କରାଯାଇଥିଲା ବେଳେ ବାଲିଆପାଦା ଘାଟ ଉପରେ ୪୭ ଲକ୍ଷ ୭୧ ହଜାର ୩୦୦ ଟଙ୍କା, କୁଳସୁକରପଡ଼ା ଘାଟ ଉପରେ ୫୧ଲକ୍ଷ ୧୯ ହଜାର ୭୫୦ ଟଙ୍କା ଓ ପାଳଦା ଘାଟ ଉପରେ ୨୮ଲକ୍ଷ ୬୦ ହଜାର ଟଙ୍କା ଜରିମାନା କରାଯାଇଥିବା ଜଣାପଡ଼ିଛି। ଉକ୍ତ ୪ ବାଲିଘାଟକୁ ମୋଟ ୨କୋଟି ୩୯ଲକ୍ଷ ୪୬ହଜାର ୨୫୦ଟଙ୍କା ଜରିମାନା ଦେବା ପାଇଁ ଭାରପ୍ରାପ୍ତ ତହସିଲଦାର କର୍ଣ୍ଣଦେବ ସମାଦ୍ଦାର ସମ୍ପୃକ୍ତ ନିଲାମଧାରୀଙ୍କୁ ନୋଟିସ୍‌ ଦେଇଛନ୍ତି। ଆସନ୍ତା ୧୩ତାରିଖ ସୁଦ୍ଧା ଜରିମାନା ନ ଦେଲେ ଘାଟ ବନ୍ଦ କରିଦିଆଯିବ ବୋଲି ଶ୍ରୀ ସମାଦ୍ଦାର ସୂଚନା ଦେଇଛନ୍ତି। ଅପରପକ୍ଷରେ କୁଳସୁକରପଡ଼ା ଘାଟ ବାର୍ଷିକ ଧାର୍ଯ୍ୟ ଲକ୍ଷ୍ୟରୁ ଅଧା ଟଙ୍କା ଜମା କରିଥିବା ଜଣାଯାଇଛି। ସୂଚନାଯୋଗ୍ୟ ଯେ ନିଶ୍ଚିନ୍ତକୋଇଲି ତହସିଲ ଅଧୀନରେ ଥିବା ବାଲିଘାଟଗୁଡ଼ିକ ସରକାରୀ ନିୟମକୁ ଉଲ୍ଲଂଘନ କରି ମନଇଚ୍ଛା ବେଆଇନ ଭାବେ ବାଲି ଉଠାଣ କରୁଛନ୍ତି। ଫଳରେ ରାଜସ୍ବ ବିଭାଗ ଦଳ ନିୟମିତ ବ୍ୟବଧାନରେ ଚଢ଼ଉ ଜାରି ରଖିବାକୁ ସାଧାରଣରେ ଦାବି କରାଯାଇଛି।

ସମ୍ବନ୍ଧିତ ଖବର