ବରୁଣେଇ ପାହାଡ ସଂଲଗ୍ନ ଜଙ୍ଗଲରେ ଲାଗିଲା ନିଆଁ, ଜଳିଗଲା ୫ ହେକ୍ଟର ଅଂଚଳ

ଖୋର୍ଦ୍ଧା: ଖୋର୍ଦ୍ଧା ଉପକଣ୍ଠ ଐତିହାସିକ ବରୁଣେଇ ସଂରକ୍ଷିତ ଜଙ୍ଗଲରେ ନିଆଁ ଲାଗିଥିଲା। ନିଆଁର ପ୍ରଭାବରେ ଜଙ୍ଗଲର ପ୍ରାୟ ୫ ହେକ୍ଟର ଅଂଚଳ ନଷ୍ଟ ହୋଇଥିବା ବେଳେ ଅଗ୍ନିଶମ ଓ ବନ ବିଭାଗର ୩ଟି ଟିମ୍ ଦ୍ୱାରା ନିଆଁକୁ ବର୍ତମାନ ଆୟତ୍ତ କରାଯାଇଛି। ଆଜି ପୂର୍ବାହ୍ଣ ୧୦ଟା ସାଢ଼େ ୧୦ଟା ବେଳେ ବରୁଣେଇ ସଂରକ୍ଷିତ ଜଙ୍ଗଲର ଗଡ଼ ଖୋର୍ଦ୍ଧା ପଟୁ ଜଙ୍ଗଲରୁ ନିଆଁ ଓ ଧୂଆଁ ବାହାରୁଥିବା ଦେଖି ସ୍ଥାନୀୟ ଲୋକ ବନ ବିଭାଗକୁ ଖବର ଦେଇଥିଲେ। ଏହାପରେ ବନ ବିଭାଗ ଓ ଅଗ୍ନିଶମ ବିଭାଗର ୨ଟି ଟିମ୍ ଓ ନିଆଁ ଲିଭା ଟ୍ୟାଙ୍କର ସେଠାରେ ପହଂଚିଥିଲା। ଏହି ସମୟରେ ଜଟଣୀ ଖୋର୍ଦ୍ଧା ତରାବୋଇ ପଟରୁ ମଧ୍ୟ ନିଆଁ ଲାଗିଥିବା ଖବର ମିଳିବା ପରେ ଜଟଣୀ ଅଗ୍ନିଶମ ବିଭାଗର ଏକ ଟିମ୍ ସେଠାରେ ୧୧ଟା ବେଳେ ପହଂଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲା।

ତେବେ ତରାବୋଇ ପଟରୁ ନିଆଁକୁ ଶୀଘ୍ର ଆୟତ୍ତ କରାଯାଇପାରିଥିବା ବେଳେ ପାଣି ନେବା ଓ ରାସ୍ତାର ସମସ୍ୟା ହେତୁ ଗଡ଼ଖୋର୍ଦ୍ଧା ପଟୁ ଲାଗିଥିବା ନିଆଁକୁ ଆୟତ୍ତ କରିବାରେ ବିଳମ୍ବ ହୋଇଥିଲା। ପୂର୍ବାହ୍ଣ ୧୧ଟାରୁ ପ୍ରାୟ ୩ଟା ଯାଏଁ ଅକ୍ଲାନ୍ତ ପରିଶ୍ରମ ପରେ ଗଡ଼ଖୋର୍ଦ୍ଧା ପଟୁ ଲାଗିଥିବା ନିଆଁକୁ ଲିଭାଇବାରେ ଅଗ୍ନିଶମ ବିଭାଗ ସକ୍ଷମ ହୋଇଥିଲା।

ଏନେଇ ଖୋର୍ଦ୍ଧା ଅଗ୍ନିଶମ ବିଭାଗ ଅଧିକାରୀ ଶରତ ଚନ୍ଦ୍ର ମଲ୍ଲିକ କହିଛନ୍ତି। ଗଡ଼ଖୋର୍ଦ୍ଧା ପଟୁ ପ୍ରାୟ ୫୦୦ ମିଟର ଦୀର୍ଘ ଅଂଚଳରେ ନିଆଁ ଲାଗିଥିବା ବେଳେ ତରାବୋଇ ପଟରୁ ମଧ୍ୟ ସମ ଅଂଚଳର ନିଆଁ ଲାଗିଥିଲା। ଏହି ନିଆଁରେ ଲଟାବୁଦା ଆଦି ଜଳିଯାଇଛି। ତେବେ ନିଆଁକୁ ବର୍ତମାନ ସଂପୂର୍ଣ୍ଣ ଆୟତ୍ତ କରାଯାଇଛି।

ସେହିଭଳି ଖୋର୍ଦ୍ଧା ବନାଧିକାରୀ ପୂର୍ଣ୍ଣିମା ପାଣ୍ଡିଆନ୍ କହିଛନ୍ତି ଯେ ମୋଟ ୫ ହେକ୍ଟର ଅଂଚଳରେ ନିଆଁ ଲାଗିଥିଲା। ନିଆଁକୁ ବର୍ତମାନ ଲିଭାଯାଇଛି। ନିଆଁ ବିଶେଷତଃ ଭୂପୃଷ୍ଠରେ ସୀମିତ ଥିଲା କୌଣସି ବଡ଼ଗଛ ନଷ୍ଟ ହୋଇନାହିଁ। ନିଆଁ ଲାଗିବାର କାରଣ ପାଇଁ ତଦନ୍ତ ଆରମ୍ଭ ହୋଇଛି। ଯେଉଁମାନେ ଏଥିପାଇଁ ଦାୟି ସେମାନଙ୍କୁ ଆଇନାନୁସାରେ ଦଣ୍ଡିତ କରାଯିବ।

ସମ୍ବନ୍ଧିତ ଖବର