ଲାଉଗୁଡାରେ ଭୟାବହ ଅଗ୍ନିକାଣ୍ଡ; ମାଟିରେ ମିଶିଗଲା ୯୦ ଛେଳି ଛୁଆ ସମେତ ୭୦ଟି ଧାନ ବସ୍ତା

ଘଟଣାସ୍ଥଳରେ ଜିଲ୍ଲାପାଳ ଓ ଉପ ଜିଲ୍ଲାପାଳ

ଶେରଗଡ଼: ଆଜି ମଧ୍ୟାହ୍ନରେ ଶେରଗଡ଼ ବ୍ଲକ କରଡାକଣା ପଞ୍ଚାୟତ ଲାଉଗୁଡା ଗ୍ରାମରେ ଅଗ୍ନିକାଣ୍ଡ ଘଟିବା ଫଳରେ ଗୁହାଳରେ ଥିବା ୯୦ ଛେଳି ଛୁଆ ସମେତ ୭୦ ବସ୍ତାରୁ ଅଧିକ ଧାନ ଚାଉଳ ନଷ୍ଟ ହୋଇଯାଉଛି। ଏଥିସହିତ ୧୪ଜଣ ଚାଷୀ ପରିବାର ଏହି ଅଗ୍ନିକାଣ୍ଡରେ କ୍ଷତିଗ୍ରସ୍ତ ହୋଇଛନ୍ତି । ଘଟଣାସ୍ଥଳରେ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଏବଂ ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ ପହଞ୍ଚି କ୍ଷତିଗସ୍ତ ପରିବାର ସହ ଆଲୋଚନା କରିଛନ୍ତି ।

ନିଆଁର ପ୍ରକୋପ ଏତେ ଅଧିକ ଥିଲା ଯେ ଗୋଟି ଗୋଟି କରି ୧୪ ଘର ଜଳି ଯାଇଥିଲା। ଏପରି କି ଗୋଟିଏ ସାହିରୁ ଅନ୍ୟ ସାହିକୁ ରାସ୍ତା ପାର ହୋଇ ନିଆଁ ମାଡି ଯାଇଥିଲା। ଚିଞ୍ଚେଇ ଗୌଡ଼ଙ୍କ ଗୁହାଳରେ ଥିବା ୫୦ ଛେଳି ଛୁଆ ସହ ଘରେ ଥିବା ୨୦ ବସ୍ତା ଧାନ ଏବଂ ଗୋଟିଏ ଧାନ ଗଦା, ଟୁନା ଗୌଡ଼ଙ୍କ ଘର ସହ ୨୫ ଗୋଟି ଛେଳି ଛୁଆ, ରାଜୁ ଗୌଡ଼ଙ୍କ ୨୫ ଛେଳି ଛୁଆ ଓ ୧୫ ବସ୍ତା ଧାନ,୧୦ ବସ୍ତା ଚାଉଳ ନଷ୍ଟ ହୋଇଯାଇଛି।

ଏଥିସହିତ ବିପ୍ର ଗୌଡ଼ଙ୍କ ଗୁହାଳ, ଧାନ ଚାଉଳ, ହୀନ ଗୌଡ଼ଙ୍କ ଘର, ଗୁହାଳ, ନିତ୍ୟାନନ୍ଦ ଗୌଡ଼, ସୁଦର୍ଶନ ଗୌଡ଼, ରବୀନ୍ଦ୍ର ଗୌଡ଼, ଜାଗିଲି ଗୌଡ଼, କୈଳାଶ ଗୌଡ଼, କବିତା ଗୌଡ଼, ବିଷ୍ଣୁ ଗୌଡ଼ଙ୍କ ଘର ସହ ନିତ୍ୟବ୍ୟବହାର ସାମଗ୍ରୀ ଜଳି ଯାଇଥିବା ବେଳେ ପାଣ୍ଡଵ ଗୌଡଙ୍କ ଚାଳ ଘର ସହ ୧୦ ବସ୍ତା ଚାଉଳ ଏବଂ ଲଡ଼ୁ କିଶୋର ଗୌଡ଼ଙ୍କ ଗୁହାଳ ଜଳି ଯାଇଛି।

ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ପ୍ରତିନିଧି ଶରତ ଚନ୍ଦ୍ର ମହାପାତ୍ର, ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର କୁମାର ମିଞ୍ଜ,ବିଡ଼ିଓ ସୁରଞ୍ଜନ କୁମାର ସାହୁ, ଅତିରିକ୍ତ ତହସିଲଦାର ଅକ୍ଷୟ କୁମାର ମଲ୍ଲିକ ପ୍ରମୁଖ ଉପସ୍ଥିତ ରହି କ୍ଷତିଗସ୍ତ ପରିବାର ପିଛା ଦଶ ହଜାର ଟଙ୍କା ସାଙ୍ଗକୁ ପଲିଥିନ ବଣ୍ଟନ କରିଥିଲେ । ସହକାରୀ ନିର୍ବାହୀ ଯନ୍ତ୍ରୀ ମହିନ୍ଦ୍ର କୁମାର ଷଢଙ୍ଗୀ, କନିଷ୍ଠ ଯନ୍ତ୍ରୀ ଟି. ରାଜେନ୍ଦ୍ର କୁମାର ପାତ୍ର, ପିଇଓ ଭି. ରବି କୁମାରଙ୍କ ସମେତ ରାଜସ୍ବ ବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରିବା ସହ କ୍ଷୟକ୍ଷତି ଆକଳନ କରିଥିଲେ

ସମ୍ବନ୍ଧିତ ଖବର