ମହିଳାଙ୍କୁ ହତ୍ୟା ଅଭିଯୋଗ, ସ୍ଵାମୀ ଓ ଶାଶୂ ଅଟକ

ଚମ୍ପୁଆ: ମହିଳାଙ୍କୁ ହତ୍ୟା ଅଭିଯୋଗରେ ସ୍ବାମୀ ଓ ଶାଶୂଙ୍କୁ ପୁଲିସ ଅଟକ ରଖିଛି। ଅଭିଯୋଗ ମୁତାବକ ମୟୂରଭଞ୍ଜ ଜିଲ୍ଲା ଘାଗରା ବେଡ଼ା ଥାନା ଅନ୍ତର୍ଗତ ହିନ୍ଦୋଳ ଗ୍ରାମର ଶମ୍ଭୁନାଥ ମହାକୁଡଙ୍କ ଝିଅ ସୀମା ମହାକୁଡଙ୍କୁ ଚମ୍ପୁଆ ଥାନା ଅନ୍ତର୍ଗତ ରାମଚନ୍ଦ୍ରପୁର ଗ୍ରାମର ଶିବଚରଣ ମହାକୁଡଙ୍କ ପୁଅ ରଞ୍ଜିତ ମହାକୁଡ ୨୦୧୭ ମସିହା ଏପ୍ରିଲ୍ ୨୮ ତାରିଖରେ ବୈଦିକ ମତେ ବିବାହ କରିଥିଲେ।

ଆଜି ସକାଳେ ରଞ୍ଜିତ ସୀମାଙ୍କ ଭାଇ ଖଗେଶ୍ବରଙ୍କୁ ସକାଳ ସାଢେ଼ ୯ ଟା ବେଳେ ଭଉଣୀ ଆତ୍ମହତ୍ୟା କରିଥିବା ଖବର ଦେଇଥିଲେ। ଖବର ପାଇ ଖଗେଶ୍ବର ତାଙ୍କ ଘରକୁ ଯାଉଥିବା ବେଳେ ତାଙ୍କୁ ଅପେକ୍ଷା ନ କରି ଅତି ତରବରିଆ ଭାବେ ଏକ ଆମ୍ବୁଲାନ୍ସରେ ଚମ୍ପୁଆ ଡାକ୍ତରଖାନାକୁ ନେଇ ଆସିଥିଲେ। ସେଠାରେ ଡାକ୍ତର ସୀମାଙ୍କର ମୃତ୍ୟୁ ଘଟିଥିବା ଜଣାଇଥିଲେ। ଏହା ଦେଖି ସୀମାଙ୍କ ଭାଇ ଖଗେଶ୍ବର ଚମ୍ପୁଆ ଥାନାରେ ସୀମାଙ୍କୁ ଯୋଜନାବଦ୍ଧ ଭାବରେ ହତ୍ୟା କରାଯାଇଥିବା ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ପୁଲିସ ସୀମାଙ୍କ ମୃତ ଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଘଟଣାରେ ସଂପୃକ୍ତ ସନ୍ଦେହରେ ସ୍ୱାମୀ ଓ ଶାଶୂଙ୍କୁ ପୁଲିସ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି। ସୀମାଙ୍କ ଏକ ୪ ବର୍ଷର ପୁଅ ଅଛି।

ସମ୍ବନ୍ଧିତ ଖବର