ମାଇକ୍ରୋଫାଇନାନ୍ସ କର୍ମଚାରୀଙ୍କ ଠାରୁ ଲୁଟ ଘଟଣା: ୫ ଗିରଫ, ୨ ଫେରାର

୩ ବାଇକ, ୬ ମୋବାଇଲ, ୧୧ ହଜାର ଟଙ୍କା ଜବତ

ଜୁନାଗଡ଼: କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ପୁଲିସ ଏକ ମାଇକ୍ରୋଫାଇନାନ୍ସ କର୍ମଚାରୀଙ୍କୁ ଲୁଟ ଘଟଣାରେ ଆଜି ୫ ଜଣ ଡକାୟତଙ୍କୁ ଗିରଫ କରିଛି। ପୁଲିସ ସେମାନଙ୍କ ଠାରୁ ୩ ବାଇକ, ମୋବାଇଲ ଫୋନ ଓ ନଗଦ ଟଙ୍କା ଜବତ କରିଛି । ଅନ୍ୟ ପକ୍ଷରେ ୨ ଜଣ ଡକାୟତ ଫେରାର ଅଛନ୍ତି ।

ପୁଲିସ ସୂତ୍ରରୁ ପ୍ରକାଶ ଯେ, ଗତ ସେପ୍ଟେମ୍ବର ୨୪ ତାରିଖ ଅପରାହ୍ନ ୪ଟା ସମୟରେ ଆରୋହନ ମାଇକ୍ରୋଫାଇନାନ୍ସର କର୍ମଚାରୀ ରାହୁଲ ନାଗ ଗୋଲାମୁଣ୍ଡା ଥାନା ଅନ୍ତର୍ଗତ ଶଂକ୍ରିପାଲି ଗ୍ରାମରୁ ଋଣ ଦେଇଥିବା ମହିଳାମାନଙ୍କ ଠାରୁ ଋଣ ପରିଶୋଧ ଟଙ୍କା ଆଦାୟ କରି ଫେରୁଥିଲେ । ରାହୁଲ ନାଗ ଜୁନାଗଡ଼ ଥାନା ଅନ୍ତର୍ଗତ ପାଣି ଗାଁ ଜଙ୍ଗଲ ଦେଇ ଆସୁଥିବା ବେଳେ ଏକ ୭ ଜଣିଆ ଡକାୟତ ଗ୍ୟାଙ୍ଗ ତାଙ୍କୁ ଜଙ୍ଗଲ ମଧ୍ୟରେ ଅଟକାଇ ତାଙ୍କ ଠାରୁ ନଗଦ ୩୦ ହଜାର ୪୫୦, ମୋବାଇଲ ଫୋନ, ଟଙ୍କା ରସିଦ୍‌ ବହି ଏବଂ ସେ ବ୍ୟବହାର କରୁଥିବା ବାଜାଜ ପ୍ଲାଟିନା ଗାଡିର ଚାବିକୁ ଛଡାଇ ନେଇଥିଲେ ।

ମାଇକ୍ରୋଫାଇନାନ୍ସ କର୍ମଚାରୀ ଜୁନାଗଡ଼ ଥାନାରେ ଏତଲା ଦେବା ପରେ ଜୁନାଗଡ଼ ଥାନା ଅଧିକାରୀ ଉତ୍ତମ କୁମାର ସାହୁ କେସ ନଂ ୨୬୮/୨୦ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲେ । ତଦନ୍ତ ବେଳେ ପୁଲିସ ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ନାସି ଗାଁର ହେମରାଜ ହରପାଳ ଓରଫ କାଳିଆ(୨୭), ତେନ୍ତୁଳିଖୁଣ୍ଟି ଗ୍ରାମର ସୁବାସ ମଙ୍ଗରାଜ(୩୨), କେଗାଁ ଥାନା ଅନ୍ତର୍ଗତ ବରାମୁଣ୍ଡ ଗ୍ରାମର ଭୁବନେ ବାଗ(୨୮) ଗୋଲାମୁଣ୍ଡା ଥାନା ଅନ୍ତର୍ଗତ ଶଂକ୍ରିପାଲି ଗ୍ରାମର ବେଦ ବାଗ(୩୫), ବଲାଙ୍ଗୀର ଜିଲ୍ଲା ସିନ୍ଧେକେଲା ଥାନା ଅନ୍ତର୍ଗତ ମାମାଇ ଗ୍ରାମର ମନୋଜ ଦୀପ(୨୨)ଙ୍କୁ ପୁଲିସ ଗିରଫ କରିଥିଲା ।

ସେହିଭଳି ପୁଲିସ ପକ୍ଷରୁ ବେଦ ବାଗଙ୍କ ଠାରୁ ୧୮୮୦ ଟଙ୍କା , ମନୋଜ ଦୀପଙ୍କ ଠାରୁ ୧୭୪୦ ଟଙ୍କା , ଭୁବନେ ବାଗଙ୍କ ଠାରୁ ୨୬୯୦ ଟଙ୍କା, ସୁବାସ ମଙ୍ଗରାଜଙ୍କ ଠାରୁ ୨୭୧୦ ଟଙ୍କା, ହେମରାଜ ହରପାଳଙ୍କ ଠାରୁ ୨୦୦୦ ଟଙ୍କା ସମେତ ୧୧ ହଜାର ୨୦ ଟଙ୍କା ଓ ମାଇକ୍ରୋଫାଇନାନ୍ସ କର୍ମଚାରୀଙ୍କ ବାଇକ ଚାବି ଏବଂ ମୋବାଇଲକୁ ଜବତ କରିଛନ୍ତି । ଅନ୍ୟ ପକ୍ଷରେ ଅଭିଯୁକ୍ତମାନେ ବ୍ୟବହାର କରୁଥିବା ୩ ଟି ବାଇକ ୬ ଟି ମୋବାଇଲକୁ ମଧ୍ୟ ପୁଲିସ ଜବତ କରିଛି । ସେହିଭଳି ଏହି ଘଟଣାରେ ସମ୍ପୃକ୍ତ ଥିବା ୨ ଅଭିଯୁକ୍ତ ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ତେନ୍ତୁଳିଖୁଣ୍ଟି ଗ୍ରାମର ରାଜକପୁର ବାଗ ଓ ଜଗନ୍ନାଥ ନାଏକ ଓରଫ ଜଗା ଫେରାର ଅଛନ୍ତି । ଆଜି ୫ ଜଣ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ନେଇ ଥାନା ଅଧିକାରୀ ଉତ୍ତମ କୁମାର ସାହୁ ଏକ ପ୍ରେସ ବିବୃତିରେ ସୂଚନା ଦେଇଛନ୍ତି ।

ସମ୍ବନ୍ଧିତ ଖବର