ଠିକାଦାରଙ୍କୁ ୫୦ ଲକ୍ଷ ଟଙ୍କା ଚାନ୍ଦା ମାଗୁଥିବା ୫ ନକଲି ମାଓବାଦୀ ଗିରଫ

ମାଲକାନଗିରି: ମୋଟୁ ପୁଲିସ ୫ ଜଣ ନକଲି ମାଓବାଦୀକୁ ଗିରଫ କରିବାରେ ସଫଳ ହୋଇଛି। ସାମ୍ବାଦିକ ସମ୍ମିଳନୀରେ ରବିବାର ଏସଡିପିଓ ଏହା ପ୍ରକାଶ କରିଛନ୍ତି। ମୋଟୁ ଥାନା ଅନ୍ତର୍ଗତ ପେଟାଠାସ୍ଥିତ ଏକ ଖଣିର ମାଲିକ ସି. ବେଣୁଗୋପାଳଙ୍କୁ ମାଓବାଦୀ ନାମରେ ଫୋନ କଲ ଆସିଥିଲା। ଏହି ଫୋନ କଲରେ ମୁଁ ମାଓବାଦୀ କହୁଛି, ତୁରନ୍ତ ୫୦ ଲକ୍ଷ ଟଂକା ଦିଅ। ନଚେତ ପେଟା ଠାରେ ରହିଥିବା ସମସ୍ତ କୋଠାଘରକୁ ବୋମା ଲଗାଇ ଉଡାଇ ଦିଆଯିବ । ଏଭଳି ଧମକ ମିଳିବା ପରେ ସପୃକ୍ତ ଠିକାଦାର ଥାନାରେ ଅଭିଯୋଗ କରିଥିଲେ।

ଏତଲା ଅନୁଯାୟୀ ଚଳିତ ମାସ ୫ରୁ ୨୧ ପର୍ଯ୍ୟନ୍ତ ଲଗାତାର ଫୋନ କଲ ଆସୁଥିଲା। ୮୭୬୩୫୦୩୯୮୭ ନମ୍ବରରୁ ବାରମ୍ବାର ମାଓବାଦୀ କହୁଛି ବୋଲି ଖଣି ମାଲିକଙ୍କୁ ଫୋନ ଆସୁଥିଲା। ସେହିପରି ସେହି ଖଣିରେ କାମ କରୁଥିବା ଗଂଗାଧର ରାଓ ନାମକ ଜଣେ କର୍ମଚାରୀଙ୍କୁ ମଧ୍ୟ ନକ୍ସଲ ନାମରେ ଏକ ଫୋନ କଲ ଆସିଥିଲା। ନକଲି ମାଓବାଦୀମାନେ ତୁରନ୍ତ ୫୦ ଲକ୍ଷ ଟଂକା ପ୍ରଦାନ କରାନଗଲେ ତୁମର ମାଲିକଙ୍କୁ ହତ୍ୟା କରାଯିବ ବୋଲି ଧମକ ଦେଇଥିଲେ।

ତେବେ ବାରମ୍ବାର ନକ୍ସଲ ଧମକରେ ଡରିନଯାଇ ବେଣୁଗୋପାଳ ମୋଟୁ ଥାନାରେ ଏତଲା ଦାୟର କରିଥିଲେ। ଏତଲାକୁ ଭିତ୍ତିକରି ଯେଉଁ ଫୋନ କଲରେ ଫୋନ ବାରମ୍ବାର ଆସୁଥିଲା, ତାକୁ ଟ୍ରାକ କରାଯାଇଥିଲା। ମୋଟୁ ଥାନା ଅନ୍ତର୍ଗତ କୋଣ୍ଡାପାଲୀ ଗ୍ରାମର ଏଙ୍କା ସୋନମ ନାମକ ଜଣେ ଯୁବକ ଏହି ଫୋନ କଲ କରୁଥିବା ଜଣାପଡିଥିଲା। ଏଙ୍କାକୁ ପୁଲିସ କାବୁ କରିବା ପରେ ଏହି ଘଟଣାରେ କିଏ କିଏ ସଂପୃକ୍ତ ରହିଥିବା ପୁଲିସ ଏଙ୍କାକୁ ପଚାରିବା ପରେ ଅନ୍ୟ ଚାରି ଜଣଙ୍କ ନାମ ସେ କହିଥିଲା। ସେମାନେ ହେଲେ କମାରଗୁଡା ଗ୍ରାମର ବେଟ୍ଟି ବୋଜି(୩୨), କୋଣ୍ଡାପାଲୀ ଗ୍ରାମର ନାରାୟଣ ମାର୍କା(୨୪), ତେଲେଙ୍ଗାନା ରାଜ୍ୟର କୋଟାଗୁଡମ ଜିଲ୍ଲା ଅନ୍ତର୍ଗତ ଡୁମାଗୁଡମ ଥାନା ଅଂଚଳର କୁଞ୍ଜା ବାଡରାୟା(୩୮) ଏବଂ ଭଦ୍ରାଞ୍ଚଲମର ସୋଡି ଲେନିନ ଅରଫ ରବୀ(୨୯)। ସମସ୍ତ ଅଭିଯୁକ୍ତ ଏହି ଘଟଣାରେ ସଂପୃକ୍ତ ଥିବା ସ୍ୱୀକାର କରିଥିଲେ।

ସମ୍ବନ୍ଧିତ ଖବର