କନ୍ଧମାଳରୁ ଲୋପ ପାଇଯିବ ଶାଳ ଜଙ୍ଗଲ ! ଜାଗା ଅକ୍ତିଆର ପାଇଁ ଅବାଧରେ ଚାଲିଛି ଗଛ କଟା

ଫୁଲବାଣୀ: ପ୍ରକୃତିର ସବୁଜ ବଳୟ ମଧ୍ୟରେ ରହିଥିବା କନ୍ଧମାଳ ଜିଲ୍ଲା ଶାଳ ଜଙ୍ଗଲ ପାଇଁ ନିଜର ଏକ ସ୍ବତନ୍ତ୍ର ପରିଚୟ ତିଆରି କରିପାରିଛି। ଜିଲ୍ଲାବାସୀ ଓ ଦେଶ ଏବଂ ବିଦେଶରୁ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ଏହି ଜଙ୍ଗଲ ମୁଖ୍ୟ ଆକର୍ଷଣର କେନ୍ଦ୍ରବିନ୍ଦୁ।  ହେଲେ କାଠ ମାଫିଆଙ୍କ ପାଇଁ ଶାଳ ଜଙ୍ଗଲ କ୍ରମଶଃ ହ୍ରାସ ପାଇବାରେ ଲାଗିଛି। ଜିଲ୍ଲା ସଦରମହକୁମା ଫୁଲବାଣୀଠାରୁ ମାତ୍ର ୫ କିଲୋମିଟର ଦୁର ରାଣୀଖଣ୍ଡି ସଂରକ୍ଷିତ ଜଙ୍ଗଲରୁ ଶାଳ ଗଛ ସଫା ହେବାକୁ ବସିଲାଣି। ହେଲେ ବନ ବିଭାଗ ପାଖରେ ଏ ନେଇ କୌଣସି ଖବର ନ ରହିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି। ଜାଗା ଅକ୍ତିଆର  ମନଇଚ୍ଛା ଗଛ କଟାଯାଉଛି। ଏହାସହ କାଠ ଘରକୁ ନିଆଯାଉଛି। ଏହାସହ ନିଆଁ ଲଗାଇ ଡାଳ ଓ ପତ୍ରକୁ ପୋଡ଼ୁଛନ୍ତି। ଏଭଳି ଭାବେ ୨୦ ଏକର ଜାଗାରୁ ଶାଳ ଗଛ ସଫା ହୋଇ ସାରିଥିବା ବେଳେ ଆହୁରି ଗଛ କଟା ପାଇଁ ଉଦ୍ୟମ ଚାଲିଛି।

ନୂଆରିପଦର ସାଲୁଙ୍କି ନଦୀରେ ‌ପୋଲ ନଥିବାରୁ ଆଖପାଖ ୧୦ରୁ ୧୫ ଗ୍ରାମବାସୀ ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ। କାଠ ପୋଲରେ ବିପଜ୍ଜନକ ଭାବେ ‌ଅଞ୍ଚଳବାସୀ ଯାତାୟରତ କରୁଥିଲେ। ଏହାକୁ ନେଇ ଜନପ୍ରତନିଧି ଓ ପ୍ରଶାସନକୁ ବହୁବାର ଅବଗତ କରାଯାଇଛି। ଗତ ସାଧାରଣ ନିର୍ବାଚନ ପୂର୍ବରୁ କନ୍ଧମାଳ ଗସ୍ତରେ ଆସିଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୁଆରିପଦର ସାଲୁଙ୍କି ନଦୀରେ ପୋଲ ନିର୍ମାଣ ହେବ ବୋଲି ଘୋଷଣା କରିଥିଲେ। ନିର୍ବାଚନ ପରେ ପୋଲ ନିର୍ମାଣ ପାଇଁ ଗତବର୍ଷ ଶୁଭ ଦିଆଯାଇଛି। ବହୁ ବିଳମ୍ବ ହେଉ ପଛେ ଏବେ ପୋଲ କାମ ଏବେ ଆରମ୍ଭ ହେବାକୁ ଯାଉଛି। ପୋଲ ନିର୍ମାଣ ହେଲେ ଗମନାଗମନ ସୁବିଧା ହେବ। ଆଉ ରାସ୍ତା ଦୁଇ ପାର୍ଶ୍ବରେ ଘର ନିର୍ମାଣ କରିବା ନିମନ୍ତେ ଫୁଲବାଣୀରୁ ନୁଆରିପଦରକୁ ଯିବା ରାସ୍ତା ପାଖରେ ଥିବା ରାଣୀଖଣ୍ଡି ଜଙ୍ଗଲକୁ ଲୋକମାନେ ସଫା କରି ଚାଲିଛନ୍ତି। ମୂଲ୍ୟବାନ ଶାଳ ଗଛକୁ କାଟୁଛନ୍ତି। ବଡ଼ ଗଛଗଣ୍ଡିକୁ ବିକ୍ରି କରି ଦେଉଛନ୍ତି। ଆଉ ସାନଗଣ୍ଡିକୁ ଘରକୁ ନେଇ ଯାଉଛନ୍ତି।

ଜାଗା ସଫା ହେଲେ ଅକ୍ତିଆର କରି ସେଠାରେ ଘର କରିବା ଯୋଜନା ରହିଥିବା କୁହାଯାଉଛି। ପ୍ରାୟତଃ ୨୦ ଏକର ଜଙ୍ଗଲ ସଫା ହେଲାଣି। ବିଭାଗୀୟ କାର୍ଯ୍ୟାନୁଷ୍ଠାନ ନ ହେଲେ ଆହୁରି ବି ଅଧିକ ଜଙ୍ଗଲ ସଫା ହେବା ନିଶ୍ଚିତ ବୋଲି ଜଣାପଡ଼ିଛି। ଗମନାଗମନର ସୁବିଧା ପାଇଁ ପୋଲ ନିର୍ମାଣ ହେଉଛି। ହେଲେ ବ୍ୟକ୍ତିଗତ ସ୍ବାର୍ଥ ନିମନ୍ତେ ପରିବେଶ ନଷ୍ଟ କରିବାକୁ ଯାଇ ମୂଲ୍ୟବାନ ଶାଳ ଜଙ୍ଗଲକୁ ସଫା କରାଯାଉଛି। ଏହାକୁ ‌ନେଇ ପରିବେଶବିତ ଓ ପ୍ରକୃତିପ୍ରେମୀଙ୍କ ମଧ୍ୟରେ ଉଦବେଗ ପ୍ରକାଶ ପାଇଛି।

ଅନ୍ୟପପକ୍ଷରେ କାଠ ମାଫିଆଙ୍କ ଉପରେ କଡ଼ା ନଜର ରଖାଯାଇଛି।  ଜଙ୍ଗଲରେ ନିଆଁ ଲଗାଉଥିବା ଲୋକଙ୍କ ଉପରେ ବି ନଜର ରହୁଛି। ଏନେଇ ନିୟମିତ ଜଙ୍ଗଲରେ ପାଟ୍ରୋଲିଂ ଚାଲିଛି ବୋଲି ବନ ବିଭାଗ କହୁଛି।  ଜିଲ୍ଲା ସଦର ମହକୁମାଠାରୁ ୫ କିଲୋମିଟର ଦୂର ରାଣୀଖଣ୍ଡି ସଂରକ୍ଷିତ ଜଙ୍ଗଲରୁ  ଗଛ ସଫା ହେବାକୁ ବସିବାକୁ ଯାଉଛି। ଏନେଇ ବିଭାଗ ପାଖରେ ଖବର ନଥିବା ‌ବେଳେ  ଜଙ୍ଗଲରେ ପାଟ୍ରୋଲିଂ କିଭଳି ଚାଲିଛି ତାହା ସହଜେ ଅନୁମେୟ। ରାଣୀଖଣ୍ଡି ଶାଳ ଜଙ୍ଗଲର ସୁରକ୍ଷା ପାଇଁ ବନ ବିଭାଗ କେତେ ତତ୍ପରତା ଦେଖାଉଛି ତାହା  ସମୟ କହିବ। କେବଳ ରାଣୀଖଣ୍ଡି ନୁହେଁ। ଏମିତି ଶତାଧିକ ସଂରକ୍ଷିତ ଜଙ୍ଗଲର ଶାଳ ଗଛ ଉପରେ ମାଫିଆ ମାନେ ‌ଲୋଲୁପ ଦୃ୍ଷ୍ଟି ପକାଇଛନ୍ତି।

ସମ୍ବନ୍ଧିତ ଖବର