ଚନ୍ଦନ ବାସ୍ନାରେ ଆଉ ମହକିବନି କୋରାପୁଟ: ଚନ୍ଦନ ବଣ ନିଶ୍ଚିହ୍ନ କରିଦେଲେ ମାଫିଆ

୨ଟି ରେଞ୍ଜରେ ୩୦ହେକ୍ଟର ବଞ୍ଚିଛି

ଜୟପୁର: ଦିନ ଥିଲା ଚନ୍ଦନ ବଣ ଓ ଚନ୍ଦନ କାଠକୁ ନେଇ ଜିଲ୍ଲାର ଖ୍ୟାତି ରହିଥିଲା। ଜଙ୍ଗଲ ମଧ୍ୟକୁ ଗଲେ ଚନ୍ଦନର ବାସ୍ନାରେ ମହକି ଉଠୁଥିଲା। ଏପରିକି ଉପରିସ୍ଥ ସରକାରୀ ଅଧିକାରୀ, ଭୁବନେଶ୍ବରରେ ରହୁଥିବା ସରକାରୀ ବାବୁ, ରାଜନୈତିକ ନେତା ମାନେ କୋରାପୁଟ ଜିଲ୍ଲାର ଚନ୍ଦନ କାଠକୁ ପ୍ରମୁଖ ଉପହାର ମଣୁଥିଲେ। କିଛିବର୍ଷ ହେବ ନିୟମିତ ଭାବେ ଚନ୍ଦନ ମାଫିଆମାନେ ସକ୍ରିୟ ହୋଇ କୋରାପୁଟ ଜିଲ୍ଲାରୁ ଚନ୍ଦନ ବଣକୁ ନିଶ୍ଚିହ୍ନ କରି ଦେଇଛନ୍ତି। ଶହ ଶହ ହେକ୍ଟରରେ ଥିବା ଚନ୍ଦନ ବଣରୁ ଆଜି କେବଳ ୨ଟି ରେଜଞ୍ଜରେ ୩୦ ହେକ୍ଟର ବଂଚିଛି।

କେବଳ ଜୟପୁର ଓ ବୋରିଗୁମ୍ମା ରେଞ୍ଜରେ କିଛି ସ୍ଥାନରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଏହି ଗଛ ରହିଛି। କିଲୋ ପ୍ରତି ୧୦ହଜାରରୁ ଊର୍ଦ୍ଧ୍ବ ଟଙ୍କାରେ ବିକ୍ରି ହେଉଥିବାବେଳେ ଅର୍ନ୍ତାଜାତୀୟ ବଜାରରେ ଏହାର ମୂଲ୍ୟ ବହୁ ଅଧିକ। ହିନ୍ଦୁ ଧର୍ମର ପୂଜା ପାର୍ବଣରେ ଚନ୍ଦନ କାଠର ମହତ୍ବ ଓ ଗୁରୁତ୍ବ ଅଲଗା ରହିଛି। ଏହାର ଚାହିଦା ବି ଅଧିକା। ତେଣୁ କିଛି ଦୁର୍ବୃତ୍ତ ଅତ୍ୟାଧୁନିକ ଯନ୍ତ୍ରପାତି ମାଧ୍ୟମରେ ଏହି ଗଛ କାଟି କୋରାପୁଟ ଜିଲ୍ଲା ନକ୍ସାରୁ ଚନ୍ଦନ ଗଛ ଓ ବଣକୁ ଉଭାନ କରିଦେଇଛନ୍ତି। ଏପରିକି ଗଛ ଠିକ ଭାବେ ବୃଦ୍ଧି ନ ହେଉଣୁ ସାନ ଥିବା ସମୟରେ ହିଁ ଏହି ଦୁର୍ବୃତ୍ତମାନେ କାଟି ନେଉଛନ୍ତି। ଏ କ୍ଷେତ୍ରରେ ଏକ ନିର୍ଦ୍ଦିଷ୍ଟ ଗ୍ୟାଙ୍ଗ କାମ କରୁଛନ୍ତି। ପୂର୍ବରୁ ସବୁ ସରକାରୀ ଅଧିକାରୀଙ୍କ ବାସଭବନ ସହ ବିଚାରପତିମାନଙ୍କ ବାସଭବନ ପରିସରରେ ବହୁ ପରିମାଣର ଚନ୍ଦନ ଗଛ ରହିଥିଲା।

Sambad

ସବୁଠୁ ଗୁରୁତ୍ବର କଥା ହେଲା ପୁଲିସ କିମ୍ବା ବନ ବିଭାଗ ନିକଟରେ ଅଭିଯୋଗ କରିବା ପରେ ବି ସେଭଳି ଆଖି ଦୃଶିଆ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନି। ଜୟପୁର ବନଖଣ୍ଡର ଜୟପୁର ରେଞ୍ଜର ଜୟପୁର-କୋରାପୁଟ ଘାଟି, ରାମଗିରିରୁ ଗୁପ୍ତେଶ୍ବର ଯିବା ରାସ୍ତାରେ ବନବିଭାଗ ପକ୍ଷରୁ ହଜାର ହଜାର ଚନ୍ଦନ ଗଛ ଲଗାଯାଇଥିଲା। ଆଜି ଗଛର ଚିହ୍ନବର୍ଣ୍ଣ ଦେଖିବାକୁ ମିଳୁନି। କିଛିବର୍ଷ ତଳେ ଜୟପୁର ବନଖଣ୍ଡରୁ ପୁରୀ ଶ୍ରୀମନ୍ଦିରକୁ ଏକହଜାର କୁଇଣ୍ଟାଲ ଚନ୍ଦନ କାଠ ଯାଇଥିବା ବେଳେ ବର୍ତ୍ତମାନ ଯଦି ମହାପ୍ରଭୁ ଜଗନ୍ନାଥଙ୍କ ସେବା ପାଇଁ ପୁଣି ମଗାଯାଏ ସେ ପରିମାଣର ଚନ୍ଦନ କାଠ ଦେବା ସମ୍ଭବ ପର ହେବ କି ନାହିଁ ସେ‌ଥିନେଇ ବନବିଭାଗ ସନ୍ଦିହାନ ହୋଇପଡିଛି। ଅନ୍ୟପକ୍ଷରେ ଜୟପୁର ବନଖଣ୍ଡ ପକ୍ଷରୁ ଚନ୍ଦନ ବଣ କରି ପୁରୀ ଶ୍ରୀମନ୍ଦିର ସହ ରାଜ୍ୟର ପ୍ରମୁଖ ମନ୍ଦିରଗୁଡିକୁ ଯୋଗାଇବା ପାଇଁ ଗତ ୩ବର୍ଷ ତଳେ ଯେଉଁ ଲକ୍ଷ୍ୟ ରହିଥିଲା ତାହା ଫସର ଫାଟିଛି। ଜୟପୁର ବନଖଣ୍ଡରେ ଏବେ ଜୟପୁର ଓ ବୋରିଗୁମ୍ମା ରେଞ୍ଜରେ ୩୦ ହେକ୍ଟରରେ ଚନ୍ଦନଗଛ ରହିଛି। ଏସବୁକୁ ସଂରକ୍ଷିତ ଜଙ୍ଗଲ ମଧ୍ୟରେ ବଢ଼ାଯାଉଛି। ରାତି ଅଧିଆ ଚନ୍ଦନକାଠ ଚୋର ମାନେ ଅତ୍ୟାଧୁନିକ ଯନ୍ତ୍ରପାତି ଧରି କାଟି ନେଇ ଯାଉଥିବାରୁ ଅଧିକା ଗଛ କିମ୍ବା ବଡ ବନସୃଷ୍ଟି କରିବା ସମ୍ଭବ ପର ହୋଇ ପାରୁନାହିଁ ବୋଲି କହିଛନ୍ତି ଡିଏଫଓ ଏନଏସଜେପି ସିଂହ ଓ ଏସିଏଫଓ ସୁବାସ ଚନ୍ଦ୍ର ଖୁଣ୍ଟିଆ।

ସମ୍ବନ୍ଧିତ ଖବର