ଗାଁ ଗହଳିରୁ ଆସୁଥିବା ରୋଗୀଙ୍କୁ କରୁଥିଲେ ଶୋଷଣ, ଭଦ୍ରକ ମେଡିକାଲ ପରିସରରୁ ୪ ଦଲାଲ ଗିରଫ

ଭଦ୍ରକ: ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରୁ ଗୁରୁବାର ଟାଉନ ପୁଲିସ ୪ ଜଣ ଦଲାଲଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ପ୍ରଭାତ ସାହୁ, ଅନନ୍ତ ନାୟକ, ବାବାଜୀ ବେହେରା ଓ ହିମାଂଶୁ ନାୟକ। ଏମାନେ ସମସ୍ତେ ଟାଉନ ଥାନା ଅଞ୍ଚଳରେ ବୋଲି ପୁଲିସ ସୂଚନା ଦେଇଛି। ମୋ ସରକାର କାର୍ଯ୍ୟକ୍ରମ ଆରମ୍ଭ ହେବା ପରେ ପୁଲିସ ତତ୍ପରତା ଦେଖାଇ ଏମାନଙ୍କୁ ଗିରଫ କରିଛି ଏବଂ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଯେପରି ଦଲାଲ ଆଉ ରହିବେ ନାହିଁ ସେଥିପାଇଁ ପୁଲିସ ପକ୍ଷରୁ ସ୍ୱତନ୍ତ୍ର ପଦକ୍ଷେପ ନିଆଯିବ ବୋଲି ଏସ.ଡ଼ି.ପିଓ କହିଛନ୍ତି।

ଅଭିଯୁକ୍ତ ଯୁବକମାନେ ଗତ କିଛିଦିନ ହେଲା ଭଦ୍ରକ ଜିଲ୍ଲା ମୁଖ୍ୟଚିକିତ୍ସାଳୟ ପରିସରରେ ଦଲାଲି କାମ କରି ଆସୁଥିଲେ। ଏମାନେ ଗାଁ ଗହଳିରୁ ଆସୁଥିବା ରୋଗୀମାନଙ୍କୁ ମେଡିକାଲ ପରିସରରୁ ନେଇ ବିଭିନ୍ନ ଘରୋଇ ନର୍ସିଂହୋମକୁ ଯିବା ପାଇଁ ପରାମର୍ଶ ଦେଉଥିଲେ। ସେହିପରି ସେମାନେ କିଛି ବଛା ବଛା ଔଷଧ ଦୋକାନରୁ ରୋଗୀମାନଙ୍କୁ ଔଷଧ କିଣିବା ପାଇଁ ପ୍ରରୋଚନା କରୁଥିଲେ।

ଦଲାଲମାନେ ଡାକ୍ତରଙ୍କ ପାଖକୁ ନେବାକୁ ପ୍ରରୋଚନା କରିବା ଭଳି କାମ କରି ବେଶ୍‌ କିଛି ରୋଜଗାର କରୁଥିଲେ।ଏମାନଙ୍କ ଦ୍ଵାରା ଅନେକ ରୋଗୀ ଶୋଷଣର ଶିକାର ହେଉଥିଲେ। ପୁଲିସ ଗତ କିଛଇ ଦିନ ହେଲା ଏମାନଙ୍କ ଗତିବିଧି ଉପରେ ନଜର ରଖିଥିଲା।

ସମ୍ବନ୍ଧିତ ଖବର