ବୃଷଭ ସହ ୪ ଜଣ ଠକଙ୍କୁ ମହାରାଷ୍ଟ୍ରରୁ ଗିରଫ କଲା ମାଲକାନଗିରି ପୁଲିସ

ମାଲକାନଗିରି: ମାଲକାନଗିରି ସଦର ମହକୁମାରେ ଗତ କିଛି ଦିନ ତଳେ ନନ୍ଦୀ(ଷଣ୍ଢ)କୁ ଧରି କିଛି ଠକ ଘୁରି ବୁଲୁଥିଲେ। ଏମାନଙ୍କ ମଧ୍ୟରୁ ୪ ଜଣ ଠକ ମହରାଷ୍ଟ୍ରରୁ ଗିରଫ ହୋଇଛନ୍ତି। ଲୋକଙ୍କ ବିଷୟରେ ପ୍ରଥମେ ସମସ୍ତ ବିଷୟ ସଂଗ୍ରହ କରିବା ପରେ ତାଂକ ଘରକୁ ଯାଇ ମହିଳାମାନଙ୍କୁ ଡରାଇ ପୂଜାର୍ଚ୍ଚନା କରିବା ପାଇଁ କହୁଥିଲେ ଏବଂ ଟଂକା ନେଇ ଫେରାର ହୋଇଯାଉଥିଲେ ଏହି ଠକ ଦଳ। ତେବେ ସ୍ଥାନୀୟ ମହେଶ୍ବରୀ କଲୋନିରେ କିଛି ମହିଳାଙ୍କୁ ଏଭଳି ଠକିବା ପରେ ସ୍ଥାନୀୟ ଲୋକେ ଥାନାରେ ଏତଲା ଦାୟର କରିଥିଲେ।

ଅଭିଯୋଗକୁ ଆଧାର କରି ମାଲକାନଗିରି ପୁଲିସ ଏହାକୁ ଗମ୍ଭିରତାର ସହ ନେଇଥିଲା। ପୁଲିସ ଯେତେବେଳେ ଏହି ଠକମାନଙ୍କ ବିଷୟରେ ଜାଣିଲା, ସେତେବେଳକୁ ସେମାନେ ଓଡିଶାରୁ ଫେରାର ହୋଇଯାଇଥିଲେ। ପୁଲିସ ସେମାନଙ୍କୁ ଧରିବା ପାଇଁ ଏକ ଟିମ ଗଠନ କରି ତେଲେଙ୍ଗାନାରେ ରହିଥିବା ଜାଣିବା ପରେ ସେଠାକୁ ଯାଇଥିଲେ। କିନ୍ତୁ ସେଠାରୁ ମଧ୍ୟ ଏହି ଠକମାନେ ତୁରନ୍ତ ଫେରାର ହୋଇଯାଇଥିଲେ। ପରେ ପୁଲିସ ଖବର ପାଇଥିଲା, ଯେ ମହାରାଷ୍ଟ୍ରର ଗଡଚିନ୍ଦୁର ଅଂଚଳରେ ଏମାନେ ଅଛନ୍ତି। ତୁରନ୍ତ ସେଠାରେ ପହଞ୍ଚି ସେମାନଙ୍କ କାବୁ କରାଯାଇଥିବା ଆଇଆଇସି ରାମ ପ୍ରସାଦ ନାଗ ପ୍ରକାଶ କରିଛନ୍ତି।

ଏହି ଠକମାନେ ନନ୍ଦୀ (ବୃଷଭ)ଙ୍କୁ ଧରି ନନ୍ଦୀ ସବୁ ସତ କହୁଥିବା କହି ମହିଳାମାନଙ୍କୁ ଟାର୍ଗେଟ କରିଥାନ୍ତି। ସେମାନଙ୍କ ବିଷୟରେ ଜାଣିବା ପରେ ସେମାନଙ୍କୁ ବିପତ୍ତି ଥିବା କହି ଡରାଇଥାନ୍ତି। ପରେ ପୂଜାର୍ଚ୍ଚନା କରିବା ବାହାନାରେ ଲକ୍ଷାଧିକ ଟଂକା ନେଇ ଫେରାର ହୋଇଯାଇଥାନ୍ତି। ତେବେ ମାଲକାନଗିରି ପୁଲିସକୁ ଏହି ଠକମାନଙ୍କୁ ଧରିବାରେ ସଫଳତା ମିଳିବା ପରେ ସ୍ଥାନୀୟ ଅଂଚଳରେ ଖୁସିର ଲହରି ଖେଳିଛି। ଷଣ୍ଢକୁ କୌଣସି ଏକ ଗୋଶାଳାରେ ଛଡାଯିବ ବୋଲି କୁହାଯାଇଛି। ଠକମାନଙ୍କ ସହ ଷଣ୍ଢବି ଅଟକ ରହିଥିବା କୁହାଯାଇଛି।

ସମ୍ବନ୍ଧିତ ଖବର