ଅପହୃତ ୪ ବର୍ଷର ଶିଶୁକନ୍ୟାଙ୍କୁ ଖୋଜିଖୋଜି ନାକେଦମ୍ ହେଲେଣି ପରିବାର ଓ ପୁଲିସ

ବାରିପଦା: ଅପହୃତ ୪ ବର୍ଷର ଶିଶୁକନ୍ୟା ଏବେ କେଉଁଠି ? ଝିଅ ସଂଧ୍ୟାରାଣୀକୁ ଖୋଜି ଖୋଜି ନାକେଦମ୍ ହେଲେଣି ପରିବାର ଓ ପୁଲିସ, ହେଲେ ଅପହୃତ ଝିଅର ମିଳୁନି ପତ୍ତା । ଏଭଳି ଏକ ସାଂଘାତିକ ଘଟଣା ସାମ୍ନାକୁ ଆସିଛି ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ଅଞ୍ଚଳରୁ ।

ନିଖୋଜ ହୋଇଯାଇଛି ଉଦଳା ଥାନା ଅନ୍ତର୍ଗତ ବଡଖମଣ ଗାଁର ଭାଗିରଥୀ ପାତ୍ରଙ୍କ ୪ ବର୍ଷର କୁନିଝିଅ ସଂଧ୍ୟାରାଣୀ । ଜଣେ ମହିଳା ଏବଂ ପୁରୁଷ ତାକୁ ଅପହରଣ କରି ନେଇଥିବା ଅଭିଯୋଗ ହୋଇଛି । ଭାଗିରଥୀଙ୍କ ସଂପର୍କୀୟ ଶାଳି ଗେଡି ପାତ୍ର ଏବଂ ସଢୁ ବାଦଲ ସାହୁ ଗତ ୨୫ ତାରିଖରେ ତାଙ୍କ ଘରକୁ ଆସିଥିଲେ । ତା’ପର ଦିନ ଅର୍ଥାତ୍ ୨୬ ତାରିଖରେ ସେମାନେ ସଂଧ୍ୟାରାଣୀକୁ ଗାଁ ନିକଟସ୍ଥ ଛକରେ ଜଳଖିଆ ଖୁଆଇବେ ବୋଲି କହି ଅପହରଣ କରି ନେଇଥିବା ଅଭିଯୋଗ ହୋଇଛି ।

ପରିବାର ପକ୍ଷରୁ ଏନେଇ ଉଦଳା ଥାନାରେ ଲିଖିତ ଅଭିଯୋଗ ହୋଇଛି । ପୁଲିସ ମୟୂରଭଞ୍ଜ ଜିଲ୍ଲା ସମେତ ବାଲେଶ୍ୱର ଏବଂ ଭଦ୍ରକ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଖୋଜଖୋଜି କରୁଛି । କିନ୍ତୁ କୁନି ଝିଅ ନିଖୋଜର ୫ ଦିନ ପରେ ମଧ୍ୟ ପୋଲିସ୍ ଅଭିଯୁକ୍ତଙ୍କ ପାଖରେ ପହଞ୍ଚି ପାରିନାହିଁ, କି ସଂଧ୍ୟାର ପତ୍ତା ମିଳୁନାହିଁ । ପୋଲିସ୍ ଉଭୟଙ୍କୁ ଖୋଜୁଥିଲେ ସୁଦ୍ଧା ତାଙ୍କର କୌଣସି ସୁରାକ ମିଳିପାରିନାହିଁ । ତେବେ ଶିଶୁ କନ୍ୟାକୁ ଅପହରଣ କରିଥିବା ମହିଳା ଏବଂ ପୁରୁଷ ଗଲେ କୁଆଡେ? କେଉଁଠି ଆଉ କେମିତି ଅଛି ୪ ବର୍ଷର ସଂଧ୍ୟାରାଣୀ? ତାହାକୁ ନେଇ ସନ୍ଦେହରେ ଅଛନ୍ତି କୁନିଝିଅର ଦିବ୍ୟାଙ୍ଗ ବାପା ।

ସମ୍ବନ୍ଧିତ ଖବର