ଜେଲ୍‌ରେ ହୋଇଥିଲା ୫ ଲକ୍ଷର ଡିଲ୍‌

ବସ୍‌ରେ ବିଜେଡି ନେତାଙ୍କୁ ଗୁଳିକରି ହତ୍ୟା ମାମଲା

ଆସିକା : ଗତ ୬ ତାରିଖରେ ଗଞ୍ଜାମ ଜିଲ୍ଲା ଆସିକା ଥାନା କରଞ୍ଜେଇ ଛକ ନିକଟରେ ଚଳନ୍ତା ବସ୍‌ରେ ଯୁବ ବିଜେଡି ନେତା ପ୍ରତାପ ଚନ୍ଦ୍ର ପୋଲାଇଙ୍କୁ ଗୁଳି କରି ହତ୍ୟା ଘଟଣାର ରହସ୍ୟ ଖୋଲିଛି ପୁଲିସ। ମଦ ବେପାରକୁ କେନ୍ଦ୍ର କରି ପ୍ରତାପଙ୍କୁ ହତ୍ୟା କରାଯାଇଥିବା ତଦନ୍ତରୁ ଜଣା ପଡ଼ିଛି ବୋଲି ପୁଲିସ କହିଛି। ଏଥିରେ ସଂପୃକ୍ତ ମାଷ୍ଟରମାଇଣ୍ଡ୍‌ ପ୍ରତାପଙ୍କ ଗାଁ ପାକଲାପଲ୍ଲୀର ରବି ନାହାକ ସମେତ କାଳଷଣ୍ଢପୁରର ସମୀର ବିଶ୍ୱାଳ ଏବଂ ବାହାଡ଼ାଗୁଡ଼ାର ନୀଳକଣ୍ଠ ଗୌଡ଼ଙ୍କୁ ଆଜି ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ସମୀର ଜଣେ ବସ୍‌ ହକର୍‌ ଭାବେ କାମ କରୁଥିବା ବେଳେ ନୀଳକଣ୍ଠ ଏକ ଘରୋଇ ବିଦ୍ୟାଳୟର ଶିକ୍ଷକ ବୋଲି ଜଣାପଡ଼ିଛି।

ତେବେ ଏହି ହତ୍ୟାକାଣ୍ଡରେ ସୁଲତାନ୍‌ ଓରଫ ସୁନିଲ ନାୟକ ସମେତ ଏନ୍‌କାଉଣ୍ଟର ପରେ ସୋରଡ଼ା ଜେଲ୍‌ରେ ଥିବା ଲମ୍ବୁ ତାରିଣୀ ଓରଫ ନାରାୟଣ ତାରିଣୀ ଓ ୧୦ରୁ ଅଧିକ ସାମିଲ ଥିବା ଜଣାପଡ଼ିଛି। ସେହିପରି ଦୁଇ ହତ୍ୟାକାରୀଙ୍କ ସମେତ ସହଯୋଗୀ ସାଇଶଙ୍କର ପୋଲାଇ ଫେରାର୍‌ ଥିବା ଜଣାପଡ଼ିଛି। ସୋରଡ଼ା ଜେଲ୍‌ ଭିତରେ ହିଁ ଲମ୍ବୁ ତାରିଣୀ ଦ୍ୱାରା ଏହି ହତ୍ୟାକାଣ୍ଡର ବ୍ଲୁପ୍ରିଣ୍ଟ୍‌ ପ୍ରସ୍ତୁତ କରାଯାଇଥିଲା। ଏଥିପାଇଁ ମୁଖ୍ୟ ଅଭିଯୁକ୍ତ ରବି ଓ ଲମ୍ବୁ ତାରିଣୀ ମଧ୍ୟରେ ୫ ଲକ୍ଷର ଡିଲ୍‌ ହୋଇଥିଲା।

ଆଜି ରାତିରେ ଆସିକା ଥାନାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଆସିକା ଏସ୍‌ଡିପିଓ ସୁବାସ ଚନ୍ଦ୍ର ପଣ୍ଡା ଓ ଥାନା ଅଧିକାରୀ ବାଲେଶ୍ୱର ଗିଧି ସୂଚନା ଦେଇ କହିଛନ୍ତି, ଦେଶୀ ବିଦେଶୀ ମଦ କାରବାରରେ ଭାଗ ବଣ୍ଟାକୁ ନେଇ ରବି ଓ ପ୍ରତାପଙ୍କ ମଧ୍ୟରେ ବିବାଦ ୬ ମାସ ତଳୁ ଆରମ୍ଭ ହୋଇଥିଲା। ତେବେ ଏହା ଅଧିକ ଉଗ୍ରରୂପ ନେବାରୁ ଶେଷରେ ପ୍ରତାପଙ୍କୁ ହତ୍ୟା କରିବାକୁ ରବି ଯୋଜନା କରିଥିଲା। ଏଥିପାଇଁ ସୁଲତାନ୍‌ ସହ ଯୋଗାଯୋଗ କରିଥିଲା। ସେ ସମୟରେ ଜେଲ୍‌ରୁ ଫେରିଥିଲା ସୁଲତାନ୍‌। ଏହା ମଧ୍ୟରେ ପ୍ରତାପଙ୍କୁ ସେ ଦୁଇ ଥର ହତ୍ୟା ଯୋଜନା କରି ବିଫଳ ହୋଇଥିଲା। ଶେଷରେ ପ୍ରତାପଙ୍କୁ ରାସ୍ତାରୁ ହଟାଇବାକୁ ରବି ସୋରଡ଼ା ଜେଲ୍‌ରେ ଥିବା ଦୁର୍ଦ୍ଦାନ୍ତ ଲମ୍ବୁ ତାରିଣୀ ସହ ଫୋନ୍‌ ଯୋଗେ ୫ ଲକ୍ଷ ଟଙ୍କାର ଡିଲ୍‌ କରିଥିଲା। ଲମ୍ବୁ ତାରିଣୀ ତା’ର ଗ୍ୟାଙ୍ଗ୍‌ ସଦସ୍ୟଙ୍କୁ ଯୋଗାଡ଼ କରିଥିଲା। ହତ୍ୟାକୁ ନିଖୁଣ ରୂପ ଦେବାକୁ ୧୦ରୁ ଅଧିକ ଷଡ଼ଯନ୍ତ୍ରକାରୀ ଏବଂ ଇନ୍‌ଫର୍ମର୍‌ ସାମିଲ ଥିଲେ।

ସମ୍ବନ୍ଧିତ ଖବର