ତାରାତାରିଣୀ ପୀଠରେ ଚୈତ୍ର ଯାତ୍ରା ମୁଣ୍ଡନ ବନ୍ଦ, ଦଣ୍ଡଯାତ୍ରା ଉପରେ ଲାଗିଲା ଅଙ୍କୁଶ

କବିସୂର୍ଯ୍ୟନଗର, ଛତ୍ରପୁର ଠାକୁରାଣୀ ଯାତ୍ରା ସ୍ଥଗିତ, ଗୋପାଳପୁର, ସୁନାପୁର ବେଳାଭୂମିରେ ଜନସମାଗମ ନିଷିଦ୍ଧ

ଛତ୍ରପୁର: କରୋନାକୁ ସରକାର ରାଜ୍ୟ ବିପର୍ଯ୍ୟୟ ଭାବେ ଘୋଷଣା କରିବା ପରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ମା’ ତାରାତାରିଣୀଙ୍କ ପୀଠରେ ଚୈତ୍ର ମଙ୍ଗଳବାର ଯାତ୍ରାକୁ ନିରାଡ଼ମ୍ବର ଭାବେ ପାଳନ କରିବାକୁ ନିଷ୍ପତ୍ତି ନେଇଛି। ଯାତ୍ରାର ପୂଜାବିଧି ଯଥାରୀତିରେ ସମ୍ପନ୍ନ ହେବ। ମନ୍ଦିର ସାଜସଜ୍ଜା ମଧ୍ୟ ଠିକ୍‌ ଭାବେ କରାଯିବ। ତେବେ ମୁଣ୍ଡନକୁ ସଂପୂର୍ଣ୍ଣ ଭାବେ ବନ୍ଦ କରାଯିବା ସହ ଭୋଜିଭାତ ଆୟୋଜନ ଉପରେ ଜିଲ୍ଲା ପ୍ରଶାସନ ଅଙ୍କୁଶ ଲଗାଇଛି। କରୋନା ଭୂତାଣୁର ଭୟାବହତାକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ଗ୍ରହଣ କରାଯାଇଥିବା ନେଇ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ସୂଚନା ଦେଇଛନ୍ତି।

ଅନ୍ୟପକ୍ଷରେ ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଦଣ୍ଡଯାତ୍ରା ଆସନ୍ତା ୨୪ ତାରିଖରୁ ଆରମ୍ଭ ହେବାର ଥିଲା। ଦଣ୍ଡଯାତ୍ରାରେ ସହସ୍ରାଧିକ ଲୋକ ଓ ଭୁକ୍ତାଙ୍କ ସମାଗମ ହେଉଥିବାରୁ ଏହାକୁ ମଧ୍ୟ ବନ୍ଦ କରିବା ଲାଗି ପ୍ରଶାସନ ନିର୍ଦ୍ଦେଶ ଜାରି କରିଛି। ଏଥିସହ ଆଗକୁ ହେବାକୁ ଥିବା ଛତ୍ରପୁର ଏବଂ କବିସୂର୍ଯ୍ୟନଗର ଠାକୁରାଣୀ ଯାତ୍ରାକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି।

କରୋନା ମୁକାବିଲା ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନର ଆଜି ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକ ପରେ ଜିଲ୍ଲାପାଳ ଶ୍ରୀ କୁଲାଙ୍ଗେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ଜନସମାଗମ କରୋନା ବ୍ୟାପିବାର ମୁଖ୍ୟ କାରଣ। ଏହାକୁ ଆଖି ଆଗରେ ରଖି ସମସ୍ତ ସମାଗମକୁ ନିଷିଦ୍ଧ କରାଯାଇଛି। ତାରାତାରିଣୀ ପୀଠକୁ ସ୍ବତନ୍ତ୍ର ବସ୍‌ ଓ ଅଟୋ ସେବାକୁ ପ୍ରତ୍ୟାହାର କରିନିଆଯାଇଛି। ମନ୍ଦିର ପୂଜକମାନେ ନିଜର ସୁରକ୍ଷା ପାଇଁ ମୁହଁ‌ରେ କପଡ଼ା ଘୋଡ଼ାଇ ଅଥବା ମାସ୍କ୍ ପିନ୍ଧିବାକୁ ପରାମର୍ଶ ଦିଆଯାଇଛି। ସେହିପରି ଯେଉଁମାନେ ବିଶେଷ କାରଣ ଲାଗି ମନ୍ଦିରକୁ ଯିବେ ସେଠାରେ ସେମାନଙ୍କ ଦେହର ତାପମାତ୍ରା ମାପିବା ପାଇଁ ସ୍ବାସ୍ଥ୍ୟବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ପାହାଡ଼ର ପାଦଦେଶରେ ଏବଂ ଉପରିଭାଗରେ ହାତ ଧୋଇବା ଲାଗି ବ୍ୟବସ୍ଥା କରାଯାଇଛି। ମା’ ତାରାତାରିଣୀ ଚୈତ୍ର ମଙ୍ଗଳବାର ଯାତ୍ରାର ମୁଖ୍ୟ ବିଶେଷତ୍ବ ହେଉଛି ଶ୍ରଦ୍ଧାଳୁମାନେ ସେମାନଙ୍କ ସନ୍ତାନସନ୍ତତିଙ୍କୁ ଏଠାରେ ମୁଣ୍ଡନ କରାଇଥାନ୍ତି। ପ୍ରଶାସନ ମୁଣ୍ଡନ ନୀତିକୁ ବନ୍ଦ କରିଥିବାବେଳେ ଯାତ୍ରା ବି ଏକରକମ୍ ବନ୍ଦ ହୋଇଯାଇଥିବା କୁହାଯାଉଛି।

ଅନ୍ୟପକ୍ଷ‌‌ରେ ସମସ୍ତ ବିବାହ ଓ ବ୍ରତ ଆଦି କାର୍ଯ୍ୟକ୍ରମକୁ ପ୍ରତୀକାତ୍ମକ ଭାବେ ପାଳନ କରିବା ଲାଗି ଜିଲ୍ଲାପାଳ ଅନୁରୋଧ କରିଛନ୍ତି। ଗୋପାଳପୁର ଓ ସୁନାପୁର ବେଳାଭୂମିରେ ପର୍ଯ୍ୟଟକଙ୍କ ସମାଗମକୁ ନିଷିଦ୍ଧ କରାଯାଇଛି। ସ୍ବତନ୍ତ୍ର ବସ୍‌ରେ ଯାତ୍ରୀ ପରିବହନ ଉପରେ ରୋକ୍ ଲଗାଯାଇଛି। ରାଜ୍ୟ ବାହାରୁ ଜିଲ୍ଲାକୁ ଫେରୁଥିବା ଲୋକଙ୍କ ସମ୍ପୂର୍ଣ୍ଣ ବିବରଣୀ ପ୍ରଦାନ କରିବା ଲାଗି ସମସ୍ତ ସରପଞ୍ଚ ଓ ପଞ୍ଚାୟତ ନିର୍ବାହୀ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। କରୋନାକୁ ନେଇ ଉଠୁଥିବା ଗୁଜବକୁ ବିଶ୍ବାସ ନ କରିବା ଓ ସୋସିଆଲ୍ ମିଡ଼ିଆର ବିଭିନ୍ନ ବାର୍ତ୍ତା ଉପରେ ସତର୍କ ରହିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି। ପ୍ରଶାସନ ପକ୍ଷରୁ ଜାରି ନିୟମାବଳୀକୁ ଉଲ୍ଲଂଘନ କଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି। ସେହିପରି ଜନସାଧାରଣଙ୍କ ଲାଗି ୨୪ ଘଣ୍ଟିଆ ଟେଲିଫୋନ ନମ୍ବର ୦୬୮୦-୨୨୨୪୭୯୮, ୯୪୩୯୯-୮୩୯୫୬ ଜାରି କରାଯାଇଛି।

ବୈଠକରେ ତିନି ବିଧାୟକ ସୁବାସ ଚନ୍ଦ୍ର ବେହେରା, ଲତିକା ପ୍ରଧାନ, ସୂର୍ଯ୍ୟମଣି ବୈଦ୍ୟ, ଛତ୍ରପୁର ଏସ୍‌ପି ବ୍ରିଜେଶ କୁମାର ରାଏ, ଅତିରିକ୍ତ ଜିଲ୍ଲାପାଳ କବୀନ୍ଦ୍ର କୁମାର ସାହୁ , ଅମିୟ କୁମାର ସାହୁ, ବ୍ରହ୍ମପୁର ଉପଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ, ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟରଞ୍ଜନ ପୃଷ୍ଟି, ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର କୁମାର ମିଞ୍ଜ, ତାରାତାରିଣୀ ସେବାୟତ ସଂଘର ସଭାପତି ତପନ କୁମାର ରଣା ଓ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର