ନାବାଳିକା ଦୁର୍ଷ୍କମକାରୀକୁ ୧୦ ବର୍ଷ ଜେଲ

ବ୍ରହ୍ମପୁର: ନାବାଳିକା ଦୁଷ୍କର୍ମ ମାମଲାର ବିଚାରଣା କରି ଏଡିଜେ-୨ ତଥା ପୋସ୍‌କୋ କୋର୍ଟ ଜଜ୍ ଦୀପକ କୁମାର ଆବଶ୍ୟକ ସାକ୍ଷ୍ୟ ପ୍ରମାଣ ଥିବା ଯୋଗୁଁ ଅଭିଯୁକ୍ତ ପ୍ରଶାନ୍ତ ବେହେରାଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଅଭିଯୁକ୍ତ ପ୍ରଶାନ୍ତକୁ ୧୦ବର୍ଷ ଜେଲଦଣ୍ଡ ସହିତ ୧୦ ହଜାର ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜରିମାନା ନଦେଲେ ଅଧିକ ୧ ବର୍ଷ ଜେଲଦଣ୍ଡରେ ଦଣ୍ଡିତ କରିବାକୁ ନିର୍ଦ୍ଦେଶ ହୋଇଛି।
ଗତ ୨୦୧୬ ଅକ୍ଟୋବର ମାସରେ ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ଇଲାକାର ଏକ ଗ୍ରାମରେ ଜଣେ ନାବାଳିକା ଘରେ ଏକୁଟିଆ ଥିଲେ। ଏହାର ସୁଯୋଗ ନେଇ ପଡ଼ୋଶୀ ପ୍ରଶାନ୍ତ ତାଙ୍କର ଘରେ ପଶି ନାବାଳିକାଙ୍କ ସହିତ ଦୁଷ୍କର୍ମ କରିଥିଲେ। ଏପରିକି ଘଟଣା ପ୍ରଘଟ ନକରିବାକୁ ପ୍ରଶାନ୍ତ ସମ୍ପୃକ୍ତ ନାବାଳିକାଙ୍କୁ ଧମକ ଚମକ ଦେଇଥିଲା। ପରେ ପରିବାର ବର୍ଗ ଘଟଣା ସମ୍ପର୍କରେ ଜାଣିବା ପରେ ଗ୍ରାମ୍ୟ କମିଟିକୁ ଜଣାଇଥିଲେ। ହେଲେ କୌଣସି ସମାଧାନ ରାସ୍ତା ନବାହାରିବାରୁ ପରିବାର ବର୍ଗ ସୋରଡ଼ା ଥାନାରେ ଅଭିଯୋଗ କରିଥିଲେ। ଏହି ଅଭିଯୋଗ କ୍ରମେ ପୁଲିସ ଅଭିଯୁକ୍ତ ପ୍ରଶାନ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ତତ୍କାଳୀନ ସୋରଡ଼ା ଥାନା ଅଧିକାରୀ ସନ୍ତୋଷ କୁମାର ଜେନା କୋର୍ଟରେ ଚାର୍ଜସିଟ୍‌ ଦାଖଲ କରିଥିଲେ। ଏହି ମାମଲାରେ ୧୩ ଜଣ ସାକ୍ଷୀଙ୍କ ବୟାନ୍ ଗ୍ରହଣ କରାଯାଇଥିଲା। ଉପଯୁକ୍ତ ସାକ୍ଷ୍ୟ ପ୍ରମାଣ ଥିବା ଯୋଗୁଁ କୋର୍ଟ ଅଭିଯୁକ୍ତ ପ୍ରଶାନ୍ତକୁ ୧୦ ବର୍ଷ ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି। ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ପିପି ନାରାୟଣ ପଣ୍ଡା ମକଦ୍ଦମା ପରିଚାଳନା କରିଥିଲେ

ସମ୍ବନ୍ଧିତ ଖବର