ବ୍ରହ୍ମପୁର ରେଳ ଷ୍ଟେସନ୍‌ରେ ଲୋକଙ୍କ ଗହଳି, କରୋନା କଟକଣା ଯୋଗୁଁ ଦିନକୁ ବାତିଲ ହେଉଛି ୫ଶହ ଟିକଟ

ବ୍ରହ୍ମପୁର : କରୋନା କଟକଣା ଯୋଗୁଁ ଆଜି ବ୍ରହ୍ମପୁର ରେଳ ଷ୍ଟେସନ୍‌ରେ ଟ୍ରେନ୍‌ ଟିକଟ ବାତିଲ କରିବା ପାଇଁ ଲୋକଙ୍କ ଗହଳି ଦେଖିବାକୁ ମିଳିଥିଲା। ରେଳ ଷ୍ଟେସନ୍‌ ସଂରକ୍ଷିତ ଟିକଟ ସେବାର ୩ଟି କାଉଣ୍ଟର୍‌ରେ ଅଧିକାଂଶ ଲୋକ ଟିକଟ ବାତିଲ କରିବା ପାଇଁ ଲମ୍ବାଧାଡ଼ିରେ ଛିଡ଼ା ହୋଇଥିଲେ। ଗତ କିଛିଦିନ ହେଲା ଦୈନିକ ପ୍ରାୟ ୪ଶହରୁ ୫ଶହ ପର୍ଯ୍ୟନ୍ତ ଟ୍ରେନ୍‌ ଟିକେଟ ବାତିଲ ହେଉଛି ବୋଲି ବିଭାଗୀୟ ସୂତ୍ରରୁ ପ୍ରକାଶ। ଅତ୍ୟନ୍ତ ଜରୁରି ନହେଲେ କେହି ଟ୍ରେନ୍‌ରେ ଯାତ୍ରା କରୁ ନାହାନ୍ତି। ଆବଶ୍ୟକ ସଚେତନତା ଜରିଆରେ କରୋନା ସଂକ୍ରମଣ ଆଶଙ୍କାରୁ ନିଜକୁ ରକ୍ଷା କରାଯାଇ ପାରିବ ବୋଲି ସଚେତନ କରାଯାଉଛି। ଏମିତିକି ଜନଗହଳିପୂର୍ଣ୍ଣ ସ୍ଥାନକୁ ଯିବା ପାଇଁ ବାରଣ କରାଯାଉଛି। ତେଣୁ ଲୋକମାନେ ଟ୍ରେନ୍‌ରେ ଭିଡ଼ ଭିତରେ ଯାତ୍ରା କରିବାକୁ ଇଚ୍ଛା କରୁ ନାହାନ୍ତି। ଏପରିକି ବିଭିନ୍ନ ସ୍ଥାନକୁ ଯିବା ପାଇଁ ପୂର୍ବରୁ ହୋଇଥିବା କାର୍ଯ୍ୟକ୍ରମକୁ ମଧ୍ୟ ବାତିଲ କରିଛନ୍ତି। ଗତ ପ୍ରାୟ ୫ଦିନ ହେଲା ଲୋକେ ଟ୍ରେନ୍‌ ଯାତ୍ରା ଟିକଟ ବାତିଲ କରିବା ପାଇଁ ବ୍ରହ୍ମପୁର ରେଳ ଷ୍ଟେସନ୍‌ରେ ଭିଡ଼ ଜମାଉଛନ୍ତି। ସାଧାରଣତଃ ଦୈନିକ ପ୍ରାୟ ୧୮୦ରୁ ୨ଶହ ପର୍ଯ୍ୟନ୍ତ ଟିକଟ ବାତିଲ ହେଉଥିବା ବେଳେ କରୋନା ଭୟ ଯୋଗୁଁ ଦୈନିକ ପ୍ରାୟ ୫ଶହ ପର୍ଯ୍ୟନ୍ତ ଟିକଟ ବାତିଲ କରାଯାଉଛି। ‌ସେପଟେ ଆଇଆର୍‌ସିଟିସି ଜରିଆରେ ଅନ୍‌ଲାଇନ୍‌ରେ ହୋଇଥିବା ଟିକଟ୍‌ ବୁକିଂ ମଧ୍ୟ ବାତିଲ ହେଉଛି। ଏହାକୁ ମିଶାଇଲେ ଦୈନିକ ପ୍ରାୟ ୧ହଜାର ପାଖାପାଖି ଟିକଟ ବାତିଲ ହେଉଥିବା ଅନୁମାନ କରାଯାଉଛି। ବ୍ରହ୍ମପୁର ରେଳ ଷ୍ଟେସନ୍‌ରେ ଟ୍ରେନ୍‌ରୁ ଓହ୍ଲାଉଥିବା ଯାତ୍ରୀଙ୍କ ପାଇଁ ସାନିଟାଇଜର୍‌ ବ୍ୟବସ୍ଥା କରାଯାଇଛି। ରେଳ ଷ୍ଟେସନ୍‌ ପରିସର ସଫାସୁତରା ରଖିବା ପାଇଁ ସଫେଇ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। କିଛି କିଛି ସମୟ ବ୍ୟବଧାନରେ ଷ୍ଟେସନ୍‌ ପ୍ଲାଟଫର୍ମ ସଫା କରାଯାଉଛି ବୋଲି ଷ୍ଟେସନ୍‌ ମାଷ୍ଟର୍‌ ଦୁର୍ଗା ପ୍ରସାଦ ବ୍ରହ୍ମା ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର