ବିକ୍ରି ହେବ ଶ୍ରୀଜଗନ୍ନାଥଙ୍କ ଜମି: ଓଡ଼ିଶା ଓ ଓଡ଼ିଶା ବାହାରେ ୩୫ ହଜାର ଏକରରୁ ଅଧିକ ଜମି ବିକ୍ରି ପାଇଁ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ବର: ଶ୍ରୀଜଗନ୍ନାଥଙ୍କ ଜମିକୁ ବିକ୍ରି କରିବାକୁ ଆଇନଗତ ପ୍ରକ୍ରିୟା ଆରମ୍ଭ କରିଛନ୍ତି ରାଜ୍ୟ ସରକାର । ଓଡିଶା ସମେତ ୬ ରାଜ୍ୟରେ ଥିବା ମହାପ୍ରଭୁ ଜଗନ୍ନାଥଙ୍କ ୩୫ ହଜାର ୨୭୨ ଏକର ଜମିକୁ ବିକ୍ରି କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିବା ବିଧାନସଭାରେ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପ୍ରତାପ ଜେନା । ଏଥିମଧ୍ୟରେ ରାଜ୍ୟରେ ୩୪ ହଜାର ୮୭୬ ଏକର ଜମି ରହିଥିବାବେଳେ ଅନ୍ୟ ୬ଟି ରାଜ୍ୟରେ ୩୯୫ ଏକର ଜମି ବିକ୍ରି କରାଯିବ ।

ଜଗନ୍ନାଥଙ୍କ ଜମି ସମ୍ପର୍କରେ କିଛି ତଥ୍ୟ
-ଓଡିଶା ଓ ୬ଟି ରାଜ୍ୟରେ ଜଗନ୍ନାଥଙ୍କ ଜମି ବିକ୍ରି ହେବ
-ଓଡିଶା ସମେତ ୬ ରାଜ୍ୟର ୩୫ ହଜାର ୨୭୨ ଏକର ଜମି ବିକ୍ରି ହେବ
– ରାଜ୍ୟର ୨୪ ଜିଲ୍ଲାରେ ଶ୍ରୀଜଗନ୍ନାଥଙ୍କ ୬୦ ହଜାର ୪୨୬ ଏକରରୁ ଅଧିକ ଜମି ରହିଛି
-ପଶ୍ଚିମବଙ୍ଗରେ ସର୍ବାଧିକ ୩୨୨ ଏକରରୁ ଅଧିକ ଜମି ରହିଥିବା ସୂଚନା
-ମହାରାଷ୍ଟ୍ରରେ ୨୮ ଏକରରୁ ଅଧିକ, ମଧ୍ୟପ୍ରଦେଶରେ ୨୫ ଏକରରୁ ଅଧିକ ଜମି
-ଆନ୍ଧପ୍ରଦେଶରେ ୧୭ ଏକରରୁ ଅଧିକ ଜମି ରହିଥିବା ସୂଚନା
-ଛତିଶଗଡ ଓ ବିହାରରେ ବି ଜଗନ୍ନାଥଙ୍କ ଜମି ରହିଛି
-ଶ୍ରୀଜଗନ୍ନାଥଙ୍କ ୫୮୨ ଏକର ଜମିକୁ ଲିଜ୍ ସୂତ୍ରରେ କାଜୁ ଉନ୍ନୟନ ନିଗମକୁ ଦିଆଯାଇଛି
-ଖୋର୍ଦ୍ଧାର ୧୦ ମୌଜାରେ ରହିଛି ଏହି ଜମି, ବାର୍ଷିକ ୩ ଲକ୍ଷ ଟଙ୍କାର ଆୟ

ଏନେଇ ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଚିଠି ଲେଖିଛନ୍ତି ସରକାର । ବିଜେପି ବିଧାୟକ ମୋହନ ଚରଣ ମାଝିଙ୍କ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ଏହି ସୂଚନା ଦେଇଛନ୍ତି ଆଇନମନ୍ତ୍ରୀ । ତତ୍କାଳୀନ ରାଜ୍ୟପାଳ ବି.ଡି ଶର୍ମାଙ୍କ ଅଧ୍ୟକ୍ଷତାରେ ଗଠିତ କମିଟିର ସୁପାରିସ ଆଧାରରେ ଜମି ବିକ୍ରି ପ୍ରକ୍ରିୟା ଆରମ୍ଭ କରିଛନ୍ତି ସରକାର । ବର୍ତମାନ ସୁଦ୍ଧା ରାଜ୍ୟ ସରକାର ଶ୍ରୀଜଗନ୍ନାଥଙ୍କ ୩୧୫ ଏକରରୁ ଅଧିକ ଜମିକୁ ବିକ୍ରି କରିସାରିଲେଣି । ଏଥି ମଧ୍ୟରେ ରହିଛି କଟକର ଭାରତୀ ମଠ । ବିକ୍ରିରୁ ମିଳିଥିବା ୧୧ କୋଟି ୨୦ ଲକ୍ଷ ଟଙ୍କାକୁ ଶ୍ରୀମନ୍ଦିର କର୍ପସ ଫଣ୍ଡରେ ଜମା କରାଯାଇଛି । ସେପଟେ ଜମି ବିକ୍ରି ପ୍ରକ୍ରିୟା ଆରମ୍ଭ ନେଇ ସେବାୟତ କହିଛନ୍ତି, ସରକାର ଜଗନ୍ନାଥଙ୍କ ଜମି ଉଦ୍ଧାର କରିବା ପାଇଁ ପଦକ୍ଷେପ ନେବା ଦରକାର ।

ସମ୍ବନ୍ଧିତ ଖବର