ଶ୍ରମିକଙ୍କୁ କାମ ନ ମିଳିବାରୁ ପଡ଼ୋଶୀ ରାଜ୍ୟକୁ ଯାଉଛନ୍ତି ଦାଦନ, ପୋଖରୀ ଖନନରେ ଲାଗିଛି ପକଲିନ୍‌

ଫଟୋ ଉଠାଇଲା ବେଳେ ଜଣକୁ ପିଟିଲେ ଜିଆରଏସ, ଥାନାରେ ଏତଲା

ମାଲକାନଗିରି/କୋରକୋଣ୍ଡା: ମାଲକାନଗିରି ଜିଲ୍ଲାରେ କିପରି ଚାଲିଛି ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ତାହା ନଦେଖିଲେ ବିଶ୍ବାସ କରିହେବ ନାହିଁ। ଦୁର୍ଗମ ଅଞ୍ଚଳ ଗୁଡିକରେ ଶ୍ରମିକ ମାନଙ୍କୁ ନଲଗାଇ ବିଭାଗୀୟ ଅଧିକାରୀ ମାନେ ମେସିନ ସାହାଯ୍ୟରେ କାମ କରି କିପରି ଟଙ୍କା ହଡପ କରୁଛନ୍ତି ଏହାର ବହୁ ନଜିର ରହିଛି। ସଦ୍ୟତମ ଘଟଣାକ୍ରମରେ ଜିଲ୍ଲାର କୋରକୋଣ୍ଡା ବ୍ଲକ ଅନ୍ତର୍ଗତ ତୁମସାପାଲୀ ପଞ୍ଚାୟତର କେଟଗୁଡା ଗ୍ରାମରେ ଜଣେ ହିତାଧିକାରୀଙ୍କ ନାମରେ ପୋଖରୀ ମୃତ୍ତିକା ସଂରକ୍ଷଣ ବିଭାଗ ତରଫରୁ ଖୋଲାଯାଉଛି।

ତେବେ ଏହାକୁ ଶ୍ରମିକ ନଲଗାଇ ପକଲିନ ସାହାଯ୍ୟରେ ରାତାରାତି ଖୋଳିବା ପାଇଁ ବିଭାଗୀୟ ଅଧିକାରୀ ମାନେ କିପରି ଚେଷ୍ଟା ଚଳାଇଛନ୍ତି ତାହା ଦେଖିବାକୁ ମିଳିଥିଲା। ପ୍ରାୟ ଏକ ଲକ୍ଷ ଚାଳିଶି ହଜାର ଟଙ୍କାର ଏହି ପୋଖରୀକୁ ଗ୍ରାମର ଶ୍ରମିକ ମାନଙ୍କ ସାହାଯ୍ୟରେ ଖୋଳାଯିବା କଥା କିନ୍ତୁ ମେସିନ ଲଗାଇ ଏହାକୁ ଖନନ କରିବା ପରେ ମାଷ୍ଟର ରୋଲରେ ବିଭିନ୍ନ ଶ୍ରମିକ ମାନଙ୍କ ନାମ ଲେଖି ସେମାନଙ୍କର ବ୍ୟାଙ୍କ ଖାତାକୁ ନିଜ ପାଖରେ ରଖି ବିଭାଗୀୟ ଅଧିକାରୀ ମାନେ କିପରି ଟଙ୍କା ବାଟମାରଣା କରୁଛନ୍ତି ତାହାର ଜ୍ବଳନ୍ତ ଉଦାହରଣ ଏଠାରେ ଦେଖିବାକୁ ମିଳିଛି। ତେବେ ସନ୍ଧ୍ୟା ସମୟରେ ପକଲିନ ଲଗାଇ ବିଭାଗୀୟ ଯନ୍ତ୍ରୀ ଏହି ପଖୋରୀକୁ ଖୋଳୁଥିବା ବେଳେ ସ୍ଥାନୀୟ ମନ ଘାରାମୀ ନାମକ ଜଣେ ବ୍ୟକ୍ତି କାମର ଫଟୋ ଉତ୍ତୋଳନ କରୁଥିବା ସମୟରେ ଜିଆରଏସ ଏବଂ କାମ ନିକଟରେ ଉପସ୍ଥିତ ଥିବା କିଛି ଲୋକ ତାଙ୍କୁ ମାରଧର କରିବା ସହ କାହିଁକି ଫଟୋ ଉଠାଉଛୁ ବୋଲି ପାଟି କରିଥିଲେ।

Sambad

ପରେ ମନରଞ୍ଜନଙ୍କ ବାପାଙ୍କୁ ମଧ୍ୟ ଗାଳିଗୁଲଜ କରିଥିବା ନେଇମନରଞ୍ଜନ ମାଲକାନଗିରି ଥାନାରେ ଏତଲା ଦାୟର କରିଛନ୍ତି। ବିଶେଷକରି ମୃର୍ତ୍ତିକା ସଂରକ୍ଷଣ ବିଭାଗରେ ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ଆରମ୍ଭ କରାଯାଇଥିବା ବୃକ୍ଷରୋପଣ, ପଖୋରୀ ଖନନ ଇତ୍ୟାଦିରେ ବିଭାଗୀୟ ଅଧିକାରୀ ମାନେ ଶ୍ରମିକଙ୍କୁ ନଲଗାଇ କିପରି ମେସିନ ଦ୍ବାରା କାମ କରୁଛନ୍ତି ତାହା ପ୍ରାୟତଃ ପ୍ରତ୍ୟେକ ବ୍ଲକରେ ଦେଖିବାକୁ ମିଳିବ। ତେବେ ଏନେଇ ମୃତ୍ତିକା ସଂରକ୍ଷଣ ବିଭାଗର ସହକାରୀ ଯନ୍ତ୍ରୀ ମହୋନ ବିଶ୍ବାସଙ୍କୁ ପଚାରିବାରୁ ସେନେଇ ଅବଗତ ନଥିବା କହିବା ସହ ସେହି ପଞ୍ଚାୟତର ଯନ୍ତ୍ରୀଙ୍କୁ ଏନେଇ ପଚାରି ବୁଝିବେ ବୋଲି କହିଥିଲେ। ଏହି କାମର ମାଷ୍ଟର ରୋଲରେ କେଉଁ କେଉଁ ଶ୍ରମିକଙ୍କ ନାମ ଉଲ୍ଲେଖ ରହିବ ତାହା ଦେଖିବାକୁ ବାକି ରହିଲା। ବିଭାଗରେ ଚାଲିଥିବା ଏମଜିଏନଆରଜିଏ ଦୁର୍ନୀତିର ଉଚିତ ତଦନ୍ତ କରାଯାଇ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି। ସୂଚନାଯୋଗ୍ୟ, ରାଜ୍ୟରେ ଶ୍ରମିକ ମାନଙ୍କୁ କାମ ମିଳୁ ନଥିବାରୁ ପଡୋଶୀ ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି।

ସମ୍ବନ୍ଧିତ ଖବର