ଅସହାୟ ମା’-ପୁଅଙ୍କ ପାଖରେ କେବେ ପହଞ୍ଚିବ ସରକାରୀ ସହାୟତା?

ନଳି ବିକି ପାଠ ପଢ଼ୁଛି ୧୦ ବର୍ଷର ବାପ ଛେଉଣ୍ଡ ଜ୍ଞାନ

କଟକ: ଗାଁ ଦାଣ୍ଡରେ ବୁଲି ବୁଲି ନଳି ବିକି ପାଠ ପଢୁଛି ୧୦ ବର୍ଷର ପିଲା ଜ୍ଞାନରଂଜନ। ଚତୁର୍ଥ ଶ୍ରେଣୀରେ ପଢୁଥିବା ଜ୍ଞାନରଂଜନର ହାତରେ ଲେଖା ହୋଇଛି ‘ନଳିଵାଲା’। ହାଫ୍‌ ପ୍ୟାଣ୍ଟ ଓ ଗଂଜି ପିନ୍ଧି, ହାତରେ ପଲିଥିନରେ ନଳି ଧରି ଏଠି ସେଠି ବୁଲୁଥିବା ଜ୍ଞାନରଂଜନର ମନରେ ଅସୁମାରି ସ୍ବପ୍ନ ଥିଲେ ବି ପରିସ୍ଥିତି ତାକୁ ଆଣି ଏଭଳି ଢଙ୍ଗରେ ଗାଁ ଦାଣ୍ଡରେ ଛିଡା କରିଛି। ପେଟପାଟଣା ପାଇଁ ମା’ ନଳି ତିଆରି କରି ପ୍ୟାକେଟ ପ୍ରସ୍ତୁତ କରୁଥିବା ବେଳେ ଜ୍ଞାନ ତାହାକୁ ବୁଲିବୁଲି ବିକ୍ରି କରେ। ସେହିଥିରୁ ଯାହା ରୋଜଗାର ହୁଏ, ସେଥିରେ ଚଳନ୍ତି ମା’-ପୁଅ। ୨୦୨୧ ଜାନୁଆରିରେ ବାପାଙ୍କ ମୃତ୍ୟୁ ପରେ ଏବେ ମା’-ପୁଅ ଏକପ୍ରକାର ନିରାଶ୍ରୟ ଅବସ୍ଥାରେ ଦିନ କାଟୁଛନ୍ତି। ବଡମ୍ବା ଗୋପୀନାଥପୁର ଗାଁର ଗୋବିନ୍ଦ ସାହୁ। ପରିବାର କହିଲେ ସ୍ତ୍ରୀ ପୁଷ୍ପଲତା ଓ ୧୦ ବର୍ଷର ପୁଅ ଜ୍ଞାନରଞ୍ଜନ। ହଠାତ୍‌ ବର୍ଷକ ତଳେ ଆରପାରିକୁ ଚାଲିଗଲେ ଗୋବିନ୍ଦ। ଏକାକୀ ହୋଇଗଲେ ମା’-ପୁଅ। ଝାଟିମାଟି ଘରେ କେମିତି ଚଳାଇବେ ପରିବାର ସେହି ଚିନ୍ତାରେ ପଡିଗଲେ ପୁଷ୍ପଲତା। ପୁଅକୁ କେମିତି ମଣିଷ କରିବେ, କଣ କଲେ ତାଙ୍କ ଚୁଲି ଜଳିବ? କିନ୍ତୁ ପ୍ରତିକୂଳ ପରିସ୍ଥିତିରେ ଭାଙ୍ଗି ନପଡି ନଳୀ ବିକିବାକୁ ମନସ୍ଥ କଲେ ପୁଷ୍ପଲତା।

Sambad

ବାଙ୍କୀର ବୈଦେଶ୍ୱର- ଗୋପୀନାଥପୁର ଟି-ସେତୁ ହେବାପରେ ସିଂହନାଥଙ୍କ ପୀଠରେ ପର୍ଯ୍ୟଟକଙ୍କ ଭିଡ ଜମୁଛି। ସେତୁ ଉପରେ ବି ସେଲ୍‌ଫି ପଏଣ୍ଟ ପାଇଁ ଭିଡ ଜମୁଛି। ଫଳରେ ଆଉ ଗାଁ ଗାଁ ବୁଲି ନଳି ନ ବିକି ଏବେ ଜ୍ଞାନ ଏହି ପୀଠରେ ନଳି ବିକ୍ରି କରୁଛି। ହେଲେ ଏବେ ପୁଣି କୋଭିଡ୍‌ କଟକଣା ଉଭୟ ଜ୍ଞାନ ଓ ପୁଷ୍ପଲତାଙ୍କ ଚିନ୍ତା ବଢାଇ ଦେଇଛି। ଏହି ପରିବାର ପାଇଁ ସରକାରୀ ଆବାସ ଯୋଜନା କିନ୍ତୁ ସାତ ସପନ। ଗୋଟିଏ ପଟେ ୧୦ ବର୍ଷର ପିଲା ଜ୍ଞାନର ଭବିଷ୍ୟତ ଆଉ ଅନ୍ୟପଟେ ମା’-ପୁଅଙ୍କ ପେଟପାଟଣା ଆଉ ମୁଣ୍ଡ ଗୁଞ୍ଜିବାର ଚିନ୍ତା। ସରକାର ଅସହାୟ, ଗରିବଙ୍କ ପାଇଁ ବିଭିନ୍ନ ଯୋଜନା କରୁଥିବା ବେଳେ ଏହି ମା’-ପୁଅଙ୍କ ନିକଟରେ ସରକାରୀ ଯୋଜନାର ସୁଫଳ କେବେ ପହଞ୍ଚିବ, ତାହାକୁ ନେଇ ବିଭିନ୍ନ ମହଲରେ ପ୍ରଶ୍ନ ଉଠୁଛି।

ସମ୍ବନ୍ଧିତ ଖବର