ଆଜି ଅନ୍ତର୍ଜାତୀୟ ଦିବ୍ୟାଙ୍ଗ ଦିବସ: ସୁନ୍ଦରଗଡ଼ ଜିଲ୍ଲା ଜନସଂଖ୍ୟାର ୨.୩୬% ଦିବ୍ୟାଙ୍ଗ

ରାଉରକେଲା: ରାତି ପାହିଲେ ଅନ୍ତର୍ଜାତୀୟ ଦିବ୍ୟାଙ୍ଗ ଦିବସ ପାଳନ କରିବ ସମଗ୍ର ଦେଶ। ଏହି କ୍ରମରେ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ମଧ୍ୟ ଯୋଡ଼ି ହୋଇ ରାଉରକେଲା ଓ ସୁନ୍ଦରଗଡ଼ଠାରେ ଏହି ଦିବସ ପାଳନ କରାଯିବ। ଚିରାଚରିତ ଢ଼ଙ୍ଗରେ ଜିଲ୍ଲା ପ୍ରଶାସନ ଦିବ୍ୟାଙ୍ଗମାନଙ୍କ ବିକାଶ ପାଇଁ ନିଆଯାଇଥିବା କାର୍ଯ୍ୟକ୍ରମ, ସେମାନଙ୍କୁ ଦିଆଯାଉଥିବା ବିଭିନ୍ନ ଯୋଜନା ବିଷୟରେ ଉଦ୍‌ବୋଧନ ଦେବେ। ଅପରପକ୍ଷରେ, ଦିବ୍ୟାଙ୍ଗଜନଙ୍କ ବିକାଶ ପାଇଁ ଯେଭଳି ପଦକ୍ଷେପ ନିଆଯିବା କଥା ତାହା ଦେଖିବାକୁ ମିଳୁନଥିବା ଅଭିଯୋଗ ହୁଏ।

୨୦୧୧ ଜନଗଣନା ଅନୁସାରେ ସୁନ୍ଦରଗଡ଼ ଜିଲ୍ଲାରେ ମୋଟ୍‌ ୪୯ ହଜାର ୪୯୭ ଜଣ ଦିବ୍ୟାଙ୍ଗ ଅଛନ୍ତି। ଅର୍ଥାତ୍‌ ଜିଲ୍ଲାର ମୋଟ୍‌ ଜନସଂଖ୍ୟା (୨୦,୯୩,୪୩୭)ର ୨.୩୬% ହେଉଛନ୍ତି ଦିବ୍ୟାଙ୍ଗ। ଦିବ୍ୟାଙ୍ଗମାନଙ୍କର ଗଣନା ଓ ସେମାନଙ୍କ ପାଖରେ ସରକାରୀ ସହାୟତା ପହଞ୍ଚାଇବା ଉଦ୍ଦେଶ୍ୟରେ ୨୦୧୬ ମସିହାରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ୟୁନିକ୍‌ ଡିଜାବିଲିଟି ପରିଚୟ ପତ୍ର(ୟୁଡିଆଇଡି) କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା। ଲକ୍ଷ୍ୟ ଥିଲା, ପ୍ରତ୍ୟେକ ଦିବ୍ୟାଙ୍ଗଙ୍କୁ ପଞ୍ଜିକରଣ କରି ୟୁଡିଆଇଡି ପ୍ରଦାନ କରାଯିବ। ଉକ୍ତ ପରିଚୟ ପତ୍ର ମାଧ୍ୟମରେ ହିତାଧିକାରୀଙ୍କୁ ବିଭିନ୍ନ ଯୋଜନାରେ ସାମିଲ ହେବେ। ଏହି ଯୋଜନା ଲାଗୁ ହେବାକୁ ଇତିମଧ୍ୟରେ ପ୍ରାୟ ୫ ବର୍ଷ ବିତିଲାଣି, କିନ୍ତୁ ଏଯାବତ୍‌ ମାତ୍ର ପାଖାପାଖି ୨୭ ହଜାର ହିତାଧିକାରୀଙ୍କୁ ପରିଚୟ ପତ୍ର ପ୍ରଦାନ କରାଯାଇଛି। ବଳକା ପ୍ରାୟ ୨୩ ହଜାର ହିତାଧିକାରୀଙ୍କୁ କେବେ ସୁଦ୍ଧା ପରିଚୟ ପତ୍ର ମିଳିବ, ତାହା ଅସ୍ପଷ୍ଟ। ପାଖାପାଖି ୩ ହଜାରରୁ ଅଧିକ ଆବେଦନ ପତ୍ର ଖାରଜ ହୋଇଯାଇଛି।

ଦିବ୍ୟାଙ୍ଗଙ୍କ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଏକାଧିକ ଯୋଜନା କାର୍ଯ୍ୟକାରୀ ହେଉଛି। ସେଗୁଡ଼ିକ ହେଲା, ପ୍ରି ଓ ପୋଷ୍ଟ୍‌ ମାଟ୍ରିକ୍‌ ସ୍କଲାର୍‌ସିପ୍‌, ମାଗଣା ଲାପ୍‌ଟପ୍‌ ଓ ଭଏସ୍‌ ରେକର୍ଡର୍‌ ଯୋଗାଣ, ଦିବ୍ୟାଙ୍ଗମାନଙ୍କ ବିବାହ ପାଇଁ ଆର୍ଥିକ ସହାୟତା, ଗମନାଗମନରେ ସ୍ବତନ୍ତ୍ର ରିହାତି, ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ(ବିବିଏସ୍‌ଏ), ଭୀମ ଭୋଇ ସାମର୍ଥ୍ୟ ଶିବିର, ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ପାଇଁ ସ୍ବତନ୍ତ୍ର ସ୍କୁଲ ପ୍ରତିଷ୍ଠା, ଛାତ୍ରଛାତ୍ରୀମାନଙ୍କୁ ସ୍କଲାର୍‌ସିପ୍‌, ବନୀଶ୍ରୀ ଯୋଜନା, ଟ୍ୟୁସନ ଫି’ ଛାଡ଼, ସ୍ବାବଲମ୍ବୀ କରିବାକୁ ମିସନ୍‌ ‘କ୍ଷମତା’, ଭିନ୍ନକ୍ଷମ ମହିଳାଙ୍କ ହଷ୍ଟେଲ ନିର୍ମାଣ ଆଦି ଅନ୍ୟତମ। ଏଯାବତ୍‌ ୨୩,୨୬୦ ଜଣ ହିତାଧିକାରୀ ବିଭିନ୍ନ ଯୋଜନାରେ ଉପକୃତ ହୋଇଛନ୍ତି। ତେବେ ଅନେକ ହିତାଧିକାରୀ ପଞ୍ଜିକୃତ ହୋଇନଥିବା ତଥା ପରିଚୟ ପତ୍ର ପାଇନଥିବାରୁ ସରକାରୀ ସୁବିଧାରୁ ବଞ୍ଚିତ ହେଉଥିବା ପରିଲକ୍ଷିତ ହୁଏ।

ଏ ପର୍ଯ୍ୟନ୍ତ ଇନ୍ଦିରାଗାନ୍ଧୀ ନ୍ୟାସନାଲ ଡିଜାବିଲିଡି ସ୍କିମ୍‌ରେ ମୋଟ୍‌ ୪୦୪୯ ଜଣ ଉପକୃତ ହୋଇଥିବାବେଳେ ମଧୁବାବୁ ପେନସନ ଯୋଜନା(ଓଡିପି)ରେ ୧୧,୩୫୯ ଜଣ, ମଧୁବାବୁ ପେନସନ ଯୋଜନା( ଓଡିପି ୬୦% ଓ ତଦୁର୍ଦ୍ଧ)ରେ ୫୭୯୨ ଜଣ, ବନୀଶ୍ରୀ ଯୋଜନାରେ ୧୪୧୮, ପ୍ରି ମାଟ୍ରିକ୍‌ ସ୍କୋଲାରସିପ୍‌ ଯୋଜନାରେ ୨୫୯, ପୋଷ୍ଟ ମାଟ୍ରିକ୍‌ ସ୍କୋଲାରସିପ୍‌ ଯୋଜନାରେ ୫୭, ଟପ୍‌ ସ୍କୋଲାରସିପ୍‌ ୫ ଜଣ, ଉଚ୍ଚତର ଶିକ୍ଷା ପାଇଁ ସହାୟତା ୩୦ ଜଣ, ସିଏମ୍‌ଆର୍‌ଏଫ୍‌ ୧୮୭ ଜଣ, ଡିଆର୍‌ଆଇ ଲୋନ୍‌ ୧୫, ୫୭ଟି ଦିବ୍ୟାଙ୍ଗ ଏସ୍‌ଏଚ୍‌ଜିଙ୍କୁ ଆର୍ଥିକ ସହାୟତା ଓ ୩୨ ଜଣଙ୍କୁ ବିବାହ ପାଇଁ ସହାୟତା ଦିଆଯାଇଛି। ଏହି ସଂଖ୍ୟାରେ ବୃଦ୍ଧି ଆଣିବା ସହ ପଞ୍ଜିକରଣ ଓ ପରିଚୟ ପତ୍ର ପ୍ରଦାନକୁ ତ୍ବରାନ୍ବିତ କରିବାକୁ ବୁଦ୍ଧିଜୀବୀ ମତ ଦେଇଛନ୍ତି।

ସମ୍ବନ୍ଧିତ ଖବର