ଦୁଇବର୍ଷ ପରେ ଫେରିଲେ ହତ୍ୟା ଅଭିଯୁକ୍ତ ଓ ପରିବାର:ଗାଁରେ ପୂରାଇ ନ ଦେବାକୁ ରାସ୍ତାରୋକ

ଏରସମା: ଏରସମା ବ୍ଲକ ନୂହାଢି ପଞ୍ଚାୟତ ଦଶିପୁର ଗ୍ରାମର ସମିତି ସଭ୍ୟ ରଂଜନ କୁମାର ସ୍ୱାଇଁଙ୍କୁ ଦୁଇବର୍ଷ ତଳେ ଦୁର୍ବୃତ୍ତମାନେ ହତ୍ୟା କରିଥିଲେ। ପୁଲିସ ପକ୍ଷରୁ ସେତେବେଳେ ଅଭିଯୁକ୍ତମାନଙ୍କୁ ଗିରଫ କରାଯାଇ ଜେଲ୍‌ ପଠାଯାଇଥିଲା। ସେମାନେ ଜାମିନ୍‌ରେ ଆସିବା ପରେ ଗ୍ରାମବାସୀମାନେ ଗ୍ରାମକୁ ପୂରାଇ ଦେଇନଥିଲେ। ଦୁଇବର୍ଷ ପରେ ଗତକାଲି ପୁଲିସ ପକ୍ଷରୁ ସେମାନଙ୍କୁ ଗାଁରେ ପୂରାଇବା ପାଇଁ ପୁଲିସ ଗ୍ରାମାବସୀଙ୍କ ସହ ଆଲୋଚନା କରିବାକୁ ଚାହିଥିଲା। ହେଲେ, ଗ୍ରାମବାସୀମାନେ ଏହାର ବିରୋଧ କରିବା ସହ ପୁଲିସକୁ ଗାଁ ଭିତରକୁ ପୂରାଇ ଦେଇନାହାନ୍ତି।

ଏସ୍‌ଡିପିଓ ଶିବଚରଣ ମଲିକ, ଆଇଆଇସି ପ୍ରଶାନ୍ତ କୁମାର ମାଝୀ, ଅତିରିକ୍ତ ତହସିଲଦାର ଦେବାଶିଷ ସାହୁ ଲୋକଙ୍କୁ ବିଝାଶୁଝା କରିଥିଲେ ବି ମହିଳାମାନେ ହତ୍ୟା ଅଭିଯୁକ୍ତମାନଙ୍କୁ ଗ୍ରାମକୁ ପୂରାଇ ନଦେବାକୁ ଅଡ଼ି ବସିଥିଲେ। ଗଣ୍ଡଗୋଳ ଆଶଙ୍କାରେ ଗ୍ରାମରେ ପୁଲିସ ମୂତୟନ କରାଯାଇଛି। ସୂଚନା ଯୋଗ୍ୟ, ଦୁଇବର୍ଷ ତଳେ ରଂଜନ ହତ୍ୟା ମାମଲାରେ ସମ୍ପୃକ୍ତ ଥିବା ଶ୍ୟାମଚନ୍ଦ୍ର ସ୍ୱାଇଁ, ରାମଚନ୍ଦ୍ର ସ୍ୱାଇଁ, ପ୍ରମୋଦ କୁମାର ଦାସ, ଜଗନ୍ନାଥ ସ୍ୱାଇଁ, ଗୈାରହରି ସ୍ୱାଇଁ ଓ ବିଭୂତି ସ୍ୱାଇଁଙ୍କ ପରିବାର ଗ୍ରାମରୁ ଫେରାର ହୋଇଯାଇଥିଲେ। ପୁଲିସ ପରେ ୬ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଗତକାଲିଠାରୁ ଅଭିଯୁକ୍ତମାନେ ପରିବାର ଧରି ଥାନାରେ ବସିଛନ୍ତି।

ସମ୍ବନ୍ଧିତ ଖବର