ନାବାଳିକାକୁ ଅପହରଣ, ଦୁଷ୍କର୍ମ ଅଭିଯୋଗ :ରଫାଦଫା କରିବାକୁ ପୁଲିସ ଚାପ 

ଜିଲ୍ଲାପାଳଙ୍କୁ ଅଭିଯୋଗ

କେନ୍ଦ୍ରାପଡ଼ା: ଝିଅକୁ ଅପହରଣ କରାଯାଇ ଦୁଷ୍କର୍ମ କରାଗଲା। ଥାନାରେ ଅଭିଯୋଗ କରିଥିଲେ ହେଁ ପୁଲିସ ମାମଲା ରୁଜୁ କଲାନାହିଁ। ଏବେ ମାମଲାକୁ ରଫାଦଫା କରିବାକୁ ଚାପ ପକାଉଛି। ପଟ୍ଟାମୁଣ୍ଡାଇ ପୁଲିସ ବିରୋଧରେ ପୀଡ଼ିତାଙ୍କ ପରିବାର ଲୋକେ ଜିଲ୍ଲାପାଳଙ୍କ ଆଗରେ ଏମିତି ଫେରାଦ୍‌ ହୋଇଛନ୍ତି।

ଘଟଣାରୁ ପ୍ରକାଶ ଯେ, ପଟ୍ଟାମୁଣ୍ଡାଇ ଥାନା ବନ୍ତପାଟଣା(ହରିନବାବି) ଅଞ୍ଚଳର ନାବାଳିକାକୁ ତାଙ୍କ ସମ୍ପର୍କୀୟ ରେସୋ ଗ୍ରାମର କୃପାସିନ୍ଧୁ ବାରିକ ଓ ତାଙ୍କ ପତ୍ନୀ ଗତ ମେ’  ୧୮ତାରିଖରେ ୫/୭ଦିନ ପାଇଁ ସେମାନଙ୍କ ଘରକୁ ବୁଲାଇ ନେଇଥିଲେ। କିନ୍ତୁ ୨୮ ତାରିଖରେ ବାପା କୃପାସିନ୍ଧୁଙ୍କ ଘରକୁ ଯାଇଥିବା ବେଳେ ଝିଅକୁ ସେଠାରେ ପାଇ ନ ଥିଲେ। ଝିଅ କେଉଁଆଡ଼େ ପଳାଇ ଯାଇଛି ବୋଲି କୃପାସିନ୍ଧୁ ଓ ତାଙ୍କ ପତ୍ନୀ କହିଥିଲେ। ଏ ସମ୍ପର୍କରେ ଥାନାରେ ଜଣାଇବାକୁ କହିବାରୁ ସେମାନେ ଝିଅର ବାପାଙ୍କୁ ଧମକଚମକ ଦେଇଥିଲେ। ତେବେ ପୀଡ଼ିତାର ମା’ ଏ ନେଇ ପଟ୍ଟାମୁଣ୍ଡାଇ ଥାନାରେ ଅଭିଯୋଗ କରିଥିଲେ । ତେବେ କୃପାସିନ୍ଧୁ ଝିଅକୁ ଆଣି ଥାନାରେ ଛାଡ଼ି ଯାଇଥିବା ଖବରପାଇ ପରିବାର ଲୋକେ ସେଠାରେ ପହଞ୍ଚିବାରୁ ପୁଲିସ ସେମାନଙ୍କୁ ଅଶ୍ଳୀଳ ପ୍ରଶ୍ନ ପଚାରିଥିଲା ବୋଲି ପୀଡ଼ିତାର ପରିବାର ଲୋକେ ଅଭିଯୋଗ କରିଛନ୍ତି। ମାମଲା ରଫାଦଫା କର, ନଚେତ ତୁମେ ଅସୁବିଧାରେ ପଡିବ ବୋଲି ଧମକ ଦିଆଯାଇଥିଲା ବୋଲି ସେମାନେ ଅଭିଯୋଗ କରିଛନ୍ତି। ସେହିପରି ଝିଅକୁ ବେଆଇନ ଭାବେ ଥାନାରେ ୨୪ଘଣ୍ଟାରୁ ଉର୍ଦ୍ଧ୍ୱ ସମୟ ଧରି ରଖାଯାଇଥିଲା ବୋଲି ସେମାନେ ଦର୍ଶାଇଛନ୍ତି।

ଏ ସମ୍ପର୍କରେ ଜିଲ୍ଲା ଶିଶୁ ମଙ୍ଗଳ କମିଟି ଅଧ୍ୟକ୍ଷ ଶିଶିର କୁମାର ରାଉତରାୟ କହିଛନ୍ତି, ରାତିରେ କୈାଣସି ପରିସ୍ଥିତିରେ ନାବାଳିକାକୁ  ରଖିବାର ସରକାରୀ ନିୟମ ନାହିଁ। ନାବାଳିକା ଉଦ୍ଧାର ହେବା ପରେ ତାଙ୍କୁ ସଙ୍ଗେସଙ୍ଗେ ଡାକ୍ତରୀ ପରୀକ୍ଷା କରାଇ କିଶୋର ନ୍ୟାୟ ପରିଷଦରେ ହାଜର କରାଯାଇ କୋର୍ଟଙ୍କ ନିର୍ଦେଶ କ୍ରମେ ଶିଶୁ ଯତ୍ନ ଗୃହକୁ ପଠାଯିବା କଥା । କେନ୍ଦ୍ରାପଡା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ(ମହିଳା ଓ ଶିଶୁ ସୁରକ୍ଷା) ଅରୁଣ କୁମାର ଜେନାଙ୍କୁ ପଚରାଯିବାରୁ,  ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରାଯିବା ଆବଶ୍ୟକ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର