ମହିଳାଙ୍କୁ ହତ୍ୟା ଅଭିଯାଗ, ସ୍ବାମୀ ଅଟକ

ବାଲିକୁଦା: ବାଲିକୁଦା ବ୍ଲକ ବନ୍ଦର ସାମୁଦ୍ରିକ ଥାନା ଅନ୍ତର୍ଗତ ନହରଣା ଗ୍ରାମର ବିନୋଦ ମୁଦୁଲିଙ୍କ ପତ୍ନୀ ସଂଗୀତା ମୁଦୁଲି(୨୫)ଙ୍କ  ସନ୍ଦେହଜନକ ଭାବେ ମୃତ୍ୟୁ ଘଟିଛି। ତାଙ୍କ ଶୋଇବା ଘର ପଙ୍ଖାରୁ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର କରାଯାଇଛି। ଝିଅ ଆତ୍ମହତ୍ୟା କରି ନାହିଁ ବରଂ ତାକୁ ଯୌତୁକ ଶାଶୂ ଘର ଲୋକେ ମାରି ଦେଇଥିବା ବନ୍ଦର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ମୃତା ମହିଳାଙ୍କ ମା’ ରୀନାରାଣି ବେହେରା। ଅଭିଯୋଗକୁ ଭିତ୍ତିକରି ବନ୍ଦର ଥାନା ପୁଲିସ ମହିଳାଙ୍କ ସ୍ବାମୀକୁ ଆଣି ବାଲିକୁଦା ଥାନାରେ ଅଟକ ରଖିଥିବା ଜଣାପଡିଛି। ଏ ବାବଦରେ ବନ୍ଦର ସାମୁଦ୍ରିକ ଥାନାରେ ୪/୧୯ରେ ଯୌତୁକ ଜନିତ ହତ୍ୟା ଅଭିଯୋଗରେ ମାମଲା ରୁଜୁ କରାଯାଇଛି।

ମିଳିଥିବା ସୂଚନା ମୁତାବକ, ତିର୍ତ୍ତୋଲ ଥାନା ଅଧିନ ମେର୍ଦ୍ଧାଳ  ଗାଁର ସ୍ବର୍ଗତ ଦୁର୍ଯ୍ୟୋଧନ ବେହେରାଙ୍କ ଝିଅ ୬ ବର୍ଷ ତଳେ ନହରଣା ଗାଁର ରଥ ମୁଦୁଲିଙ୍କ ପୁଅ ବିନୋଦ ମୁଦୁଲିଙ୍କୁ  ବିବାହ କରିଥିଲେ।  ତାଙ୍କର ଏକ ପୁତ୍ର ସନ୍ତାନ ଜନ୍ମ ହୋଇଥିଲା। ବାପ ଘରୁ ଅଧିକ ଯୌତୁକ ଆଣିବା ପାଇଁ   ଝିଅ ଉପରେ ଶାଶୂ ଘର ଲୋକେ ଚାପ ପକାଉଥିଲେ ବୋଲି ମା’‌ ରୀନ ଅଭିଯୋଗ କରିଛନ୍ତି। ସ୍ତ୍ରୀର ମୃତ୍ୟୁ  ଖବର ପାଇ ଭୁବନେଶ୍ବରର ଏକ ଘରୋଇ ସଂସ୍ଥାରେ ଚାକିରି କରୁଥିବା ସ୍ବାମୀ ବିନୋଦ   ଗାଁକୁ ଆସିଥିବା ବେଳେ ପୁଲିସ ତାଙ୍କୁ ସେଠାରୁ ଧରି ନେଇ ଥାନାରେ ଅଟକ ରଖିଛି। ଅନ୍ୟ ପକ୍ଷରେ ଖବର ପାଇ ବାଲିକୁଦା ତହସିଲଦାର ଦିପ୍ତୀରେଖା ପାତ୍ର ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି। ଘଟଣାସ୍ଥଳରୁ ଏକ ଚିଠି ଜବତ କରାଯାଇଛି। ଏଥିରେ ସଂଗୀତା ‘ମୋ ଶବକୁ ମୋ ବାପାଙ୍କ ଶବ ନିକଟରେ ପୋଡିବ’ ବୋଲି  ଲେଖିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର