ଝରାଫୁଲଙ୍କ ମୃତ୍ୟୁ ରହସ୍ୟ ଉପରୁ ପରଦା ଉଠିଲା, ମାତ୍ର ୩୦ ହଜାର ଟଙ୍କା ପାଇଁ ଚାଲିଗଲା ଜୀବନ

ଯାଜପୁର: ବହୁ ଚର୍ଚ୍ଚିତ ରମାଦେବୀ ଛାତ୍ରୀ ଝରାଫୁଲଙ୍କୁ ହତ୍ୟା କରିଥିଲା ବନ୍ଧୁ ରାକେଶ । ଝରାଫୁଲ ମୃତ୍ୟୁ ରହସ୍ୟ ଉପରୁ ପରଦା ହଟାଇ ଯାଜପୁର ଏସପି କହିଛନ୍ତି ତାଙ୍କ ନାକ ଓ ପାଟିକୁ ବନ୍ଦ କରି ହତ୍ୟା କରିଥିଲା ରାକେଶ । କରଜ ଟଙ୍କା ଫେରାଇବା ପାଇଁ ଝରାଫୁଲ କହିବାରୁ ତାକୁ ହତ୍ୟା କରିବା ପାଇଁ ଷଡ଼ଯନ୍ତ୍ର ରଚିଥିଲା ଏହି ସଇତାନ ।

ତାପରେ ଏକ ଜନ୍ମଦିନ ଭୋଜିରେ ଭୁବନେଶ୍ୱର ଆସିଥିବା ବେଳେ ଟଙ୍କା ଫେରାଇବାକୁ ମିଛ ପ୍ରତିଶ୍ରୁତି ଦେଇ ଓୟୋ ରୁମରେ ଅପେକ୍ଷା କରିବାକୁ କହିଥିଲା । ଆଉ ତାପରେ ଯୋଜନା ଅନୁଯାୟୀ ମଦ ପିଇବାକୁ ବାଧ୍ୟ କରିଥିଲା । ଏହି ସମୟରେ ଝରାଫୁଲଙ୍କ ନାକ ଓ ପାଟିକୁ ବନ୍ଦ କରି ହତ୍ୟା କରିଥିଲା । ସେ ଏକା ମାରିଥିଲା । କିନ୍ତୁ ମାରିବା ପରେ ମୃତଦେହକୁ ଲୁଚାଇବା ପାଇଁ ଷଡ଼ଯନ୍ତ୍ରରେ ତାକୁ ଆଉ ଦୁଇ ଜଣ ସହଯୋଗ କରିଥିଲେ। ଜଣେ ସ୍କୁଟିରେ ଝରାଫୁଲଙ୍କ ମୃତଦେହ ନେବାରେ ସହଯୋଗ କରିଥିଲା । ତାକୁ ଆଜି ଗିରଫ କରାଯାଇଛି । ଏହା ପୂର୍ବରୁ ୨ ଅଭିଯୁକ୍ତ ଗିରଫ ହୋଇଥିଲେ ।

ଜାନୁଆରୀ ୨୬ ତାରିଖ ରାତିରେ ଭୁବନେଶ୍ୱରର ଏକ ଗେଷ୍ଟହାଉସର ଝରାଫୁଲଙ୍କର ମୃତ୍ୟୁ ହୋଇଥିଲା । ତାପରଦିନ ସକାଳୁ ଝରାଫୁଲଙ୍କ ମୃତଦେହକୁ ଏକ ସ୍କୁଟିରେ ପ୍ରେମିକ ରାକେଶ ଓ ଶେଖର ଯାଜପୁର କୁଆଖିଆ ପର୍ଯ୍ୟନ୍ତ ନେଇଥିଲେ । ସେଠାରେ ଏକ ନିଛାଟିଆ ସ୍ଥାନ ଦେଖି ମୃତଦେହକୁ ଫୋପାଡ଼ି ଦେଇ ଚାଲି ଆସିଥିଲେ । ଏନେଇ ମୃତକଙ୍କ ପରିବାର ପକ୍ଷରୁ ଅଭିଯୋଗ ହେବା ପରେ ସିସିଟିଭି ଫୁଟେଜକୁ ଆଧାର କରି ରାକେଶକୁ ଜେରା କରିଥିଲା ପୁଲିସ । ପରେ ତାକୁ ଓ ଅନ୍ୟ ଜଣଙ୍କୁ ପୁଲିସ୍‌ ଗିରଫ କରିଥିଲା । ଏନେଇ ଖୁବଶୀଘ୍ର ଚାର୍ଜସିଟ୍ ଦାଖଲ କରାଯିବ ବୋଲି ଏସପି କହିଛନ୍ତି ।

ସମ୍ବନ୍ଧିତ ଖବର