ଝାରସୁଗୁଡା: ସ୍ଥାନୀୟ ମଙ୍ଗଲବଜାର ଠାରେ ଥିବା ଜିଲ୍ଲା ମୁଖ୍ୟ ଚିକତ୍ସାଳୟର ପୁରୁଣା କୋଠାରେ ପୂର୍ବପରି ୨୪ ଘଣ୍ଟା ସ୍ୱାସ୍ଥ୍ୟସେବା ଯୋଗାଇ ଦେବାକୁ ଦାବି କରି ଜୟ ଭୀମ ଘାସି ସମାଜ ପକ୍ଷରୁ ଶନିବାର ଦିଆଯାଇଥିବା ୧୨ ଘଣ୍ଟିଆ ବନ୍ଦ ଶାନ୍ତିପୂର୍ଣ୍ଣ ଭାବରେ ସଂପୂର୍ଣ୍ଣ ହୋଇଛି। ଜୟ ଭୀମ ଘାସି ସମାଜର ସଭାପତି ଉମେଶ ବେହେରାଙ୍କ ନେତୃତ୍ୱରେ ଶତାଧିକ ପୁରୁଷ ଓ ମହିଳା ଆନ୍ଦୋଳନକୁ ଓହ୍ଲାଇ ଆଜି ସକାଳ ୬ ଟାରୁ ସହରର ବସଷ୍ଟାଣ୍ଡ, ବେହେରାମାଲ, ବମ୍ବେ ଛକ, ବିଟିଏମ୍ ବାଇପାସ, ବେଇମୁଣ୍ଡା ଛକ, ଷ୍ଟେସନ ଛକକୁ ଅବରୋଧ କରି ରଖିଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ଆନ୍ଦୋଳନକାରୀ ମାନେ ରାସ୍ତାରେ ରସି ଟାଣି ଓ ଟାୟାର ଜଳାଇ ରାସ୍ତା ଅବରୋଧ କରିଥିଲେ। ସାମଜିକ ସଂଗଠନ ଶୁକ୍ରବାର ଏହି ବନ୍ଦକୁ ବିରୋଧ କରିଥିବାରୁ ଉତ୍ତେଜନା ପ୍ରକାଶ ପାଇବା ଆଶଙ୍କାରେ ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ଏସ୍ପି ଅଶ୍ୱିନୀ ମହାନ୍ତିଙ୍କ ନିର୍ଦ୍ଦେଶରେ ଅତିରିକ୍ତ ଏସ୍ପି ସୁଶୀଳ ପାଣିଗ୍ରାହୀ, ଏସ୍ଡ଼ିପିଓ କୈଲାଶ ଆଚାର୍ଯ୍ୟଙ୍କ ନେତୃତ୍ୱରେ ଝାରସୁଗୁଡ଼ା ଓ ବଡ଼ମାଳ ଥାନା ଅଧିକାରୀଙ୍କ ସମେତ ୫ ପ୍ଲାଟୁନରୁ ଅଧିକ ପୁଲିସ ଫୋର୍ସ ମୁତୟନ କରାଯାଇଥିଲା।
ପୁଲିସ ରାସ୍ତା ଅବରୋଧ ହଟାଇବା ପାଇଁ ଶତାଧିକ ଆନ୍ଦୋଳନକାରୀଙ୍କୁ ଉଠାଇ ନେଇଥିଲା। ଘାସି ସମାଜର ଆହ୍ଵାନରେ ଗତ ଏକ ସପ୍ତାହ ଧରି ଆନ୍ଦୋଳନାତ୍ମକ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏହି ଆନ୍ଦୋଳନରେ ସହରର ସମସ୍ତ ସଫେଇ କର୍ମଚାରୀ ସାମିଲ ହୋଇଥିବାରୁ ଗତ ଏକ ସପ୍ତାହ ଧରି ସହର ଓ ହସପିଟାଲ ସଫା ହୋଇ ପାରିନାହିଁ। ସରକାର ନୂଆଁ ହସପିଟାଲ ନାମରେ ଏକ ୬ ମହଲା କୋଠା କରି ଦେଇଥିବା ବେଳେ ରୋଗୀଙ୍କ ସୁବିଧା ପାଇଁ କେଣସି ବ୍ୟବସ୍ଥା କରିନଥିବା, ଡାକ୍ତର ମାନେ ଚିକତ୍ସାରେ ଅବହେଳା କରୁଥିବା, ନୂତନ ହସପିଟାଲକୁ ଯିବା ପାଇଁ ଥିବା ରାସ୍ତାରେ ହଜାର ହଜାର ଟ୍ରକ୍ ଯାତାୟତ କରୁଥିବା ଯୋଗୁଁ ଏହି ରାସ୍ତା ମରଣଯନ୍ତା ପାଲଟିଥିଲେ ମଧ୍ୟ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଉନଥିବା ଆନ୍ଦୋଳନକାରୀ ମାନେ ଅଭିଯୋଗ କରିଛନ୍ତି। ଆଜି ସହରର ସମସ୍ତ ଦୋକାନ ବଜାର ବନ୍ଦ ଥିବା ବେଳେ ଯାତ୍ରୀବାହୀ ବସ୍ ସେବା, ବ୍ୟାଙ୍କ, ସମସ୍ତ ଘରୋଇ ଓ ସରକାରୀ ବିଦ୍ୟାଳୟ ବନ୍ଦ ରହିଥିଲା।