ଜଙ୍ଗଲ ପାଲଟିଛି ସିକୋ ପ୍ରାଣୀ ଚିକିତ୍ସାଳୟ

ସିକୋ: ସିକୋ ଠାରେ ଥିବା ପ୍ରାଣୀ ଚିକିତ୍ସାଳୟ ଗତ ୫ ବର୍ଷ ଧରି ପ୍ରାୟତଃ ବନ୍ଦ ରହିଛି। ରକ୍ଷଣାବେକ୍ଷଣ ଅଭାବରୁ କାର୍ଯ୍ୟାଳୟଟି ଭାଙ୍ଗିରୁଜି ଯାଇଥିବା ବେଳେ ଗଛଲତାରେ ପୂର୍ଣ୍ଣ ହୋଇଛି। ସୂଚନାନୁସାରେ, ୨୨-୨୩ ବର୍ଷ ପୂର୍ବେ ଏଠାରେ କାର୍ଯ୍ୟାଳୟ ଆରମ୍ଭ ହେବା ପରେ ଜଣେ ଭିଏଲ୍‌ଡ଼ବ୍ଲୁଙ୍କ ଅଧୀନରେ କାର୍ଯ୍ୟାଳୟ କିଛି ମାସ କାର୍ଯ୍ୟ କରିଥିଲା। କିଛିଦିନ ପରେ ସିକୋରେ ପ୍ରାଣୀଧନ ବିଭାଗ ପକ୍ଷରୁ ଜଣେ ଲାଇଭ୍‌ ଇନ୍ସପେକ୍ଟର (ଏଲ୍ଆଇ)ଙ୍କୁ ନିଯୁକ୍ତି ଦିଆଯିବା ସହ ଅସ୍ଥାୟୀ ଭାବେ କୃଷି କାର୍ଯ୍ୟାଳୟରେ ପଶୁ ଚିକିତ୍ସାଳୟ ଚାଲିଥିଲା। ପରେ ଏହା ନିକଟସ୍ଥ ବାଳିକା ଉଚ୍ଚବିଦ୍ୟାଳୟ ସମ୍ମୁଖ ଏକ ଭଡ଼ା ଘରେ ଚାଲିଲା। ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରିତ୍ୱ ସମୟରେ ସିକୋ ଏଲ୍ଆଇ କେନ୍ଦ୍ରକୁ ଡିସପେନ୍ସରୀରେ ଉନ୍ନୀତ କରାଯାଇଥିଲା।

୨୦୧୬ରେ ଡାକ୍ତର ସୁବ୍ରତ କୁମାର ସାହୁଙ୍କ ଏହାରେ ନିଯୁକ୍ତି ଦିଆଯାଇଥିଲା। ନିଯୁକ୍ତି ପାଇବାର କିଛିଦିନ ପରେ ଡାକ୍ତର ସାହୁଙ୍କୁ ଡେପୁଟେସନରେ ଭୁବନେଶ୍ୱର ଲକ୍ଷ୍ମୀସାଗରସ୍ଥ ଏଲ୍ଆର୍ଡିଏସ୍କୁ ବଦଳି ହୋଇଛି। ଏହାପର ଠାରୁ ଏହି ପଶୁ ଚିକିତ୍ସାଳୟଟି ବନ୍ଦ ରହିଛି। ଡାକ୍ତରଙ୍କ ଅଭାବରେ ସ୍ଥାନୀୟ ଲୋକମାନେ ନିଜର ଗୃହପାଳିତ ପଶୁପକ୍ଷୀଙ୍କ ଚିକିତ୍ସା ଓ ଅନ୍ୟ ସଂକ୍ରାମକ ରୋଗର ନିଦାନ ପାଇଁ ଆବଶ୍ୟକ ସେବା ପାଇ ପାରୁନାହାନ୍ତି। ସରକାର ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେଇ ପଦକ୍ଷେପ ନେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର