କେନ୍ଦ୍ରାପଡ଼ା ଜିଲ୍ଲା ବୋଲିଂ ସଂଘ ଉଦ୍‌ଘାଟିତ

କେନ୍ଦ୍ରାପଡ଼ା/ଭୁବନେଶ୍ବର: ଭାରତୀୟ ବୋଲିଂ ସଂଘ (ବିଏଫଆଇ) ଅନୁବଂଧିତ ରାଜ୍ୟ ବୋଲିଂ ଆସୋସିଏସନ୍, ଓଡ଼ିଶା ପକ୍ଷରୁ ପ୍ରତି ଜିଲ୍ଲାରେ ଏହାର ପ୍ରଚାର ଓ ପ୍ରସାର ଲାଗି ଉଦ୍ୟମ ଜାରି ରହିଥିବା ବେଳେ କେନ୍ଦ୍ରାପଡ଼ା ଜିଲ୍ଲା ଏଥିରେ ସାମିଲ ହୋଇଛି। ଶନିବାର କେନ୍ଦ୍ରାପଡ଼ା ଜିଲ୍ଲା ବୋଲିଂ ସଂଘ (କେଡିବିଏ) ଉଦ୍‌ଘାଟିତ ହୋଇଛି। କ୍ରୀଡ଼ା ପାଇଁ ସ୍ବତନ୍ତ୍ର ସ୍ଥାନ ବହନ କରୁଥିବା କେନ୍ଦ୍ରାପଡ଼ା ଲନ୍‌ ବଲ୍‌ରେ ବି ଅଗ୍ରଣୀ ଭୂମିକା ନେବାକୁ ପ୍ରୟାସ କରିବ ବୋଲି ଏହାର ସମ୍ପାଦକ ମନୋରଂଜନ ମିଶ୍ର ଆଶା ପ୍ରକାଶ କରିଛନ୍ତି।
କେଡିବିଏରର ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବ‌େ ଯୋଗ ‌ଦେଇ ରାଜ୍ୟ ସଂଘ ସମ୍ପାଦକ ସୁମିତ ରଂଜନ ପୁରୋହିତ ଏହି ଖେଳର ଦ୍ରୁତ ପ୍ରସାର ଓ ଲୋକପ୍ରିୟତା ସମ୍ପର୍କରେ ଅବଗତ କରାଇଥିଲେ। ଓଡ଼ିଶା ଅଲିମ୍ପିକ୍‌ ସଂଘର ସ୍ବୀକୃତି ମିଳିଥିବାରୁ କେଡିବିଏ ପକ୍ଷରୁ ଶ୍ରୀ ପୁରୋହିତ କୃତଜ୍ଞତା ଜ୍ଞାପନ କରିଥିଲେ। ରାଜ୍ୟ କ୍ରୀଡ଼ା ବିଭାଗ ଖୁବ୍‌ ଶୀଘ୍ର ଏହି‌ ଖେଳକୁ ସ୍ବୀକୃତି ପ୍ରଦାନ ଲାଗି ଆବଶ୍ୟକୀୟ କାଗତପତ୍ର ଦାଖଲ କରାଯାଇଛି ବୋଲି ‌ମଧ୍ୟ ସେ ସୂଚନା ଦେଇଥିଲେ।
ଏହି ଅବସରରେ ରାଜ୍ୟ ସଂଘ କାର୍ଯ୍ୟକାରିଣୀ ସଦସ୍ୟ ସୁରେଶ ସ୍ବାଇଁ, କେଡିବିଏ ସଭାପତି ଧ‌ୀରେନ୍ଦ୍ର କୁମାର ସାହୁ, ଉପ ସଭାପତି ଭାସ୍କର ମହାରଣା, ଯୁଗ୍ମ ସମ୍ପାଦକ ରାଜକିଶୋର ବ‌େ‌‌ହୁରା, କୋଷାଧ୍ୟାକ୍ଷ ରଂଜନ କୁମାର ସାହୁ, କାର୍ଯ୍ୟକାରୀ ସଦସ୍ୟ ନିତ୍ୟାନନ୍ଦ ବେହେରା, ଜାତୀୟ ସ୍ତରର ଫେନସର୍‌ ତଥା ଟେକନିକାଲ୍‌ ଅଫିସିଆଲ୍‌ କରିସ୍ମା ରାଉତ ପ୍ରମୁଖ ଯୋଗ ଦେଇଥିଲେ। ବହୁ ଜାତୀୟ ସ୍ତରର ଖେଳାଳି ଓ ଉଦୀୟମାନ କ୍ରୀଡ଼ାବିତ୍‌ ମଧ୍ୟ ଉପସ୍ଥିତ ଥିଲେ।
ସୂଚନାଯୋଗ୍ୟ, ଲୋକପ୍ରିୟତା ଦିଗରେ ଅଗ୍ରସର ହେଉଥିବା ବୋଲିଂ ଓ ଲନ୍ ବଲ୍ ଖେଳରେ ଓଡ଼ିଶା ପ୍ରବେଶ ୩ ବର୍ଷ ହୋଇସାରିଛି। ଗତବର୍ଷ ଆସାମର ଗୁଆହାଟୀରେ ଅନୁଷ୍ଠିତ ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ାର ତୃତୀୟ ସଂସ୍କରଣରେ ‘ଲନ୍ ବଲ୍’ ପଦାର୍ପଣ କରିଥିବା ବେଳେ ଓଡ଼ିଶା ଭାଗ ନେଇଥିଲା । ୨୦୧୮ରେ ଅନୁଷ୍ଠିତ ଜାତୀୟ ପ୍ରତିଯୋଗିତାରେ ଆରିଫା ବେଗମ ଓ କୈଳାସ ମାଥୀ ପଦକ ଜିତି ରାଜ୍ୟ ପାଇଁ ଗୌରବ ଆଣିଥିବାରୁ ଏହି ଖେଳକୁ ନେଇ କ୍ରୀଡ଼ାବିତ୍ ଉତ୍ସାହିତ ରହିଛନ୍ତି। ରାଜ୍ୟ ସରକାର ଏହି ଖେଳକୁ ସ୍ବୀକୃତି ପ୍ରଦାନ ସହ ଭିତ୍ତିଭୂମି ଯୋଗାଇଦେଲେ ରାଜ୍ୟ ପାଇଁ ଅନେକ ଗୌରବ ଆସିପାରିବ ବୋଲି ରାଜ୍ୟ ବୋଲିଂ ଆସୋସିଏସନ୍, ଓଡ଼ିଶା (ଏସ୍‌ବିଏଓ)ର ସଭାପତି ତଥା ପୂର୍ବତନ ସାଂସଦ ଅନଙ୍ଗ ଉଦୟ ସିଂହଦେଓ ମଧ୍ୟ ଦାବି ଉପସ୍ଥାପନ ବେଳେ ମତ ରଖିଛନ୍ତି।
ସମ୍ବନ୍ଧିତ ଖବର