କେନ୍ଦ୍ରାପଡ଼ା: ଭୁଲ୍ ଇଞ୍ଜେକସନ୍ ଯୋଗୁଁ ଗର୍ଭବତୀ ମହିଳାଙ୍କ ମୃତ୍ୟୁ, ଉତ୍ତେଜନା ପରେ ୨ ପ୍ଲାଟୁନ ପୁଲିସ ମୁତୟନ, ଡାକ୍ତର ଫେରାର
କେନ୍ଦ୍ରାପଡ଼ା: ମେଡିକାଲ ଡାକ୍ତରଙ୍କ ବ୍ୟକ୍ତିଗତ କ୍ଲିନିକ୍ରେ ଭୁଲ ଇଞ୍ଜେକସନ୍ ନେବାରୁ ସୋମବାର ଜଣେ ଗର୍ଭବତୀ ମହିଳାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁସାରେ ମିର ରମଜାନ୍ ବକ୍ସଙ୍କ ସ୍ତ୍ରୀ ତକ୍ସିମା ଫରିମ ୫ରୁ ୬ ମାସର ଗର୍ଭବତୀ ଥିଲେ। ସେ ଆଜି କେନ୍ଦ୍ରାପଡ଼ା ମେଡିକାଲ ରୋଡ଼ସ୍ଥିତ ଏକ ଘରୋଇ କ୍ଲିନିକକୁ ସ୍ୱାସ୍ଥ୍ୟ ଯାଞ୍ଚ ହେବାକୁ ଯାଇଥିଲେ। କ୍ଲିନିକରେ ଡାକ୍ତର କୁଳମଣୀ ବରାଳ ୩ଟି ଇଞ୍ଜେକସନ୍ ଦେଇଥିଲେ। ଇଞ୍ଜେକସନ୍ ନେବା ପରେ ତକ୍ସିମା ଫରିମ ଚେତାଶୂନ୍ୟ ହୋଇ ଯାଇଥିଲେ। ଏହା ପରେ ତକ୍ସିମାଙ୍କୁ ଡାକ୍ତର କୁଳମଣୀ ଘରକୁ ନେଇଯିବା ପାଇଁ ପରାମର୍ଶ ଦେଇଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ସ୍ତ୍ରୀଙ୍କ ଚେତାଶୂନ୍ୟ ଅବସ୍ଥା ଦେଖି ମିର୍ ରମଜାନ ତକ୍ସିମାଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲା ସଦର ମହକୁମା ହସ୍ପିଟାଲ ନେଇ ଯାଇଥିଲେ। ସେଠାରେ ପହଞ୍ଚିବା ପରେ ଗଭୀବତୀ ତକ୍ସିମାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଏହା ପରେ ମୀର୍ ଓ ତାଙ୍କ ସଂପର୍କୀୟଙ୍କ ମଧ୍ୟରେ ଉତ୍ତେଜନା ଦେଖାଯାଇଛି। ଉତ୍ତେଜିତ ଲୋକମାନେ ଡାକ୍ତର କୁଳମଣୀଙ୍କ କ୍ଲିନିକ ଭଙ୍ଗାରୁଜା କରିଛନ୍ତି।
କୁହାଯାଉଛି ଯେ ଡାକ୍ତର କୁଳମଣୀଙ୍କର ଅନ୍ୟତ୍ର ବଦଳି ହୋଇଥିଲେ ମଧ୍ୟ କେନ୍ଦ୍ରାପଡ଼ାରୁ ଯାଉ ନାହାନ୍ତି। କାରଣ ସେ ମେଡ଼ିକାଲ ଡ୍ୟୁଟିପାଇଁ ଯେତିକି ବ୍ୟସ୍ତ ହୋଇ ନଥାନ୍ତି, ଘରେ କ୍ଲିନିକ ଖୋଲି ଅଧିକ ରୋଜଗାର କରୁଛନ୍ତି। ଉତ୍ତେଜନା ପରେ ଡାକ୍ତର କୁଳମଣୀ ଫେରାର ଅଛନ୍ତି। ଅତିରିକ୍ତ ଆରକ୍ଷୀ ଅଧିକ୍ଷକଙ୍କ ତତ୍ୱାବଧାନରେ ଜିଲ୍ଲା ହସ୍ପିଟାଲରେ ୨ ପ୍ଲାଟୁନ ପୁଲିସ ମୁତୟନ କରାଯାଇଛି।