୭୫ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହେଲା; କାର୍ଯ୍ୟକ୍ଷମ ହେଉନି କୋଭିଡ଼୍‌ କେୟାର୍‌ ସେଣ୍ଟର

ରାଜନଗର: ରାଜନଗରରେ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ କୋଭିଡ୍ କେୟାର୍‌ ସେଣ୍ଟର୍‌ ନିର୍ମାଣ ହେଲା। ଏଥିପାଇଁ ପ୍ରାୟ ୭୫ ଲକ୍ଷ ଟଙ୍କା ଖର୍ଚ୍ଚ କରାଗଲା। ଏହାସତ୍ତ୍ବେ କେନ୍ଦ୍ର କାର୍ଯ୍ୟକ୍ଷମ ହେଉ ନାହିଁ। ଆକ୍ରାନ୍ତମାନଙ୍କୁ ହୋମ୍‌ ଆଇସୋଲେସନ୍‌ରେ ରହିବାକୁ କୁହାଯାଉଛି। ସୁବିଧା ନ ଥିଲେ ମଧ୍ୟ ଆକ୍ରାନ୍ତମାନେ ଘରେ ରହିବାକୁ ବାଧ୍ୟ ହେଉଛନ୍ତି। ମାତ୍ର ଘରେ ରହୁଥିବା ବହୁ ରୋଗୀ କଟକଣା ମାନୁ ନ ଥିବା ଦେଖିବାକୁ ମିଳୁଛି। କିଛି ରୋଗୀ ବଜାରରେ ଖୋଲାମେଲାରେ ବୁଲୁଥିବା ବେଳେ କେତେଜଣ କୌଣସି ସୂଚନା ନ ଦେଇ ସାଧାରଣ ରୋଗୀଙ୍କ ଭଳି ଡାକ୍ତରଖାନା ପହଞ୍ଚି ଯାଉଛନ୍ତି।

ଏଥିଯୋଗୁଁ ରାଜନଗରରେ କରୋନା ସ୍ଥିତି ଦିନକୁ ଦିନ ବେକାବୁ ହେବାରେ ଲାଗିଥିବା ଅଭିଯୋଗ ହେଉଛି। ଗତ ୩ ଦିନ ଧରି ଅଞ୍ଚଳରେ କମ୍‌ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଥିଲେ। ଆଜି ପୁଣି ୪୨ଜଣ ପଜିଟିଭ ଚିହ୍ନଟ ହୋଇଥିଲା ବେଳେ ରାଜନଗରରେ ଆକ୍ରାନ୍ତଙ୍କ ସଂଖ୍ୟା ୬୫୦ ଟପି ଯିବା ଚିନ୍ତାର କାରଣ ହୋଇଛି। ଏପଟେ ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚ ସତ୍ତ୍ବେ କୋଭିଡ୍‌ କେୟାର୍‌ ସେଣ୍ଟର୍‌ କାର୍ଯ୍ୟକ୍ଷମ ନ ହେବା ଏବଂ ରୋଗୀଙ୍କୁ ଘରେ ରହିବାକୁ ପରାମର୍ଶ ଦିଆଯିବା ପ୍ରଶ୍ନବାଚୀ ସୃଷ୍ଟି କରିଛି।

ସୂଚନାଯୋଗ୍ୟ ଯେ ରାଜନଗରସ୍ଥିତ ଶ୍ରୀଶ୍ରୀଜଗନ୍ନାଥ ମହାବିଦ୍ୟାଳୟରେ ଥିବା ଇନ୍‌ଡୋର ଷ୍ଟାଡିୟମରେ ପ୍ରାୟ ୭୫ ଲକ୍ଷ ଟଙ୍କା ଖର୍ଚ୍ଚ କରି କୋଭିଡ୍‌ କେୟାର ସେଣ୍ଟର କରାଯାଇଛି। ଏଠାରେ ୧୦୦ଟି ଶଯ୍ୟା, ଡାକ୍ତର ଓ କର୍ମଚାରୀ ବସିବା ଏବଂ ରହିବାର ବ୍ୟବସ୍ଥା ହୋଇଛି। ଉଜ୍ଜ୍ବଳ ଆଲୋକ ଠାରୁ ଆରମ୍ଭ କରି ଶୁଦ୍ଧ ପାନୀୟଜଳ ପର୍ଯ୍ୟନ୍ତ ବନ୍ଦୋବସ୍ତ କରାଯାଇଛି। ମାତ୍ର ଏହି କେନ୍ଦ୍ର ଆଜିଯାଏଁ କାର୍ଯ୍ୟକ୍ଷମ ହୋଇପାରି ନାହିଁ। ଏଠାରେ ଯଦି କୋଭିଡ କେୟାର ସେଣ୍ଟରର ଆବଶ୍ୟକତା ନ ଥିଲା, ତେବେ ଏତେ ଟଙ୍କା ବ୍ୟୟ କାହିଁକି କରାଗଲା ବୋଲି ସାଧାରଣରେ ପ୍ରଶ୍ନ କରାଯାଇଛି। ଅପରପକ୍ଷରେ ରାଜନଗର ଭଳି ଗ୍ରାମାଞ୍ଚଳରେ ସମସ୍ତଙ୍କର ପୃଥକ ପାଇଖାନା କିମ୍ବା ଘର ନାହିଁ।

କିନ୍ତୁ, ପୃଥକ ପାଇଖାନା ନ ଥିଲେ ମଧ୍ୟ କରୋନାରେ ଆକ୍ରାନ୍ତ ବ୍ୟକ୍ତିଙ୍କୁ ଘରେ ରହିବାକୁ କୁହାଯାଉଛି। ରୋଗୀଙ୍କ ଭଲମନ୍ଦ ବୁଝିବା ଦାୟିତ୍ବ ଦିଆଯାଉଥିବା ପରିବାର ସଦସ୍ୟଙ୍କୁ ପିପିଇ କିଟ୍ ମଧ୍ୟ ମିଳୁନାହିଁ। ମେଡିକାଲରେ ବେଡ୍‌ ନାହିଁ ବୋଲି କହି ସ୍ବାସ୍ଥ୍ୟ ବିଭାଗ କରୋନା ରୋଗୀଙ୍କୁ ଘରେ ରହିବାକୁ ପରାମର୍ଶ ଦେଉଥିଲା ବେଳେ ସେମାନେ ଖୁଲମଖୁଲା ବଜାରରେ ବୁଲୁଛନ୍ତି। ହୋମ୍‌ ଆଇସୋଲେସନ୍‌ରେ ଥିବା କୁନ୍ଦୁପୁର ଗାଁର ଜଣେ କରୋନା ଆକ୍ରାନ୍ତ ଗତକାଲି ଅସୁସ୍ଥ ହୋଇପଡ଼ିଥିଲେ।

କାହାରିକୁ ସୂଚନା ନ ଦେଇ ସେ ସାଧାରଣ ରୋଗୀଙ୍କ ଭଳି ସିଧାସଳଖ ଡାକ୍ତରଖାନା ପହଞ୍ଚି ଯାଇଥିଲେ। ଏପରି କି, ରୋଗୀଜଣକ ଲଗାତର ଦୁଇଦିନ ଧରି ସ୍ବାସ୍ଥ୍ୟକେନ୍ଦ୍ରକୁ ଆସିଥିଲେ ମଧ୍ୟ କର୍ମଚାରୀମାନେ ଜାଣିପାରି ନ ଥିଲେ। ଗତକାଲି ମେଡିକାଲ ଅଫିସର ତାଙ୍କୁ ଦେଖିଦେବା ପରେ ଘଟଣା ସାମ୍ନାକୁ ଆସିଥିଲା। ଏହାପରେ ଉକ୍ତ ରୋଗୀଙ୍କୁ କୋଭିଡ୍‌ ହସ୍ପିଟାଲ୍‌କୁ ସ୍ଥାନାନ୍ତର କରାଯାଇଥିଲା। ମାତ୍ର ସେ ହସ୍ପିଟାଲ ନ ଯାଇ ନିଜ ଘର ପାଖରେ ଓହ୍ଲାଇ ରହିଯାଇଥିଲେ। ଏହାର କିଛି ସମୟ ପରେ ତାଙ୍କର ମୃତ୍ୟୁ ଘଟିଥିଲା।

ଏହି ଘଟଣା ପରେ ରାଜନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ସମ୍ପୂର୍ଣ୍ଣ ବିଶୋଧନ କରାଯାଇଥିଲା। ସେହିପରି ରାଜନଗର ଗାଁର କେତେକ ଆକ୍ରାନ୍ତ ଯୁବକ ବଜାରରେ ଖୋଲା ବୁଲୁଥିବା ଜଣାପଡ଼ିଛି। ଗୋଟିଏ ପଟେ, ରାଜନଗରରେ କରୋନା ସଂକ୍ରମଣ ବଢ଼ି ଚାଲିଥିଲା ବେଳେ ୭୫ ଲକ୍ଷ ଟଙ୍କା ବ୍ୟୟରେ କୋଭିଡ କେୟାର ସେଂଟର ନିର୍ମାଣ କରି କାର୍ଯ୍ୟକ୍ଷମ ନ କରିବା ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏହି କେନ୍ଦ୍ର ତୁରନ୍ତ କାର୍ଯ୍ୟକ୍ଷମ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।

ଅପରପକ୍ଷରେ ଆଜି ଗୋଟିଏ ଦିନରେ କୁରୁଣ୍ଟି ପଞ୍ଚାୟତର ବଳରାମପୁର ଓ ଚକ୍ରଧରପୁର ଗାଁରେ ୪୨ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜନଗରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୫୬ରେ ପହଞ୍ଚି ଯାଇଛି। ଅନ୍ୟପଟେ, ସରକାର କେବଳ ସ୍କୁଲ ଓ ମନ୍ଦିର ଛାଡ଼ି ସବୁ ଖୋଲି ଦେଇଥିବା ବେଳେ ଲୋକେ ମାସ୍କ ପିନ୍ଧିବା କିମ୍ବା ସାମାଜିକ ଦୂରତା ନିୟମ ମାନୁ ନାହାନ୍ତି। ଏଥିଯୋଗୁଁ ରାଜନଗରରେ କରୋନା ସ୍ଥିତି ଦିନକୁ ଦିନ ବିଗୁଡ଼ୁ ଥିବାରୁ ପ୍ରଶାସନ ଆବଶ୍ୟକ ପଦକ୍ଷେପ ନେବାକୁ ସାଧାରଣରେ ଦାବି କରାଯାଇଛି।

ସମ୍ବନ୍ଧିତ ଖବର