କେନ୍ଦ୍ରାପଡ଼ା ପ୍ରବେଶପଥ ପାଲଟିଛି ମରଣଯନ୍ତା, ବିଭାଗୀୟ କର୍ତ୍ତୃପକ୍ଷ ବେଫିକର!

କେନ୍ଦ୍ରାପଡ଼ା: ହୁସିଆର! ଆପଣ କଟକ ପଟୁ କେନ୍ଦ୍ରାପଡ଼ା କିମ୍ବା କେନ୍ଦ୍ରାପଡ଼ାରୁ କଟକ ଯାଉଛନ୍ତି କି? ତେବେ ହେଇଯାଆନ୍ତୁ ସାବଧାନ। କାରଣ, ଦୁହୁରିଆ ପୋଲ ତଳ ରାଜ୍ୟ ରାଜପଥରେ ଯେଉଁ ଖାଲ ହୋଇଛି; ଟିକିଏ ବି ଅସାବଧାନ ହେଲେ ଦୁର୍ଘଟଣାରେ ଚାଲି ଯାଇପାରେ ଜୀବନ! ପ୍ରତିଦିନ ବି ସେହି ଖାଲରେ ପଡ଼ି ଲୋକମାନେ ଦୁର୍ଘଟଣାର ଶିକାର ହେଉଥିବା ଦେଖିବାକୁ ମିଳୁଛି।

ଅଥଚ, ବିଭାଗୀୟ କର୍ତ୍ତୃପକ୍ଷ ବେଫିକର‌୍‌। ନା’ ଖାଲକୁ ପୋତା ଯାଉଛି ନା ସତର୍କ ସୂଚନା ଫଳକ ମରାଯାଉଛି। ପ୍ରଶାସନ ଏତେ ନିଷ୍କ୍ରିୟ ଯେ ସ୍ଥାନୀୟ ଲୋକ କେତେବେଳେ ସେହି ଖାଲରେ ଛୋଟ ଗଛ ତ’ କେତେବେଳେ ସୋଲ ଡବା ପକାଇ ରାସ୍ତାରେ ଖାଲ ହୋଇଥିବା ସ˚ପର୍କରେ ସୂଚିତ କରାଉଛନ୍ତି। କେନ୍ଦ୍ରାପଡ଼ା ସହରର ପ୍ରବେଶପଥ କୁହାଯାଉଥିବା ଦୁହୁରିଆ ଛକ ଭଳି ଅତି ଗୁରୁତ୍ବପୂର୍ଣ୍ଣ ସ୍ଥାନରେ ଦୀର୍ଘ ଦିନ ହେବ ପୋଲ ତଳ ରାସ୍ତା ମରଣଯନ୍ତା ପାଲଟିଥିଲେ ହେଁ, ଆରଏଣ୍ତ୍‌ବି-୧ ହାତବାନ୍ଧି ବସିବା ଘଟଣା ସାଧାରଣ ଲୋକଙ୍କ ମଧ୍ୟରେ ଗଭୀର ଅସନ୍ତୋଷ ସୃଷ୍ଟି କରିଛି।

ଉଲ୍ଲେଖନୀୟ କଥା ହେଉଛି, ରାସ୍ତାର ଯେଉଁ ଜାଗାରେ ଖାଲ ହୋଇଛି, ତାର ଠିକ୍‌ ଉପରେ ପୋଲ ବାଡ଼ାରେ ‘କେନ୍ଦ୍ରାପଡ଼ାର ବିକାଶ ଆମର ପ୍ରୟାସ’ ବୋଲି ବଡ଼ ବଡ଼ ଅକ୍ଷରରେ ଲେଖାଯାଇଛି। ଅର୍ଥାତ୍‌ ଉପରେ ବିକାଶ ଲେଖାଯାଇଥିବା ବେଳେ ତଳେ କିନ୍ତୁ ଲୋକଙ୍କ ଜୀବନ ବିନାଶ କରିଦେବା ଭଳି ଅବସ୍ଥା ରାସ୍ତାରେ ସୃଷ୍ଟି ହୋଇଛି। ଏମିତି ଜାଗାରେ ଖାଲ ହୋଇଛି ଯେ ଦୂରରୁ କେହି ଠଉରାଇ ପାରୁନାହାନ୍ତି। ଏହାଦ୍ବାରା ବିଶେଷ କରି ବାଇକ୍‌ ଚାଳକମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ଅତି ନିକଟକୁ ଆସିବା ପରେ ଖାଲ ଦୃଶ୍ୟମାନ ହେଉଥିବାରୁ ଚାଳକ ମାନେ ହଠାତ୍‌ ଆଉ ବାଇକ୍‌ର ବେଗ କମାଇ ପାରୁନାହାନ୍ତି। ଯଦ୍ବାରା ଖାଲରେ ହିଁ ବାଇକ୍‌ ପଡ଼ିବା ସାର ହେଉଛି। ଅନେକ ଲୋକ ଏହି ଖାଲରେ ପଡ଼ିବା ପରେ ଭାରସାମ୍ୟ ହରାଇ ଦୁର୍ଘଟଣାର ଶିକାର ହେଉଥିବା ନିୟମିତ ବ୍ୟବଧାନରେ ଦେଖିବାକୁ ମିଳୁଛି। ଲକ୍ଷ୍ୟ କରିବାର କଥା ହେଉଛି, ସେହି ଖାଲ ନିକଟରୁ ମାତ୍ର ଦଶ ମିଟର‌୍‌ ଦୂରରେ ସଦର ପୁଲିସର ସହାୟତା କେନ୍ଦ୍ର ବି ରହିଛି। ସେଠାରେ ହାବିଲଦାର ଓ କନଷ୍ଟେବଳ ଦିନରାତି ଡ୍ୟୁଟି କରୁଛନ୍ତି।

ଅଥଚ ଏପର୍ଯ୍ୟନ୍ତ ଖାଲ ସ୍ଥାନରେ ସତର୍କ ସୂଚନା ଫଳକଟିଏ  ଲାଗିପାରିଲା ନାହିଁ। କଟକ-ଚାନ୍ଦବାଲି ଭଳି ବ୍ୟସ୍ତବହୁଳ ରାସ୍ତାର ଦୁହୁରିଆ ପରି ଗୁରୁତ୍ବପୂର୍ଣ୍ଣ ଛକରେ ରାସ୍ତା ଅବସ୍ଥା ଯଦି ଏଭଳି ରହିବ ଆଉ କର୍ତ୍ତୃପକ୍ଷ ସ˚ପୂର୍ଣ୍ଣ ବେଫିକର‌୍‌ ହୋଇ ହାତବାନ୍ଧି ବସିବେ, ତେବେ ସାଧାରଣ ଲୋକଙ୍କ ସମସ୍ୟା କିପରି ସମାଧାନ ହେବ? ତା’ ମାନେ କ’ଣ କୌଣସି ଚାଳକର ଜୀବନ ଗଲେ ଯାଇ କର୍ତୃପକ୍ଷ ଚେତିବେ ବୋଲି ପ୍ରଶ୍ନ ଉଠୁଛି।

କେବଳ ଦୁହୁରିଆ ପୋଲ ତଳ କାହିଁକି, ଜାତୀୟ ରାଜପଥକୁ ଦୁହୁରିଆ ଛକରୁ ସ˚ଯୋଗ କରୁଥିବା ପ୍ରାୟ ୩୦୦ମିଟର‌୍‌ରୁ ଅଧିକ ରାସ୍ତା ଅବସ୍ଥା ଆହୁରି ଶୋଚନୀୟ। ରାସ୍ତା ସାରା ବିରାଟ ଗାଢ଼। ଖାଲଖାମରେ ଭର୍ତ୍ତି। ବର୍ଷା ହେଲେ କୃତ୍ରିମ ପୋଖରୀର ଭ୍ରମ ସୃଷ୍ଟି କରୁଛି ଏହି ରାସ୍ତା। ରାସ୍ତା ଅବସ୍ଥା ଏତେ ଶୋଚନୀୟ ଯେ ବାଇକ୍‌ ତ ଦୂରର କଥା, କାର‌୍‌ ବି ଯିବା ମୁସ୍କିଲ୍‌ ହୋଇପଡ଼ୁଛି। କିନ୍ତୁ କାହାରି ଏଥିପ୍ରତି ଦୃଷ୍ଟି ନାହିଁ। ପ୍ରଶାସନ ଏଥିପ୍ରତି ପଦକ୍ଷେପ ନ ନେବାରୁ କିଛି ମାସ ତଳେ ସ୍ଥାନୀୟ ବ୍ୟବସାୟୀ ମୋରମ୍‌ ପକାଇ ଖାଲ ପୋତିଥିଲେ। ମାତ୍ର, ବର୍ଷା ଯୋଗୁ ତାହା ପୁଣି ଖାଲ ହୋଇ ଯାଇଛି। ଆଉ କେତେ ଦିନ ଏହି ଦୁଇଟି ପ୍ରବେଶପଥ ରାସ୍ତା ଶୋଚନୀୟ ହୋଇ ରହିଲେ କର୍ତ୍ତୃପକ୍ଷଙ୍କ ନିଦ ଭା˚ଗିବ?

ଅନ୍ୟପକ୍ଷରେ ଆରଏଣ୍ତବି-୧ର ନିର୍ବାହୀ ଯନ୍ତ୍ରୀ ପ୍ରଦୀପ ମହାନ୍ତି କହିଛନ୍ତି ରାସ୍ତା ଅବସ୍ଥା ସ˚ପର୍କରେ ଅବଗତ ଅଛି। ଜାତୀୟ ରାଜପଥକୁ ଦୁହୁରିଆ ଛକରୁ ଯେଉଁ ରାସ୍ତା ସ˚ଯୋଗ କରିଛି, ତାହା ଆମ ଅଧୀନରେ ଆସୁନାହିଁ ଓ ତାହା ଜାତୀୟ ରାଜପଥ କର୍ତ୍ତୃପକ୍ଷ ହିଁ ମରାମତି କରିବେ।

ସମ୍ବନ୍ଧିତ ଖବର