ଖୋର୍ଦ୍ଧା ସହରରେ ବଢ଼ି ଚାଲିଛି ସରକାରୀ କୋଠା ଜବରଦଖଲ ତାଲିକା

ଜବରଦଖଲରୁ ବାଦ୍ ପଡ଼ିନାହିଁ କାଂଜିଆ ହୁଦା ଓ କୁଷ୍ଠାଶ୍ରମ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାରେ ସରକାରୀ ଜମି, ଶଶ୍ମାନ ଜମି, ଗୋଚର ଜମି, ଦେବାଳୟ ଜମି ହଡ଼ପ, ଜବରଦଖଲ କବ୍ଜା କରିବା କଥା ଏକ ନିୟମିତ ଘଟଣା । କିନ୍ତୁ ସାରୁ ଖୋଳୁ ଖୋଳୁ ମହାଦେବ ବାହାରିବା ଭଳି ଜବରଦଖଲ ତାଲିକାରେ କେବଳ ପଡ଼ିଆ ଜମି ନୁହେଁ ସରକାରୀ ଘର, କୋଠା, କର୍ମଚାରୀଙ୍କ କ୍ୱାଟର ମଧ୍ୟ ସାମିଲ ଥିବା ଜଣାପଡ଼ିଛି ।

ଖୋର୍ଦ୍ଧା ସହରରେ ସରକାରୀ ଅଧିକାରୀଙ୍କ ଆଖିଆଗରେ ଜବରଦଖଲ ଚାଲିଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆ ନଯିବା ସାଧାରଣରେ ପ୍ରାଶାସନିକ ଅଧିକାରୀଙ୍କ ସମ୍ପୃକ୍ତିର ସନ୍ଦେହ ସୃଷ୍ଟି ହୋଇଛି ।

ଗତ କିଛି ଦିନ ଧରି ଖୋର୍ଦ୍ଧା ସହରରେ କିଭଳି ଭାବେ ସରକାରୀ କ୍ୱାଟର ଓ କୋଠା ଜବରଦଖଲ ଚାଲିଛି ସେନେଇ ସମ୍ବାଦରେ କ୍ରମାଗତ ଭାବେ ଖବର ପରିବେଷଣ କରାଯାଇଛି । ଏହି ପର୍ଯ୍ୟାୟରେ ଖୋର୍ଦ୍ଧା ବଜାର ମଝିରେ ଥିବା କାଂଜିଆହୁଦା ଘରକୁ ଖୋର୍ଦ୍ଧା ବ୍ୟବସାୟୀ ସଂଘ ବର୍ଷେ ନୁହେଁ କି ଦୁଇ ବର୍ଷ ଗତ ୨୦ ବର୍ଷ ଧରି ନିଜ ଅକ୍ତିଆରରେ ରଖିବା ସହ ଏଠାରେ ସଂଘର କାର୍ଯ୍ୟାଳୟ ଓ ଗୋଦାମ ଘର ଚଳାଇଛନ୍ତି ।

ଖୋର୍ଦ୍ଧା ଯେତେବେଳେ ବିଜ୍ଞପିତ ଅଂଚଳ ପରିଷଦ ଥିଲା ସେତେବେଳେ ପୁରୁଣା ବସଷ୍ଟା‌ଣ୍ଡ ବାହାର ବୁଲା ଗାଈଗୋରୁଙ୍କୁ ରଖିବା ପାଇଁ ପ୍ରାୟ ୨ହଜାର ବର୍ଗଫୁଟର ଏକ କାଂଜିଆହୁଦା ନିର୍ମାଣ କରାଯାଇଥିଲା । କିନ୍ତୁ ୨୦୦୧ରେ ଖୋର୍ଦ୍ଧା ପୌର ପରିଷଦକୁ ଉନ୍ନୀତ ହେବା ପରେ ଏଠାର କାଂଜିଆହୁଦା ଉଠିଗଲା । ପ୍ରାୟ ବର୍ଷେ କି ଦୁଇବର୍ଷ ଏହା ଅବ୍ୟବହୃତ ହୋଇ ପଡ଼ିବା ପରେ ଏହାକୁ ବ୍ୟବସାୟୀ ସଂଘ ନିଜ ଅକ୍ତିଆରକୁ ନେଇଥିଲେ । ପରେ ଏଠାରେ ସଂଘର କାର୍ଯ୍ୟାଳୟ ଓ ଗୋଦାମ ଘର ଭାବେ ବ୍ୟବହାର କରିଥିଲେ ।

ତେବେ ଏହି କାଂଜିଆହୁଦାକୁ ବ୍ୟବସାୟୀ ସଂଘକୁ କିଏ ଦେଲା, ଏନେଇ ବ୍ୟବସାୟୀ ସଂଘ ଭଡ଼ା ଦେଉଛି କି ନାହିଁ ସେନେଇ ପୌର ପରିଷଦ ନିକଟରେ କୌଣସି ସୂଚନା ନାହିଁ । କେବଳ ଏହାନୁହେଁ ଏହାର ଅଧିକାଂଶ ସ୍ଥାନରେ ବେଆଇନ ଦଖଲ କରାଯାଇ ଦୋକାନ ଘର ମଧ୍ୟ ନିର୍ମାଣ କରାଯାଇଛି ।

ସେହିଭଳି ଖୋର୍ଦ୍ଧା ସହରର ଅନ୍ୟତମ ଜନଗହଳି ଶ୍ରୀରାମ ନଗର ଠାରେ ଥିବା ପୁରୁଣା କୁଷ୍ଠାଶ୍ରମ ଓ ଏହାର ଚାରିପଟେ ଥିବା ପ୍ରାୟ ୧୭ ଏକର ସରକାରୀ ଜାଗା ମଧ୍ୟ ଜବରଦଖଲ ହୋଇରହିଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଏହି ସରକାରୀ ଜାଗାର ୬୦୦ ବର୍ଗଫୁଟ ଲେଖାଏଁ ଭାଗ କରାଯାଇ ୫୦ହଜାରରୁ ୭୫ହଜାର ଟଙ୍କା ଲେଖାଏଁ ବିକ୍ରି କରାଯାଇଛି । ୧୯୯୫ ପୂର୍ବରୁ ଶ୍ରୀରାମନଗର ଅଂଚଳ ଜନାକୀର୍ଣ୍ଣ ଥିଲା । ସରକାରୀ ନିୟମାନୁସାରେ ଜନବସତି ଠାରୁ ଦୂରରେ କୁଷ୍ଠାଶ୍ରମ ସ୍ଥାପନ କରିବାର ନିୟମ ରହିଥିଲା ।

ଏହି ଦୃଷ୍ଟିରୁ ସେଠାରେ ପ୍ରାୟ ଦେଢ଼ ଏକର ସ୍ଥାନରେ ଏକ କୁଷ୍ଠାଶ୍ରମ ସ୍ଥାପନ କରାଯାଇଥିଲା । କିନ୍ତୁ ଧୀରେଧୀରେ ଲୋକସଂଖ୍ୟା ବଢ଼ିବାରୁ ୧୯୯୫ରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନିକଟରେ ଏକ କୁଷ୍ଠାଶ୍ରମ ସ୍ଥାପନ କରାଯାଇଥିଲା । ବର୍ତମାନ ଶ୍ରୀରାମ ନଗରରେ ଥିବା କୁଷ୍ଠାଶ୍ରମରେ ୧୬-୧୭ କୁଷ୍ଠରୋଗୀଙ୍କ ପରିବାର ରହୁଛନ୍ତି । କିନ୍ତୁ କୁଷ୍ଠାଶ୍ରମର ଦେଢ଼ ଏକର ସ୍ଥାନରୁ ଅଧିକାଂଶ ସ୍ଥାନ ଜବର ଦଖଲ ହୋଇରହିଛି ।

କେବଳ ଏହାନୁହେଁ ଏହାର ଚାରିପଟେ ଥିବା ପ୍ରାୟ ୧୬ ଏକର ସରକାରୀ ଜାଗାରୁ ୧୦ ଏକର ଜାଗା ଜବରଦଖଲକାରୀଙ୍କ କବ୍ଜାରେ ରହିଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଏଭଳି ଜବରଦଖଲ ନିୟମିତ ଚାଲୁଥିବା ଓ ନିକଟରେ ଜିଲ୍ଲାର ଅନେକ ବରିଷ୍ଠ ଅଧିକାରୀଙ୍କ ସରକାରୀ କ୍ୱାଟର ରହିଥିଲେ ମଧ୍ୟ କେହି ପଦକ୍ଷେପ ନେଉନଥିବା ସାଧାରଣରେ ଆଶ୍ଚର୍ଯ୍ୟ ସୃଷ୍ଟି ହୋଇଛି ।

 

ସମ୍ବନ୍ଧିତ ଖବର