ବନମାଳିପୁର ହାଇସ୍କୁଲରୁ ଲକ୍ଷାଧିକ ଟଙ୍କାର କମ୍ପ୍ୟୁଟର ଏବଂ ଅନ୍ୟାନ୍ୟ ସାମଗ୍ରୀ ଚୋରି

ବାଲିପାଟଣା: ଭୁବନେଶ୍ୱର ଉପକଣ୍ଠ ସରକାରୀ ହାଇସ୍କୁଲ ବନମାଳିପୁରରୁ ଆନୁମାନିକ ୨ ଲକ୍ଷରୁ ଅଧିକ ଟଙ୍କାର ସାମଗ୍ରୀ ଚୋରି ହୋଇଛି। କମ୍ପ୍ୟୁଟର ରୁମର ଗ୍ରିଲ ଏବଂ କବାଟକୁ କଟରରେ କାଟି ଚୋରି ହୋଇଥିବା ଜଣାପଡିଛି। ରାତ୍ରି ଜଗୁଆଳ ଆଜି ସକାଳୁ ଦେଖିବା ପରେ ପ୍ରଧାନ ଶିକ୍ଷକଙ୍କୁ ଫୋନ ଯୋଗେ ଜଣାଇଥିଲେ। ସ୍କୁଲ କର୍ତ୍ତୃପକ୍ଷଙ୍କ ତରଫରୁ ସ୍ଥାନୀୟ ଫାଣ୍ଡିରେ ଲିଖିତ ଅଭିଯୋଗ ଦିଆଯାଇଛି।

ସୂଚନାରୁ ପ୍ରକାଶ, ଗତକାଲି ବିଦ୍ୟାଳୟ ଖୋଲା ଥିଲା ଏବଂ ଅପରାହ୍ନ ୪ ଟା ପର୍ଯ୍ୟନ୍ତ କର୍ମଚାରୀ ଉପସ୍ଥିତ ଥିଲେ। ଏହା ପରେ ରାତ୍ରି ଜଗୁଆଳ ମିନା ନାୟକ ସ୍କୁଲରେ ରାତି ୧୨ ଟା ପର୍ଯ୍ୟନ୍ତ ଜଗି ରହିଥିଲେ। ତାଙ୍କ ଶରୀର ଅସୁସ୍ଥ ହୋଇପଡ଼ିବାରୁ ସେ ସେହି ରାତିରେ ଘରକୁ ଚାଲି ଯାଇଥିଲେ। ଏହାର ସୁଯୋଗ ନେଇ ଦୁର୍ବୃତ୍ତ ଲୁଟ କରିଥିବା ବିଦ୍ୟାଳୟ କର୍ତ୍ତୃପକ୍ଷ ଅନୁମାନ କରିଛନ୍ତି।

ଚୋରି ହୋଇଥିବା ସାମଗ୍ରୀ ମଧ୍ୟରେ ୬ଟି କମ୍ପ୍ୟୁଟର, ୧ ବେଟ୍ରି , ୧ ଷ୍ଟାବ୍ଳାଇଜର ଏବଂ ପୂଜା ପାଇଁ ଥିବା କଂସା ଥାଳି, ଦୀପ , ଘଣ୍ଟ , ଘଣ୍ଟି , ଗାଙ୍ଗୁଲା ଆଦି ସାମଗ୍ରୀ ଅଛି। ପ୍ରଧାନ ଶିକ୍ଷକ କପିଳେଶ୍ଵର ସ୍ୱାଇଁ ସ୍ଥାନୀୟ ଫାଣ୍ଡିରେ ଆଜି ଲିଖିତ ଅଭିଯୋଗ ଦେବା ସହିତ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଗୋଚର କରିଛନ୍ତି ବୋଲି ସୂଚନା ଦେଇଛନ୍ତି। ବନମାଳିପୁର ଫାଣ୍ଡି ପୁଲିସ୍‌ ଘଟଣାର ତଦନ୍ତ ଜାରିରଖିଛି।

ସମ୍ବନ୍ଧିତ ଖବର