ଯେଉଁଠି ବିକ୍ରି ହେଉଥିଲା ଲକ୍ଷଲକ୍ଷ ଟିକେଟ୍! ୨୫ ପାସେଞ୍ଜର୍‌ ଟ୍ରେନ୍‌ ବନ୍ଦ ଯୋଗୁ ସମସ୍ୟା ବଢ଼ୁଛି

ଜଟଣୀ : ଗୋଟିଏ ରେଳଷ୍ଟେସନ୍‌ରେ ବିକ୍ରି ହେଉଥିବା ଟିକେଟ୍‌ରୁ ହିଁ ଜଣାପଡ଼େ ପାସେଞ୍ଜର୍‌ ଟ୍ରେନ୍‌ ଉପରେ କେତେ ଲୋକ ନିର୍ଭରଶୀଳ। ଜଟଣୀ ମଧ୍ୟଦେଇ ଯାତାୟାତ କରୁଥିବା ଟ୍ରେନ୍‌ରୁ ଏହା ସ୍ପଷ୍ଟ ଜଣାପଡ଼ିଛି। ପ୍ରାୟ ୨୫ଟି ପାସେଞ୍ଜର ଟ୍ରେନ୍ ଓ ଇଣ୍ଟର୍‌ସିଟି ଟ୍ରେନ୍ ଯୋଗେ ପଲାସା, ବ୍ରହ୍ମପୁର, ବାଲୁଗାଁ, ପୁରୀ, ‌ଖୋର୍ଦ୍ଧାରୋଡ୍, ଭୁବନେଶ୍ବର, କଟକ, ପାରାଦ୍ବୀପ, ଭଦ୍ରକ, କେନ୍ଦୁଝର, ବାଲେଶ୍ବର, ବାରିପଦା, ଅନୁଗୁଳ, ଢ଼େଙ୍କାନାଳ ତାଳଚେର, ସମ୍ବଲପୁର ଓ ରାଉରକେଲା ପ୍ରଭୃତି ରେଳଷ୍ଟେସନ୍‌ରୁ ଯାତ୍ରୀମାନେ ନିଜନିଜର କର୍ମକ୍ଷେତ୍ର, ମହାବିଦ୍ୟାଳୟ, ବିଦ୍ୟାଳୟକୁ ଯାତାୟାତ କରୁଥିଲେ। ମାତ୍ର, ଏବେ ଘୋର ସମସ୍ୟା ଭୋଗୁଛନ୍ତି। ଅପରପକ୍ଷେ, କରୋନା ସଂକ୍ରମଣ ଓଡ଼ିଶାରେ ନିୟନ୍ତ୍ରଣରେ ରହିଥିବା ସମୟରେ ରେଳକର୍ତ୍ତୃପକ୍ଷ ଯାତ୍ରୀବାହୀ ରେଳଗାଡ଼ି(ଟ୍ରେନ୍) ଚଳାଚଳକୁ ସ୍ବାଭାବିକ କରୁନଥିବାରୁ ଜନ ଅସନ୍ତୋଷ ତେଜିବାକୁ ଲାଗିଲାଣି।

ପୁରୀ -ତାଳଚେର, ପୁରୀ- ଗୁଣୁପୁର, ପୁରୀ -କଟକ ପୁରୀ(ସର୍ଟଲ୍), ଅନୁଗୁଳ- ପୁରୀ- ଅନୁଗୁଳ, ତାଳଚେର -ପୁରୀ -ତାଳଚେର, ଖୋର୍ଦ୍ଧାରୋଡ୍ -ପୁରୀ -ଖୋର୍ଦ୍ଧାରୋଡ୍, ଖୋର୍ଦ୍ଧାରୋଡ୍- ନୟାଗଡ଼, ଖୋର୍ଦ୍ଧାରୋଡ୍- ଖଡ଼ଗପୁର, ଭୁବନେଶ୍ବର- କେନ୍ଦୁଝର, ଭୁବନେଶ୍ବର- ଭଦ୍ରକ, ଭୁବନେଶ୍ବର- ବ୍ରହ୍ମପୁର, ଭୁବନେଶ୍ବର- ପଲାସା, କଟକ- ପାରାଦ୍ବୀପ, କଟକ- ଭଦ୍ରକ, କଟକ -ଇଛାପୁରମ୍, କଟକ -ପଲାସା, ଖଡ଼ଗପୁର- ଯାଜପୁର ପ୍ରଭୃତି ପାସେଞ୍ଜର ଟ୍ରେନ୍ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ୍ ରହିଥିବାବେଳେ ଖଡ଼ଗପୁର -ଭଦ୍ରକ(ବାଘାଯତିନ୍) ସାମୟିକ ଭାବେ ଚଳାଚଳ କରୁଛି। ସେହିପରି ପୁରୀ -ସମ୍ବଲପୁର -ପୁରୀ, ପୁରୀ -ବଡ଼ବିଲ୍ -ପୁରୀ, ପୁରୀ -ପାରାଦ୍ବୀପ -ପୁରୀ ଇଣ୍ଟର୍ ସିଟି ଏକ୍ସପ୍ରେସ୍‌ ଟ୍ରେନ୍‌ଗୁଡ଼ିକ ବନ୍ଦ୍ ହୋଇଥିବା ବେଳେ ଭୁବନେଶ୍ବର -ବଲାଙ୍ଗିର୍ ଏବଂ ଭୁବନେଶ୍ବର -ରାଉରକେଲା ଇଣ୍ଟର୍‌ସିଟି ଟ୍ରେନ୍ ଦୁଇଟି ସ୍ବତନ୍ତ୍ର ଭାବେ ସାମୟିକ ଚଳାଚଳ କରୁଥିବାର ମଣ୍ଡଳ ରେଳ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ ଯେ, ଖୋର୍ଦ୍ଧାରୋଡ୍ ରେଳମଣ୍ଡଳ ଅଧୀନରେ ଥିବା ପ୍ରମୁଖ ଷ୍ଟେସନ୍‌ମାନଙ୍କରେ ଗତ ୨୦୧୯ ଡିସେମ୍ବର ମାସ ୩୧ ତାରଖ ଗୋଟିଏ ଦିନର ରେକର୍ଡ଼ ଅନୁସାରେ ୨୬୬୫୦ଟି ସିଜିନ୍ ଟିକେଟ୍ କଟାଯାଇଥିବା ସହ ୧ଲକ୍ଷ୨୮ହଜାର୬୧୦ଟଙ୍କା ଆୟ ହୋଇଥିଲା। ଏହି ସମୟରେ ୭୯ ହଜାର ୬୪୪ ଜଣ ପାସେଞ୍ଜର ଟିକେଟ୍ କାଟିଥିଲେ। ଏ ବାବଦରେ ରେଳବିଭାଗ ୫୩ଲକ୍ଷ୭୮ହଜାର୧୮୭ ଟଙ୍କା ଆୟ କରିଥିଲା। ଅର୍ଥାତ୍‌ ସେ ଗୋଟିଏ ଦିନ ପୁରୀରେ ୩୫ଟି ଏମ୍‌ଏସ୍‌ଟି ଟିକେଟ୍‌ ଏବଂ ୫ହଜାର୩୬୪ଟି ପାସେଞ୍ଜର ଟିକେଟ୍‌ ବିକ୍ରି ହୋଇଥିବାବେଳେ ‌ଖୋର୍ଦ୍ଧାରୋଡ୍‌ରେ ୯୯ ଏମ୍‌ଏସ୍‌ଟି, ୩ହଜାର୧୧୪ ପାସେଞ୍ଜର ଟିକେଟ୍, ଭୁବନେଶ୍ବରରେ ୭୫ ଏମ୍‌ଏସ୍‌ଟି ଟିକେଟ ଓ ୧୫ହଜାର୪୦୩ ପାସେଞ୍ଜର ଟିକେଟ୍, କଟକରେ ୪୯ଏମ୍‌ଏସ୍‌ଟି ଟିକେଟ୍‌, ୫ହଜାର୯୮୧ ପାସେଞ୍ଜର ଟିକେଟ୍, ଯାଜପୁର କେନ୍ଦୁଝର ରୋଡ୍‌ରେ ୩୦ ଏମ୍‌ଏସ୍‌ଟି, ୨ହଜାର ୧୮୦ ପାସେଞ୍ଜର ଟିକେଟ୍, ଭଦ୍ରକରେ ୨୧ ଏମ୍‌ଏସ୍‌ଟି, ୨ହଜାର୪୨୪ ପାସେଞ୍ଜର ଟିକେଟ୍, ବ୍ରହ୍ମପୁରରେ ୨୯ ଏମ୍‌ଏସ୍‌ଟି, ୬ହଜାର୩୪୧ ପାସେଞ୍ଜର ଟିକେଟ୍, ପଲାସାରେ ୧୭ ଏମ୍‌ଏସ୍‌ଟି, ୨ହଜାର୫୧୨ ପାସେଞ୍ଜର ଟିକେଟ୍, ବାଲୁଗାାଁରେ ୨୫ ଏମ୍‌ଏସ୍‌ଟି ୧ହଜାର୪୦୬ ପାସେଞ୍ଜର ଟିକେଟ୍ ଏବଂ ଢେଙ୍କାନାଳରେ ୧୧ଏମ୍‌ଏସ୍‌ଟି ଓ ୯ଶହ୪୩ଟି ପାସେଞ୍ଜର ଟିକେଟ୍‌ ବିକ୍ରି ହୋଇଥିଲା। ସେହିପର ଡିସେମ୍ବର ମାସରେ ଖୋର୍ଦ୍ଧାରୋଡ୍‌ ମଣ୍ଡଳରେ ୯ଲକ୍ଷ ୫୨ ହଜାର ଏମଏସ୍‌ଟି ଟିକେଟ୍‌ ବିକ୍ରି ହୋଇଥିବାବେଳେ ୨୨ଲକ୍ଷ ୮୮ ହଜାର ୯୧୯ ପାସେଞ୍ଜର ଟିକେଟ୍‌ ବିକ୍ରି ହୋଇଥିଲା। ଏଥିରୁ କେତେ ଲୋକ ପାସେଞ୍ଜର ଟ୍ରେନ୍‌ ଉପରେ ନିର୍ଭରଶୀଳ ତାହା ସହଜରେ ଅନୁମାନ କରାଯାଇପାରେ। ତେଣୁ ତୁରନ୍ତ ପାସେଞ୍ଜର ଟ୍ରେନ୍‌ ଚଳାଚଳ ପାଇଁ ସାଧାରଣରେ ଦାବି ହେଉଛି।

ସମ୍ବନ୍ଧିତ ଖବର