କୋରାପୁଟରେ ପାସ୍‌ ହାର ୭୧ ପ୍ରତିଶତ :ଏ-୧ପାଇଲେ ୧୨ ଜଣ କମୁଛି ସଫଳତାର ହାର

କୋରାପୁଟ: ମାଧ୍ୟମିକ ଶିକ୍ଷା ବୋର୍ଡ ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷାରେ କୋରାପୁଟ ଜିଲ୍ଲା ଚଳିତବର୍ଷ ଆଖିଦୃଶିଆ ସଫଳତା ପାଇନି। ଜିଲ୍ଲାରେ ୧୩, ୭୩୪ ଜଣ ଛାତ୍ରଛାତ୍ରୀ ଏଥର ଦଶମ ଶ୍ରେଣୀ ପରୀକ୍ଷା ଦେଇଥିଲା ବେଳେ ସେଥିରୁ ମାତ୍ର ୭୦.୯୯ ପ୍ରତିଶତ ଛାତ୍ରଛାତ୍ରୀ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୧୨ ଜଣ ଛାତ୍ରଛାତ୍ରୀ ୯୦ପ୍ରତିଶତରୁ ଅଧିକ ନମ୍ବର ରଖି ସମ୍ମାନଜନକ ଏ-୧ଗ୍ରେଡ ପାଇଛନ୍ତି। ଜିଲ୍ଲାରୁ ମୋଟ ୯୭୦୯ଜଣ ଛାତ୍ରଛାତ୍ରୀ ପାସ୍‌ କରିଥିବା ବେଳେ ସେମାନଙ୍କ ମଧ୍ୟରୁ ୫୧୫୪ଜଣ ଛାତ୍ର ଓ ୪୫୫୫ଜଣ ଛାତ୍ରୀ ରହିଛନ୍ତି। ତେବେ ଗତ ଦୁଇ ବର୍ଷ ତୁଳନାରେ ଏଥର ସଫଳତା ହାର ବହୁ ତଳକୁ ଖସି ଯାଇଛି।
ଆଜି ସକାଳେ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇବା ପରେ କୋରାପୁଟ ଜିଲ୍ଲାର ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମଧ୍ୟରେ ଉତ୍ସାହ ପ୍ରକାଶ ପାଇଥିଲା। ଚଳିତବର୍ଷ ଜିଲ୍ଲାର୨୬୯ଟି ଉଚ୍ଚ ବିଦ୍ୟାଳୟର ୧୪୦୦୭ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବା ପାଇଁ ଫର୍ମ ପୂରଣ କରିଥିଲେ। ସେମାନଙ୍କ ପାଇଁ ଜିଲ୍ଲାରେ ୬୨ଟି ପରୀକ୍ଷା କେନ୍ଦ୍ର କରାଯାଇଥିଲା। ତେବେ ୨୭୩ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇ ନ ଥିଲେ। ପରୀକ୍ଷା ଦେଇଥିବା ୧୩,୭୩୪ଜଣ ଛାତ୍ରଛାତ୍ରୀଙ୍କ ଭିତରୁ ୫୮ଜଣ ମାଲ ପ୍ରାକ୍ଟିସ୍‌ରେ ଧରା ପଡିଥିବାରୁ ୧୩,୬୭୬ଜଣଙ୍କ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି। ଏଥିରୁ ୯୭୦୯ଜଣ ପାସ୍‌ କରିଛନ୍ତି। ଏହି ସଫଳ ଛାତ୍ରଛାତ୍ରୀଙ୍କ ଭିତରୁ ଏ-୧ରେ ୧୨ଜଣ, ଏ-୨ରେ ୧୨୦ଜଣ, ବି-୧ରେ ୩୭୦ଜଣ, ବି-୨ରେ ୧୦୭୭, ସି ରେ ୨୧୮୫, ଡିରେ ୩୪୧୪ ଓ ଇ ଗ୍ରେଡ୍‌ରେ ୨୫୩୧ଜଣ ପାସ୍‌ କରିଛନ୍ତି। ୩୯୬୭ ଜଣ ଛାତ୍ରଛାତ୍ରୀ ପରୀକ୍ଷାରେ ଫେଲ ହୋଇ ଯାଇଛନ୍ତି।
ରାଜ୍ୟରେ ଏଥର ପାସ୍‌ ହାର ୭୭.୩୫ ରହିଥିଲା ବେଳେ କୋରାପୁଟ ଜିଲ୍ଲାର ଫଳାଫଳ ଏହା ଅପେକ୍ଷା ଖରାପ ହୋଇଛି। ସବୁଠାରୁ ବଡ କଥା ହେଲା ଗତ ବର୍ଷ ତୁଳନାରେ ଏଥର ମାଟ୍ରିକ ପରୀକ୍ଷା ଫଳ ବହୁତ ନୈରାଶ୍ୟଜନକ ରହିଛି। ଗତବର୍ଷ ଜିଲ୍ଲାରେ ୧୩,୫୪୦ଜ ଜଣ ଛାତ୍ରଛାତ୍ରୀ ଦଶମ ଶ୍ରେଣୀ ପରୀକ୍ଷା ଦେଇଥିଲାବେଳେ ସେଥିରୁ ୯୨.୬୩ ପ୍ରତିଶତ ଛାତ୍ରଛାତ୍ରୀ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଥିଲେ। ଏମାନଙ୍କ ମଧ୍ୟରୁ ଏ-୧ ଗ୍ରେଡରେ ୧୬ଜଣ, ଏ-୨ରେ ୩୨୭ଜଣ, ବି-୧ରେ ୧୨୮୫ଜଣ, ବି-୨ରେ ୨୮୪୪, ସି ରେ ୩୭୨୦, ଡିରେ ୩୧୫୨ ଓ ଇ ଗ୍ରେଡ୍‌ରେ ୧୧୭୨ଜଣ ପାସ୍‌ କରିଥିଲେ। ସେହିପରି ୨୦୧୬ମସିହାରେ ପ୍ରକାଶିତ ମାଟ୍ରିକ ପରୀକ୍ଷା ଫଳରେ କୋରାପୁଟ ଜିଲ୍ଲାରେ ପାସ୍‌ ହାର ୯୪.୪୭ରହିଥିଲା। ଜିଲ୍ଲାରେ ୩୧ଜଣ ଏ-ଓ୍ଵାନ, ୩୦୭ଜଣ ଏ-ଟୁ, ୧୩୬୬ଜଣ ବି-ଓ୍ଵାନ ଓ ୩୩୨୧ଜଣ ବି-ଟୁ ଗ୍ରେଡ ପାଇଥିଲେ। ଲଗାତାର ଦୁଇ ବର୍ଷ ଧରି ଜିଲ୍ଲାରେ ପାସ ହାର ୯୦ପ୍ରତିଶତରୁ ଅଧିକ ରହିଥିଲା ବେଳେ ଏଥର ଏହା ବହୁ ତଳକୁ ଖସି ଆସିଛି। ସେହିପରି ମେଧାବୀ ସଂଖ୍ୟା ମଧ୍ୟ କମି କମି ଯାଉଛି। ଏହା ବୁଦ୍ଧିଜୀବୀଙ୍କ ମଧ୍ୟରେ ଚିନ୍ତାର କାରଣ ହୋଇଛି।

ସମ୍ବନ୍ଧିତ ଖବର