ଚୋରି କରି ବ୍ଲାକମେଲ୍‌:ତିନି ନାବାଳକଙ୍କ ସମେତ ୪ ଧରାପଡ଼ିଲେ

ଜୟପୁର: ଯାହାକୁ ବିଶ୍ୱାସରେ ଘର ଛାଡି ଦେଇଥିଲେ ତାଙ୍କ ପରିବାର ଯେ ବିଶ୍ୱାସଘାତକ ପାଲଟିବ ଏକଥା ସହଜରେ ଗ୍ରହଣ କରିହେଉନାହିଁ । ଏଭଳି ଏକ ଘଟଣା ଜୟପୁର ସହରରେ ଦେଖିବାକୁ ମିଳିଛି । ଜଣେ ବୃଦ୍ଧା ନିଜର ଘର ନିଜର ଚାକରାଣୀ ହାତରେ ଛାଡି ଯାଇଥିଲେ। ଫେରିବା ବେଳକୁ ଚାକରାଣୀଙ୍କ ପୁଅ ମୂଲ୍ୟବାନ କାଗଜ ଚୋରି କରି ଆରମ୍ଭ କଲେ ବ୍ଲାକମେଲ୍‌ । ୫ ଲକ୍ଷ ଟଙ୍କା ନଦେଲେ ଜିନିଷ ଫେରି ପାଇବ ନାହିଁ ବରଂ ଓଲଟି ମାଡ ମାରିବାକୁ ଧମକ ଦେଲେ। ଏଭଳି ଏକ ଘଟଣା ଘଟିଛି ଜୟପୁର ଟାଉନଥାନା ଅନ୍ତର୍ଗତ ବେଲରୋଡସ୍ଥିତ ଏ ଆନନ୍ଦ ରାଓ( ୭୨)ଙ୍କ ଘରେ । ଆନନ୍ଦ ରାଓଙ୍କ ଅଭିଯୋଗ କ୍ରମେ ପୁଲିସ ମାମଲା ରୁଜୁ କରି ୩ଜଣ ନାବାଳକକୁ ବ୍ରହ୍ମପୁର ସୁଧାର ଗୃହକୁ ପଠାଇଥିବା ବେଳ ଜଣେ ସାବାଳକ ପି. ଭେଙ୍କେଟ ସାଇ(୧୯) ଆଜି କୋର୍ଟ ଚାଲାଣ କରିଥିବା ତଦନ୍ତ ଅଧିକାରୀ ଏସ୍‌ଆଇ ଶିବ ଶଙ୍କର ସାହୁ କହିଛନ୍ତି। ଅଭିଯୁକ୍ତମାନେ ସ୍ଥାନୀୟ ସମ୍ବାରତୋଟା ଅଞ୍ଚଳର ବୋଲି ଜଣାପଡିଛି ।
ପୁଲିସ କହିବାନୁଯାୟୀ, ଗତ ଏପ୍ରେଲ ମାସରେ ଆନନ୍ଦ ରାଓ ନିଜ ପତ୍ନୀଙ୍କ ସ୍ୱାସ୍ଥ୍ୟ ଭଲ ନଥିବାରୁ ଦୁହେଁ ବିଶାଖାପାଟଣା ଚିକିତ୍ସା ପାଇଁ ଯାଇଥିଲେ। ଘରେ କେହି ନଥିବାରୁ ଚୋରିକୁ ଭୟକରି ନିଜର କାମବାଲିକୁ ଚାବି ଦେଇଯାଇଥିଲେ। ଚାକରାଣୀ ନିଜ ନାବାଳକ ପୁଅକୁ ସେହି ଘରକୁ ଶୋଇବା ପାଇଁ ପଠାଇ ଦେଇଥିଲେ। ଚାକରାଣୀଙ୍କ ପୁଅ ନିଜର ତିନି ଜଣ ସାଙ୍ଗଙ୍କ ସହ ମିଶି ଆଲମିର ଭାଙ୍ଗି ବହୁ ମୂଲ୍ୟବାନ କାଗଜପତ୍ର ଚୋରି କରିନେଇଥିଲେ। ଘର ମାଲିକଙ୍କୁ ଭୂଆଁ ବୁଲାଇବା ପାଇଁ ଘରେ କେହି ଦୁର୍ବୃତ୍ତ ପଶି ଚୋରି କରିନେଇଥିବା ନେଇ ଫୋନ କରି ଘର ମାଲିକଙ୍କୁ ଜଣାଇଥିଲେ। ଘର ମାଲିକ ଆନନ୍ଦ ଜୟପୁରରେ ପହଞ୍ଚି ଘଟଣା ସଂପର୍କରେ ଚାକରାଣୀ ଓ ତାଙ୍କ ପୁଅକୁ ଏହି ବିଷୟରେ ପଚାରିଥିଲେ। ଏହାର କିଛି ଦିନ ପରେ ମାଲିକଙ୍କୁ ଫୋନ ମାଧ୍ୟମରେ ବ୍ଲାକମେଲ କଲେ। ୫ ଲକ୍ଷ ଟଙ୍କା ନଦେଲେ କାଗଜ ପାଇବ ନାହିଁ ବରଂ ମାଡ ମାରିବାକୁ ଧମକ ଦେଇଥିଲେ। ଟଙ୍କା ନଦେବାରୁ ଚାକରାଣୀଙ୍କ ପୁଅ ଏବଂ ତାଙ୍କ ସାଙ୍ଗ ମିଶି ଗତ ମେ ମାସ ୧୬ ତାରିଖରେ ଆନନ୍ଦଙ୍କ ଘର ସମ୍ମୁଖ କବାଟରେ ନିଆଁ ଲଗାଇ ଚାଲିଯାଇଥିଲେ। ଏନେଇ ଆନନ୍ଦ ଟାଉନଥାନାରେ ଲିଖିତ ଅଭିଯୋଗ ଦେଇଥିଲେ। ଅଭିଯୋଗକୁ ଭିତ୍ତି କରି ପୁଲିସ ଏକ ମାମଲା ରୁଜୁ କରିଥିଲା। ତଦନ୍ତ ପରେ ପୁଲିସ ଚାକରାଣୀରୁ ପୁଅଙ୍କ ସମେତ ତାଙ୍କର ଦୁଇ ସାଂଗ ଏବଂ ପି ଭେଙ୍କେଟ ସାଇକୁ କାବୁ କରିଥିଲେ। ପଚାରା ଉଚରାରୁ ଘଟଣାର ସତ୍ୟାସତ୍ୟ ଜଣାପଡିବା ପରେ ଆଜି ତିିନି ଜଣ ନାବଳାକଙ୍କୁ ବ୍ରହ୍ମପୁର ସୁଧାର ଗୃହ ଓ ଭେଙ୍କେଟକୁ କୋର୍ଟ ଚାଲାଣ କରାଯାଇଛି।

ସମ୍ବନ୍ଧିତ ଖବର