କାର୍‌ ସ୍ପିଡ୍‌ ଲିମିଟ୍‌ ଉଲ୍ଲଂଘନ କରିବାରୁ ଜରିମାନା ଦେଲେ କେରଳର ରାଜ୍ୟପାଳ

ତିରୁବନନ୍ତପୁରମ୍‌: ଏପ୍ରିଲ୍‌ ୭ ତାରିଖ ଦିନ ନିଜର ସରକାରୀ ଗାଡ଼ି ନିର୍ଦ୍ଧାରିତ ବେଗ ଉଲ୍ଲଂଘନ କରିବାରୁ ମୋଟର୍‌ ଭେଇକ୍ଲ୍‌ ଡିପାର୍ଟମେଣ୍ଟ୍‌କୁ ଟ. ୪୦୦/- ଜରିମାନା ଦେବାକୁ କେରଳ ରାଜ୍ୟପାଳ ପି ଶତଶିବମ୍‌ ତାଙ୍କର କର୍ମଚାରୀମାନଙ୍କୁ ନିର୍ଦେଶ ଦେଇଛନ୍ତି। କିନ୍ତୁ, ସେ କାର୍‌ରେ ସେତେବେଳେ ରାଜ୍ୟପାଳ ଯାତ୍ରା କରୁ ନ ଥିଲେ।

କୌଦିଆର୍‌-ବେଲ୍ଲାୟାମ୍ବଲାମ୍‌ ଅଞ୍ଚଳରେ ଗାଡ଼ିର ବେଗ ଉଲ୍ଲଂଘନ କରାଯାଇଥିଲା। ନିକଟରେ ଏମ୍‌ଭିଡି ସେଠାରେ ଲଗାଇ ଥିବା ହାଇ ରିଜୋଲ୍ୟୁସନ୍‌ ସ୍ପିଡ୍‌ ଡିଟେକ୍‌ସନ୍‌ କ୍ୟାମେରାରୁ ଏ କଥା ଜଣାପଡ଼ିଥିଲା। KL-01-BD-8662 ରେଜିଷ୍ଟ୍ରେସନ୍‌ ନମ୍ବର ଥିବା କର୍ପାଇଟ୍‌-ବ୍ରାଉନ୍‌ ରଙ୍ଗର ମର୍ସିଡିଜ୍‌ ବେଞ୍ଜ୍‌ ଇ-୨୫୦ କାର୍‌ଟି କେରଳ ରାଜ୍ୟପାଳଙ୍କ ସଚିବଙ୍କ ନାମରେ ପଞ୍ଜିକୃତ ହୋଇଛି। ଏହି କାର୍‌ ଘଣ୍ଟା ପ୍ରତି ୫୫ କିଲୋମିଟର୍‌ ରଖାଯାଇଥଇବା ନିର୍ଦ୍ଧାରିତ ବେଗ ଟପିଥିଲା।

ରାଜ୍ୟପାଳ ଗାଡ଼ି ବ୍ୟବହାର ନ କରୁଥିବା ସମୟରେ ରାଜ ଭବନ କର୍ମଚାରୀମାନେ କାର୍‌ରେ ଥିବା ଜାତୀୟ ଚିହ୍ନ ଘୋଡ଼ାଇ ଦେଇ ତେଲ ପକାଇବା କି, ଅନ୍ୟ କୌଣସି ମରାମତି କାମ ପାଇଁ ବାହାରକୁ ନିଅନ୍ତି। ୨୦୧୧ ମସିହା ନଭେମ୍ବର ମାସରେ ରାଜ ଭବନ ତରଫରୁ କାର୍‌ଟିକୁ କିଣା ଯାଇଥିଲା। କାର୍‌ ନିର୍ଦ୍ଧାରିତ ବେଗ ଟିପିଥିବା ଜଣାପଡ଼ିବା ଜରିମାନା ରାଶି ସହ ଏକ ଚାଲାଣ କରାଯାଇ ଗତ ସପ୍ତାହରେ ରାଜ ଭବନକୁ ପଠାଇ ଦିଆଯାଇଥିଲା। ଏ କଥା ଜାଣିବା ପରେ ଆଇନ୍‌ ମାନିବାକୁ ରାଜ୍ୟପାଳ ତାଙ୍କ କର୍ମଚାରୀମାନଙ୍କୁ ନିର୍ଦେଶ ଦେଇଥିଲେ। ଅର୍ଥାତ୍‌ ଜରିମାନା ଅର୍ଥ ପୈଠ କରିବାକୁ ନିର୍ଦେଶ ଦେଇଥିଲେ।

ସେମିତି ଅନ୍ୟ ଏକ ଘଟଣାରେ ହାଇକୋର୍ଟର ଜଣେ କାର୍ଯ୍ୟରତ ବିଚାରପତି ମଧ୍ୟ ସେହି ଅଞ୍ଚଳରେ ନିର୍ଦ୍ଧାରିତ ବେଗ ଟପି ଥିବା କାରଣରୁ ବିନା କୌଣସି ବାହାନାରେ ଜରିମାନା ଅର୍ଥ ପୈଠ କରିଛନ୍ତି।

ସମ୍ବନ୍ଧିତ ଖବର