ରକ୍ତଶିକୁଳି ରୋଗ କବଳରେ କୋରାପୁଟ : ୨୦୦ରୁ ଊର୍ଦ୍ଧ୍ବ ଛୁଆ ଆକ୍ରାନ୍ତ

ଜୟପୁର,: ରକ୍ତଶିକୁଳି ଭଳି ଭୟାନକ ରୋଗର କବଳରେ ରହିଛି କୋରାପୁଟ । ଛୋଟ ଛୋଟ ଶିଶୁ ଏହି ରୋଗରେ ଆକ୍ରାନ୍ତ ହୋଇଥିବା ଲକ୍ଷ୍ୟ କରାଯାଇଥିବା ବେଳେ ଜୀବନ ବଞ୍ଚାଇବା ପାଇଁ ନିୟମିତ ଭାବେ ରକ୍ତ ଦେଉଥିବା ଜଣାଯାଇଛି । ଶରୀରରେ ରକ୍ତହୀନତା ଯୋଗୁଁ ଅସୁସ୍ଥ ହୋଇପଡିବା ସହ ଜ୍ବର ଲାଗି ରହିବା ଫଳରେ ପ୍ରାୟତଃ ଗୋଟିଏ କିମ୍ବା ଦୁଇ ମାସ ବ୍ୟବଧାନରେ ରକ୍ତ ଦେଉଥିବା ଜଣାଯାଇଛି । ରକ୍ତ ପାଇଁ ରକ୍ତଭଣ୍ଡାର ପକ୍ଷରୁ କେତେକାଂଶରେ ରକ୍ତ ଯୋଗା ଯାଉଥିବା ବେଳେ ଏଭଳି ରୋଗୀଙ୍କ ପାଇଁ ନିୟମିତ ରକ୍ତର ଆବଶ୍ୟକତା ରହୁଥିବା ଯୋଗୁଁ ଆକ୍ରାନ୍ତ ଶିଶୁର ବାପା ମା ରକ୍ତପାଇଁ ନେହୁରା ହେଉଥିବା ଦେଖାଯାଉଛି । ପ୍ରକାଶ ଥାଉକି ବିଗତ ଦିନରେ ଜଣେ ନବମ ଶ୍ରେଣୀର ଛାତ୍ରୀ ରକ୍ତଶିକୁଳି ରୋଗରେ ଆଖି ବୁଜିଦେଇଥିବା ଜଣାଯାଇଛି ।
କୋରାପୁଟ ଜିଲ୍ଲାର ଜୟପୁର ଓ କୋରାପୁଟରେ ରକ୍ତଭଣ୍ଡାର ରହିଥିବା ବେଳେ ଜୟପୁର ରକ୍ତଭଣ୍ଡାରରେ ବିଭିନ୍ନ ସମୟରେ ରକ୍ତର ଅଭାବ ରହୁଥିବା ଜଣାଯାଇଛି । ବର୍ଷକୁ ପ୍ରାୟ ୫ହଜାର ୟୁନିଟ ରକ୍ତ ଆବଶ୍ୟକତା ରହିଥିବା ବେଳେ ମାତ୍ର ୪ ହଜାର ୟୁନିଟ୍ ସଂଗ୍ରହ ହେଉଛି। ବିଭିନ୍ନ ସ୍ବେଚ୍ଛାସେବୀ ସଂସ୍ଥା ପକ୍ଷରୁ ରକ୍ତଦାନ ଶିବିର ଆୟୋଜନ ହେଉଥିଲେ ହେଁ ଏହା ଆବଶ୍ୟକତାକୁ ପୂରଣ କରିପାରୁନଥିବା ସୂଚନା ମିଳିଛି । ଗତ ବର୍ଷ ୫୫ଟି ଶିବିର ଆୟୋଜନ କରାଯାଇ ମାତ୍ର ୨ହଜାର ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା। ବଳକା ୨ହଜାର ୟୁନିଟ୍ ରୋଗୀଙ୍କ ସଂପର୍କୀୟଙ୍କ ଠାରୁ ସଂଗ୍ରହ ହୋଇଥିଲା । ବଳକା ୧ହଜାର ୟୁନିଟ ରକ୍ତ ଅନ୍ୟ ରକ୍ତଭଣ୍ଡାରରୁ ଆଣି ଆବଶ୍ୟକତାକୁ ମେଣ୍ଟାଯାଉଛି ବୋଲି ଜୟପୁର ରକ୍ତଭଣ୍ଡାର ପକ୍ଷରୁ ସୂଚନା ମିଳିଛି।
ଅନ୍ୟପକ୍ଷରେ ପ୍ରତିବର୍ଷ ରକ୍ତହୀନତାର ଶୀକାର ହେଉଥିବା ଗର୍ଭବତୀ ମାଙ୍କୁ ଜନନୀ ସୁରକ୍ଷା ଯୋଜନା ତଥା ନିରାପଦ ମାତୃତ୍ବ ଯୋଜନାରେ ମାଗଣାରେ ରକ୍ତ ଦିଆଯାଉଛି। ଚଳିତ ମାସରେ ଆଜି ପର୍ଯ୍ୟନ୍ତ ୬୦ଜଣ ଗର୍ଭବତୀ ମାଙ୍କୁ ରକ୍ତ ଦିଆଯାଇଥିବା ସୂଚନା ମିଳିଛି। ସେଭଳି ବିଜୁ କୃଷକ କଲ୍ୟାଣ ଯୋଜନାରେ ବି ମାଗଣାରେ ରକ୍ତ ଦିଆଯାଉଛି । ମିଳିଥିବା ସୂଚନା ଅନୁଯାୟୀ ଜୟପୁର ଉପଖଣ୍ଡରେ ୨୦୦ରୁ ଉର୍ଦ୍ଧ୍ବ ପିଲା ସିକିଲସେଲ (ରକ୍ତଶିକୁଳି) ରୋଗରେ ଆକ୍ରାନ୍ତ ଥିବା ସୂଚନା ମିଳିଛି। ୧୨ଜଣ ଥାଲେସେମିଆ ରୋଗୀ ବି ରହିଛନ୍ତି। ପ୍ରତିଦିନ ଜୟପୁର ରକ୍ତଭଣ୍ତାରରୁ ବିଭିନ୍ନ ରୋଗୀଙ୍କୁ ୫ରୁ ୧୦ ୟୁନିଟ ରକ୍ତ ଦିଆଯାଉଛି । ରକ୍ତଶିକୁଳି(ସିକିଲସେଲ)ରେ ଆକ୍ରାନ୍ତଙ୍କୁ ମାଗଣାରେ ରକ୍ତ ଦେବା ପାଇଁ ପରିଚାଳନା କମିଟି ବୈଠକରେ ନିଷ୍ପତି ହୋଇଥିଲେ ହେଁ ବହୁ ସମୟରେ ବିରଳ ଗ୍ରୁପ୍ରର ରକ୍ତ ମିଳିପାରୁନାହିଁ । ରକ୍ତ ପାଇଁ ବିଭିନ୍ନ ସମୟରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ କରାଯାଉଥିବା ବେଳେ ଆଜି ବି ଗ୍ରାମାଞ୍ଚଳରେ ରକ୍ତଦାନ ସଂପର୍କରେ ସଚେତନତାର ଅଭାବ ରହିଛି । ଗ୍ରାମାଞ୍ଚଳରେ ରକ୍ତଦାନ ଶିବିର ଆୟୋଜନ କରାଯିବାର ଆବଶ୍ୟକତା ରହିଛି ବୋଲି ମତପ୍ରକାଶ ପାଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ବି ରକ୍ତଦାନ ଶିବିର ଆୟୋଜନ କରାଯିବା ନେଇ ସଚେତନ କରିବା ଆବଶ୍ୟକତା ରହିଛି । ଦୁର୍ଗମ ଅଂଚଳରେ ଛାତ୍ରଛାତ୍ରୀଙ୍କ ଠାରୁ ରକ୍ତହୀନତା ଦେଖାଯାଉଥିବା ବେଳେ ନିୟମିତ ବ୍ୟବଧାନରେ ରକ୍ତନମୂନା ପରୀକ୍ଷା କରି ଆବଶ୍ୟକୀୟ ପଦକ୍ଷେପ ନେବାକୁ ବି ବିଭିନ୍ନ ସଂଗଠନ ପକ୍ଷରୁ ଦାବି କରାଯାଇଛି ।

ସମ୍ବନ୍ଧିତ ଖବର